97a8e9cc cd4f 4278 9700 ba793b4eae85 1024x682

ଅନୁଗୋଳରେ ‘ସୂର୍ଯ୍ୟବନ’ ଇକୋ-ରିସର୍ଟର ଭିତ୍ତିପ୍ରସ୍ତର ସ୍ଥାପନ

Spread the love
ସମ୍ବଲପୁର: ଅନୁଗୋଳ ମାଟି କେବଳ ଶିଳ୍ପ, କୋଇଲା କିମ୍ବା ଖଣିଜ ପଦାର୍ଥର ଜିଲ୍ଲା ନୁହେଁ, ବରଂ ଏହା ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ, ସଂସ୍କୃତି ଏବଂ ସ୍ୱାଭିମାନର ଭୂମି । ଏହି ମାଟିରେ ପର୍ଯ୍ୟଟନର ବିକାଶ ଦିଗରେ ଏକ ନୂତନ ଅଧ୍ୟାୟ ଯୋଡ଼ିହେବା ଅତ୍ୟନ୍ତ ଗର୍ବ ଓ ଆନନ୍ଦର ବିଷୟ ବୋଲି ବୁଧବାର ଅନୁଗୋଳ ଗୁରୁଧି ଠାରେ ‘ସୂର୍ଯ୍ୟବନ’ ଇକୋ-ରିସର୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ କହିଛନ୍ତି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି, ଏହି ପ୍ରକଳ୍ପ କେବଳ ଏକ ସାଧାରଣ ହୋଟେଲ୍ ନୁହେଁ, ବରଂ ଏହା ଏକ ବିଶ୍ୱସ୍ତରୀୟ ଫାଇଭ୍ ଷ୍ଟାର୍ ଇକୋ-ରିସର୍ଟ ହେବ। ଏଠାରେ କେବଳ ବ୍ୟାବସାୟିକ ଲାଭ କ୍ଷତି ଦେଖାଯାଇ ନାହିଁ, ବରଂ ସ୍ଥାନୀୟ ଅଞ୍ଚଳର ବିକାଶକୁ ପ୍ରାଥମିକତା ଦିଆଯାଇଛି। ଏହି ପ୍ରକଳ୍ପ ସାଙ୍ଗରେ ହସ୍ପିଟାଲିଟି ଇଣ୍ଡଷ୍ଟ୍ରିର ଏକ ‘ଓପନ୍ ଲାବୋରେଟୋରୀ’ ବା ପ୍ରଶିକ୍ଷଣ ପ୍ରତିଷ୍ଠାନ ମଧ୍ୟ ଗଢ଼ିଉଠିବ। ଯେଉଁଠାରୁ ସ୍ଥାନୀୟ ଯୁବକଯୁବତୀମାନେ ୨ରୁ ୫ ବର୍ଷ ପର୍ଯ୍ୟନ୍ତ ତାଲିମ ନେଇ ଦେଶ ଓ ଦୁନିଆରେ ନିଜ ଭବିଷ୍ୟତ ଗଢ଼ିପାରିବେ। ଏପରିକି ବାହାରେ କାର୍ଯ୍ୟରତ ଆମର ଓଡ଼ିଆ ପିଲାମାନେ ମଧ୍ୟ ନିଜ ମାଟିକୁ ଫେରି ଏଠାରେ ଉତ୍କୃଷ୍ଟ ଆତିଥେୟତାର ସେବା ଯୋଗାଇବାର ସୁଯୋଗ ପାଇବେ।

ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ ହେଲା ସ୍ଥାନୀୟ ଅର୍ଥନୀତିକୁ ମଜବୁତ କରିବା ଏବଂ ଗ୍ରାମାଞ୍ଚଳର ଯୁବକମାନଙ୍କୁ ରୋଜଗାର ପ୍ରଦାନ କରିବା । ଆଠମଲ୍ଲିକର ବୁଣାକାର, ଢେଙ୍କାନାଳର କାରିଗରଙ୍କ ସମେତ ସ୍ଥାନୀୟ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ବିନା ସାର ଓ କୀଟନାଶକରେ ପ୍ରସ୍ତୁତ ଅର୍ଗାନିକ୍ ପନିପରିବା, ଚାଉଳ, ଡାଲି ଏବଂ ଆମର ପାରମ୍ପରିକ ମାଣ୍ଡିଆ ଆଦି ପୌଷ୍ଟିକ ଖାଦ୍ୟ ସାମଗ୍ରୀକୁ ଏହି ହୋଟେଲର ଖାଦ୍ୟ ସାଙ୍ଗରେ ଯୋଡ଼ାଯିବ। ଦିଲ୍ଲୀ ଭଳି ବଡ଼ ସହରରେ ଆମର ପାରମ୍ପରିକ ଖଲିରେ ଖାଦ୍ୟ ପରଷିବା ଏବଂ ମାଣ୍ଡିଆକୁ ହେଲ୍‌ଦି ଫୁଡ୍ ଭାବେ ବ୍ରାଣ୍ଡିଂ କରିବା ପାଇଁ ଏହା ଏକ ବଡ଼ ପଦକ୍ଷେପ ହେବ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନୁଗୋଳ ଏବଂ ସାତକୋଶିଆ ଅଞ୍ଚଳର ଐତିହାସିକ ଓ ସାଂସ୍କୃତିକ ମହତ୍ତ୍ୱ ଅତୁଳନୀୟ । କପିଳାସ, ମା’ ହିଙ୍ଗୁଳା ପୀଠ, ତାଳଚେର ରାଜପ୍ରସାଦ ଏବଂ ପୁରୁଣାଗଡ଼ ଜଗନ୍ନାଥ ମନ୍ଦିର ଭଳି ସ୍ଥାନଗୁଡ଼ିକ ମହାନଦୀ ସଭ୍ୟତାର ମୂକସାକ୍ଷୀ । ଭାରତ ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନାରେ ସାତକୋଶିଆର ବିକାଶ ପାଇଁ ବଡ଼ ପରିମାଣର ଅର୍ଥ ବରାଦ କରାଯାଇଛି। ଜଙ୍ଗଲ, ବାଘ, କୁମ୍ଭୀର ଏବଂ ହାତୀ ଆଦି ବନ୍ୟପ୍ରାଣୀଙ୍କ ସୁରକ୍ଷା ସାଙ୍ଗକୁ ସ୍ଥାନୀୟ ଲୋକଙ୍କ ଚାଷବାସ ଓ ଜନଜୀବନକୁ ସମନ୍ୱିତ କରି କିପରି ଏକ ସୁନ୍ଦର ପରିବେଶ ସୃଷ୍ଟି ହୋଇପାରିବ, ସେନେଇ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି । ଟିକରପଡ଼ା ରାସ୍ତାର କୃଷ୍ଣଚୁଡ଼ା ଓ ହଳଦିଆ-ନାଲିଆ ଫୁଲଭରା ପ୍ରାକୃତିକ ଶୋଭା ଏକ ସ୍ୱିଜରଲ୍ୟାଣ୍ଡ୍ ଭଳି ମନମୁଗ୍ଧକର ପରିବେଶ ସୃଷ୍ଟି କରୁଛି।
ଜଙ୍ଗଲ କୋଳରେ ଏକ ଅନ୍ତର୍ଜାତୀୟ ଫାଇଭ୍ ଷ୍ଟାର୍ ଇକୋ-ରିସର୍ଟ ଏବଂ ହସ୍ପିଟାଲିଟି ଇଣ୍ଡଷ୍ଟ୍ରିର ଏକ ‘ଓପନ୍ ଲାବୋରେଟୋରୀ’ ପ୍ରତିଷ୍ଠା କରାଯାଉଛି। ଏହି ପ୍ରକଳ୍ପ କେବଳ ଏକ ବ୍ୟବସାୟିକ ପଦକ୍ଷେପ ନୁହେଁ, ବରଂ ଏହା ମହାପ୍ରଭୁ ଓ ମା’ ବୁଢ଼ୀ ଠାକୁରାଣୀଙ୍କ ଆଶୀର୍ବାଦ ଏବଂ ସମସ୍ତଙ୍କ ସହଯୋଗରେ ଏକ ଜନକଲ୍ୟାଣକାରୀ ପ୍ରକଳ୍ପ ଭାବେ ସଫଳ ହେବ । ଟିକରପଡ଼ା ରାସ୍ତାର ପ୍ରାକୃତିକ ସୌନ୍ଦର୍ଯ୍ୟ, ମହାନଦୀ ସଭ୍ୟତାର ଐତିହାସିକ ଗୌରବ ଏବଂ ଏହି ଅଞ୍ଚଳର ସାଂସ୍କୃତିକ ପରମ୍ପରାକୁ ସାଙ୍ଗରେ ନେଇ ଅନୁଗୋଳ ଜିଲ୍ଲାକୁ ଦେଶର ଏକ ପ୍ରମୁଖ ଇକୋ-ଟୁରିଜିମ୍ ହବ୍ ଭାବେ ପରିଣତ କରାଯିବ ବୋଲି ସେ କହିଛନ୍ତି ।

ଉଲ୍ଲେଖନୀୟ,ଏହା ପୂର୍ବରୁ ଶ୍ରୀ ପ୍ରଧାନ ତାଳଚେର ଠାରେ ଐତିହାସିକ ‘ପ୍ରଜାମଣ୍ଡଳ ଭବନ’କୁ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଥିଲେ । ଏହି ଅବସରରେ ମତବ୍ୟକ୍ତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷକ ଭାବେ ନିର୍ମିତ ଏହି ନୂତନ ଭବନଟି ଆମ ତାଳଚେର ସହରର ଏକ ପ୍ରମୁଖ ବୌଦ୍ଧିକ ଓ ସାଂସ୍କୃତିକ କେନ୍ଦ୍ର ଭାବେ ପରିଣତ ହେବ । ଏହି ନୂତନ ଭବନରେ ବିଭିନ୍ନ ସଭାସମିତି, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସମାଜର ବିଭିନ୍ନ ଅନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମଗୁଡ଼ିକ ସୁରୁଖୁରୁରେ ସମ୍ପାଦିତ ହୋଇପାରିବ । ଏହି ନୂତନ ଭବନର ଉପଲବ୍ଧି ଦ୍ୱାରା ସହରର ଜନସାଧାରଣ ଓ ବିଭିନ୍ନ ବର୍ଗର ଲୋକମାନେ ବହୁଳ ଭାବରେ ଉପକୃତ ହୋଇପାରିବେ ବୋଲି ସେ ଆଶାପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *