UPIକୁ ନେଇ ନବୀନଙ୍କ ବୟାନ, ଛୋଟ ବ୍ୟବସାୟୀଙ୍କ ସ୍ୱାର୍ଥ ସୁରକ୍ଷିତ ରହିବା ଦରକାର
ଭୁବନେଶ୍ୱର : UPIକୁ ନେଇ ନବୀନଙ୍କ ବୟାନ । UPI ଚର୍ଚ୍ଚା ମଧ୍ୟରେ ମୁହଁ ଖୋଲିଲେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ କହିଛନ୍ତି, ସାଧାରଣ ଲୋକ ଓ ଛୋଟ ବ୍ୟବସାୟୀଙ୍କ ସ୍ୱାର୍ଥ ସୁରକ୍ଷିତ ରହିବା ଦରକାର । ଆଜି ଭୁବନେଶ୍ୱର ଫେରିବା ପରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ UPI ସମ୍ପର୍କରେ ସାମ୍ବାଦିକମାନେ ତାଙ୍କ ପ୍ରତିକ୍ରିୟା ପଚାରିଥିଲେ।
ଏହାର ଉତ୍ତରରେ ନବୀନ କହିଥିଲେ, “ସାଧାରଣ ଲୋକ ଓ ଛୋଟ ବ୍ୟବସାୟୀଙ୍କ ସ୍ୱାର୍ଥ ସୁରକ୍ଷିତ ହେବା ଉଚିତ। UPIର କିଛି ମର୍ଚ୍ଚାଣ୍ଟ କାରବାର ଉପରେ Merchant Discount Rate (MDR) ଲାଗୁ ହେବାକୁ ନେଇ ଏବେ ବ୍ୟବସାୟୀ ମହଲରେ ଚର୍ଚ୍ଚା ଜୋର ଧରିଛି। ନୂଆ ବ୍ୟବସ୍ଥାରେ ନିର୍ଦ୍ଦିଷ୍ଟ ୨,୦୦୦ରୁ ଅଧିକ person-to-merchant UPI କାରବାର ଉପରେ MDR ଲାଗିବ।
ତେବେ ସାଧାରଣ ଗ୍ରାହକଙ୍କ person-to-person UPI କାରବାର ମାଗଣା ରହିବ ଏବଂ ପ୍ରାୟ ୯୬ ପ୍ରତିଶତ merchant transaction ପ୍ରଭାବିତ ହେବ ନାହିଁ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ଅନ୍ୟପଟେ ଛୋଟ ବ୍ୟବସାୟୀଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିବା ଆଶଙ୍କା ନେଇ ବିଭିନ୍ନ ବ୍ୟବସାୟୀ ସଂଗଠନ ପ୍ରଶ୍ନ ଉଠାଇଛନ୍ତି। ଏଭଳି ସମୟରେ ନବୀନଙ୍କ ବୟାନ UPI ବ୍ୟବସ୍ଥାରେ ସାଧାରଣ ଗ୍ରାହକ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ସ୍ୱାର୍ଥ ସୁରକ୍ଷା ପ୍ରସଙ୍ଗକୁ ଗୁରୁତ୍ୱ ଦେଇଛି।
