Screenshot 2026 09 18 184929 750x430

ଉତ୍କଳ ବିଶ୍ୱବିଦ୍ୟାଳୟରେ +୩ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ: ତଦନ୍ତ ନିର୍ଦ୍ଦେଶ ଦେଲେ ପରୀକ୍ଷା ନିୟନ୍ତ୍ରକ

Spread the love

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟାର ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ବଡ଼ ଅଭିଯୋଗ ସାମ୍ନାକୁ ଆସିଛି । ସୋସିଆଲ ମିଡିଆ ଏବଂ ବିଭିନ୍ନ ମେସେଜିଂ ଆପ୍‌ରେ କମର୍ସ ବିଭାଗର ଏକ ପ୍ରଶ୍ନପତ୍ର ପରୀକ୍ଷା ଭାଇରାଲ ହେବାର ଦେଖିବାକୁ ମିଳିଛି । ଗତ ସେପ୍ଟେମ୍ବର ୧୨ ତାରିଖରୁ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ପ୍ରାୟ ୩୦୦ଟି କଲେଜରେ ଏହି ପରୀକ୍ଷା ଚାଲିଥିବା ବେଳେ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଅର୍ଥାତ ସେପ୍ଟେମ୍ବର ୧୭ରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷାର ପ୍ରଶ୍ନପତ୍ର ବୁଧବାର ରାତିରୁ ହିଁ ଅନଲାଇନରେ ଭାଇରାଲ ହୋଇଥିଲା ।

ଏହି ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ହୃଷୀକେଶ ନାୟକ କହିଛନ୍ତି ଯେ, ବାହ୍ୟ ସୂତ୍ରରୁ ଏହି ଅଭିଯୋଗ ବାବଦରେ ଜଣାପଡ଼ିଛି, ଯଦିଓ କୌଣସି କଲେଜ ପକ୍ଷରୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଅଭିଯୋଗ ହୋଇନାହିଁ। କୁଳପତିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର କମିଟି ଏହି ଘଟଣାର ସମ୍ପୂର୍ଣ୍ଣ ଯାଞ୍ଚ କରିବ। ଏହାସହ ଏହି ରାକେଟର ପର୍ଦ୍ଦାଫାଶ କରିବା ପାଇଁ ପୋଲିସ ନିକଟରେ ମଧ୍ୟ ଏଫଆଇଆର (FIR) କରାଯାଇଛି।

ପ୍ରଶ୍ନପତ୍ର ଲିକ୍ ଘଟଣାର କେତେ ସତ୍ୟାସତ୍ୟ ରହିଛି ? ପ୍ରଶ୍ନପତ୍ର ଲିକ୍ ହୋଇଛି କି ନାହିଁ ତାହାର ତଦନ୍ତ କରିବ ପୋଲିସ। ପ୍ରଶ୍ନପତ୍ର ଲିକ୍ ଘଟଣା ବିଷୟରେ କୌଣସି ସୂଚନା ବିଶ୍ୱବିଦ୍ୟାଳୟ ପାଖରେ ନାହିଁ। ଅଭିଯୋଗ ହେଇଛି ବାଣିଜ୍ୟ ବିଭାଗର ପ୍ରଶ୍ନ ପତ୍ର ଲିକ୍ ହେଇଥିବା । ଲିକ୍ କେମିତି ହେଲା ? କିଏ କଲା ? ଉତ୍ସ କଣ ସବୁର ତଦନ୍ତ ପାଇଁ ଲିଖିତ ଅଭିଯୋଗ କରିଛୁ ।

ଯଦି ପ୍ରଶ୍ନପତ୍ର ଲିକ୍ ହେବା ସତ୍ୟ ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତ ବିଷୟର ପରୀକ୍ଷା ବାତିଲ କରାଯାଇ ପୁନର୍ବାର କରାଯିବ ଏବଂ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ।

ଅନ୍ୟପଟେ ଏହି ଘଟଣାକୁ ନେଇ ସାଧାରଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଏବଂ ମାନସିକ ଚାପ ସୃଷ୍ଟି ହୋଇଛି। ବାରମ୍ବାର ଏଭଳି ଅଭିଯୋଗ ଆସିବା ଦ୍ୱାରା ସେମାନଙ୍କ କ୍ୟାରିୟର ଓ ପରିଶ୍ରମ ଉପରେ ଆଘାତ ଲାଗୁଥିବା ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି। ସେମାନେ ଏହାର ଏକ ନିରପେକ୍ଷ ତଦନ୍ତ ସହ ପରୀକ୍ଷା ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ କରିବାକୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *