18bbs 80 18092026 112 2026 09 18 20 59 46

ଡିୟୁଏସ୍‌ୟୁ ନିର୍ବାଚନରେ ନିୟମ ଉଲ୍ଲଂଘନ: ଛାତ୍ର ସଂଗଠନଗୁଡ଼ିକୁ ଦିଲ୍ଲୀ ହାଇକୋର୍ଟଙ୍କ ଭର୍ତ୍ସନା, ୧୪୦ ପ୍ରାର୍ଥୀଙ୍କୁ ନୋଟିସ୍‌

Spread the love

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରସଂଘ (ଡିୟୁଏସ୍‌ୟୁ)ର ନିର୍ବାଚନ ପ୍ରଚାର ବେଳେ କଥିତ ନିୟମ ଉଲ୍ଲଂଘନ ଓ ହିଂସାକୁ ନେଇ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଓ ନ୍ୟାସନାଲ ଷ୍ଟୁଡେଣ୍ଟ୍‌ସ ୟୁନିୟନ୍‌ ଅଫ୍ ଇଣ୍ଡିଆ (ଏନ୍‌ଏସ୍‌ୟୁଆଇ) ସମେତ ବିଭିନ୍ନ ଛାତ୍ର ସଂଗଠନକୁ ପ୍ରଶ୍ନ କରିଛନ୍ତି। ମୁଖ୍ୟ ବିଚାରପତି ଦେବେନ୍ଦ୍ର କୁମାର ଉପାଧ୍ୟାୟ ଓ ବିଚାରପତି ତେଜସ୍ କାରିଆଙ୍କ ଖଣ୍ଡପୀଠ ପ୍ରଶ୍ନ କରିଥିଲେ, ‘ଆପଣମାନେ ଛାତ୍ର ତ? ଲିଙ୍ଗଡୋ କମିଟିର ସୁପାରିସ ଅନୁସାରେ ନିର୍ବାଚନ କରିବା ପାଇଁ ଆପଣମାନେ ବୈଠକରେ ଯୋଗ ଦେଉଛନ୍ତି, ପୁଣି ଏଭଳି କାର୍ଯ୍ୟ କରୁଛନ୍ତି?’

ଡିୟୁଏସ୍‌ୟୁ ନିର୍ବାଚନ ସମୟରେ ହିଂସା ଓ ଅନ୍ୟାନ୍ୟ ନିୟମ ଉଲ୍ଲଂଘନ ଅଭିଯୋଗ ସମ୍ପର୍କିତ ଏକ ଆବେଦନର ଶୁଣାଣି ବେଳେ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ଉତ୍ତର କ୍ୟାମ୍ପସ୍‌ରେ ନମ୍ବର ପ୍ଲେଟ୍‌ ନଥି ବା ଗାଡ଼ି ସମେତ ବହୁ ଗାଡ଼ି ନେଇ ପ୍ରଚାର ହେବା ଅଭିଯୋଗକୁ ନେଇ ମଧ୍ୟ ଦିଲ୍ଲୀ ପୁଲିସକୁ ଅଦାଲତ ପ୍ରଶ୍ନ କରିଛନ୍ତି। ଲିଙ୍ଗଡୋ କମିଟିର ସୁପାରିସ, ନିର୍ବାଚନ ଆଚରଣବିଧି ଏବଂ ପୂର୍ବରୁ ଅଦାଲତ ଦେଇଥିବା ନିର୍ଦ୍ଦେଶର ଉଲ୍ଲଂଘନକୁ ନେଇ ମାମଲା ହୋଇଛି। ଶୁଣାଣି ବେଳେ ଅଦାଲତ ଅସ୍ତ୍ର ପ୍ରଦର୍ଶନ, ବିଳାସପୂର୍ଣ୍ଣ ଗାଡ଼ିର କାଫିଲା ଏବଂ ଗାଡ଼ିର ଛାତ ଓ ବୋନେଟ୍‌ ଉପରେ ଠିଆ ହୋଇ ପ୍ରଚାର କରିବା ଭଳି ଅଭିଯୋଗ ଉପରେ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଥିଲେ। ଏଭଳି କାର୍ଯ୍ୟ ଦ୍ୱାରା କ୍ୟାମ୍ପସ୍‌ରେ ଭୟର ବାତାବରଣ ସୃଷ୍ଟି ହେଉଥିବା ଅଦାଲତ କହିଛନ୍ତି। ପୁଲିସ ପକ୍ଷରୁ ଦାଖଲ ରିପୋର୍ଟରେ ଗାଡ଼ି ଜବତ, ଚାଲାଣ ଓ ଏଫ୍‌ଆଇଆର୍‌ ସମ୍ପର୍କରେ ତଥ୍ୟ ଦିଆଯାଇଥିଲା। ପୁଲିସ କହିଛି ଯେ ଏପର୍ଯ୍ୟନ୍ତ ୪୯ଟି ଗାଡ଼ି ଜବତ କରାଯାଇଛି ଏବଂ ଆହୁରି ୫ଟି ଗାଡ଼ି ଜବତ କରିବାର ପ୍ରକ୍ରିୟା ଚାଲିଛି।

ଏହି ମାମଲାରେ ଡିୟୁଏସ୍‌ୟୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ୧୪୦ ପ୍ରାର୍ଥୀ ଓ ଛାତ୍ର ସଂଗଠନଗୁଡ଼ିକୁ ନୋଟିସ୍‌ ଜାରି କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ଡିୟୁଏସ୍‌ୟୁ ନିର୍ବାଚନ ଫଳ ପ୍ରକାଶ ପରେ କୌଣସି ପ୍ରକାର ବିଜୟ ଶୋଭାଯାତ୍ରା ଉପରେ ରୋକ ଲଗାଇଛନ୍ତି। ରାସ୍ତା, ବିଶ୍ୱବିଦ୍ୟାଳୟ ପରିସର କିମ୍ବା ହଷ୍ଟେଲ୍‌ରେ ମଧ୍ୟ ଏଭଳି ଶୋଭାଯାତ୍ରା ହୋଇପାରିବ ନାହିଁ। ଏହାର ପାଳନ ସୁନିଶ୍ଚିତ କରିବା ଦାୟିତ୍ୱ ଦିଲ୍ଲୀ ପୁଲିସର ବୋଲି କୋର୍ଟ କହିଛନ୍ତି। ନିର୍ଦ୍ଦେଶ ଉଲ୍ଲଂଘନ ହେଲେ ଆପରାଧିକ ଓ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ସହ ଏହା ଅଦାଲତ ଅବମାନନା ମାମଲା ମଧ୍ୟ ହୋଇପାରେ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଶୁକ୍ରବାର ଡିୟୁଏସ୍‌ୟୁର ୨୦୨୬-୨୭ ନିର୍ବାଚନ ପାଇଁ ମତଦାନ ହୋଇଛି। ଏବିଭିପି ଚାରିଟି ଯାକ କେନ୍ଦ୍ରୀୟ ପଦ ପାଇଁ ପ୍ରାର୍ଥୀ ଦେଇଛି। ଏନ୍‌ଏସ୍‌ୟୁଆଇ ସମେତ ଅନ୍ୟ ଛାତ୍ର ସଂଗଠନ ମଧ୍ୟ ନିର୍ବାଚନରେ ଭାଗ ନେଇଛନ୍ତି। ଶନିବାର ମତଗଣନା ହେବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *