କେନ୍ଦୁଝରରେ କୃଷି, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମିର କାୟାକଳ୍ପ ପାଇଁ ୩ଟି ବୃହତ ଉଠା ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ
ଭୁବନେଶ୍ୱର: ରାଜ୍ୟର କୃଷି, ସ୍ୱାସ୍ଥ୍ୟ, ବ୍ୟାଙ୍କିଙ୍ଗ୍ ଏବଂ ଗ୍ରାମାଞ୍ଚଳର ମୌଳିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ କେନ୍ଦୁଝରରେ ଆଉ ଏକ ଐତିହାସିକ ପଦକ୍ଷେପ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲ୍ଲାର ରାଇକଳା ଗ୍ରାମପଞ୍ଚାୟତ ତଥା ସମଗ୍ର କେନ୍ଦୁଝର ଏବଂ ମୟୂରଭଞ୍ଜ କ୍ଲଷ୍ଟରକୁ ସଂଯୋଗ କରୁଥିବା ତିନୋଟି ବୃହତ ଉଠା ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ପ୍ରାୟ ୧୨୦ କୋଟି ଟଙ୍କାର ଏହି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ଅଧୀନରେ ରାଇକଳା, ସତିକୁଦର ଏବଂ ଜାରକାଣି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ କାର୍ୟ୍ୟକାରୀ ହେଉଛି, ଯାହାର କାର୍ୟ୍ୟ ୨୦୨୮ ସୁଦ୍ଧା ସମ୍ପୂର୍ଣ୍ଣ ହେବାକୁ ଲକ୍ଷ୍ୟ ରଖାଯାଇଛି। ଏହି ବୃହତ ପ୍ରକଳ୍ପଗୁଡ଼ିକ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ୪ ହଜାର ୨୮୦ ହେକ୍ଟର ଶୁଷ୍କ ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇବ। ଏହାଦ୍ୱାରା କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ଓ କେନ୍ଦୁଝର ବ୍ଲକର ଅନେକ ଗ୍ରାମ ସହିତ ମୟୂରଭଞ୍ଜ ଜିଲ୍ଲାର ଜାରକାଣୀ ଅଞ୍ଚଳ ପ୍ରତ୍ୟକ୍ଷ ଭାବେ ଉପକୃତ ହେବେ। ଏହି ପ୍ରକଳ୍ପ କେବଳ ପାଣି ପାଇପ୍ର ସଂଯୋଗ ନୁହେଁ, ଏହା ହେଉଛି ଆମର ଶୁଷ୍କ ମାଟିରେ ସୁନା ଫଳାଇବାର ଏକ ବୈପ୍ଳବିକ ପଦକ୍ଷେପ। ଏଥର ଚାଷୀମାନେ ବର୍ଷକୁ ଗୋଟିଏ ଫସଲ ବଦଳରେ ଦୁଇରୁ ତିନୋଟି ଫସଲ ଅମଳ କରିବେ ଏବଂ ସେମାନଙ୍କ ଆୟରେ ଆଖିଦୃଶିଆ ବୃଦ୍ଧି ହେବ। ଚଳିତ ବର୍ଷ ବଜେଟରେ ବିଭିନ୍ନ ଜଳସେଚନ ପ୍ରକଳ୍ପ ପାଇଁ ୧୪ ହଜାର ୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ପ୍ରାୟ ୮୦ ହଜାର ହେକ୍ଟର କମାଣ୍ଡ ଏରିଆକୁ ଉନ୍ନତ ଜଳସେଚନ ସୁବିଧା ମିଳିଛି। ଆନନ୍ଦପୁର ବ୍ୟାରେଜ୍, ଲୋୟର ସୁକତେଲ ଓ କୁସୁମୀ ବ୍ୟାରେଜ୍ ଅଧୀନରେ ଅଣ୍ଡରଗ୍ରାଉଣ୍ଡ ପାଇପ୍ ଲାଇନ୍ର ବ୍ୟବସ୍ଥା କରାଯାଉଛି। ଏତଦ୍ବ୍ୟତୀତ ରାଜ୍ୟରେ ୬୫୬ଟି ନୂଆ ଚେକ୍ଡ୍ୟାମ୍ ନିର୍ମାଣ ଏବଂ ୧ ହଜାର ୨୨ଟି ପୁରୁଣା ଚେକ୍ଡ୍ୟାମ୍ର ନବୀକରଣ କରାଯାଇଛି। ଆସନ୍ତା ପାଞ୍ଚ ବର୍ଷରେ ୧୫ ଲକ୍ଷ ହେକ୍ଟର ଜମିକୁ ପାଣି ଯୋଗାଇଦେବା ପାଇଁ ବ୍ୟବସ୍ଥା କରୁଛନ୍ତି ।
ସ୍ୱାସ୍ଥ୍ୟ ଏବଂ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ପ୍ରକଳ୍ପର ଶୁଭାରମ୍ଭ
ଝୁମ୍ପୁରା ଠାରେ ୧୭ କୋଟି ୯୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଝୁମ୍ପୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସିଏଚସିର ଶୁଭ ଉଦ୍ଘାଟନ କରିଛନ୍ତି, ଯାହାଦ୍ୱାରା ଗ୍ରାମାଞ୍ଚଳର ଆଦିବାସୀ ଓ ଚାଷୀ ଭାଇ ଭଉଣୀମାନେ ଉନ୍ନତ ଚିକିତ୍ସା ସେବା ନିଜ ଘର ପାଖରେ ପାଇପାରିବେ। ଏହାସହିତ ରାଇକଳାଠାରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ ନୂତନ ଶାଖାର ଉଦ୍ଘାଟନ କରାଯାଇଛି, ଯାହା ସ୍ଥାନୀୟ ଚାଷୀ ଓ ବ୍ୟବସାୟୀଙ୍କୁ ସରକାରୀ ଋଣ ଏବଂ ବ୍ୟାଙ୍କିଙ୍ଗ୍ ସେବା ପାଇବାରେ ବିଶେଷ ସହାୟକ ହେବ।
