ଅତିଥି ପ୍ରଶିକ୍ଷକଙ୍କଠାରୁ ଲାଞ୍ଚ ନେଇ ବନ୍ଧା ହେଲେ ବଲାଙ୍ଗିର ସରକାରୀ ଆଇଟିଆଇ ଅଧ୍ୟକ୍ଷ
ବଲାଙ୍ଗିର : ଅତିଥି ପ୍ରଶିକ୍ଷକଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ବଲାଙ୍ଗିର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର (ଆଇଟିଆଇ) ଅଧ୍ୟକ୍ଷ ସୁରେଶ କୁମାର ଦଳବେହେରା ଦୁର୍ନୀତି ନିବାରଣ ବିଭାଗ ହାତରେ ଧରାପଡ଼ିଛନ୍ତି । ଆଜି ସଂଧ୍ୟା ପ୍ରାୟ ୫ଟାରେ ବଲାଙ୍ଗିର ରେଳ ଷ୍ଟେସନ ବାଇକ ପାର୍କିଂ ନିକଟରେ ଜଣେ ଅତିଥି ପ୍ରଶିକ୍ଷକଙ୍କ ଠାରୁ ସେ ଟଙ୍କା ନେବାବେଳେ ଦୁର୍ନୀତି ନିବାରଣ ବିଭାଗ ଅଧିକାରୀ ଶ୍ରୀ ଦଳବେହେରାଙ୍କୁ ଗିରଫ କରିଛନ୍ତି। ପ୍ରକାଶ ଯେ, ବଲାଙ୍ଗିର ସରକାରୀ ଆଇଟିଆଇରେ କାର୍ଯ୍ୟରତ୯ଜଣ ଅତିଥି ପ୍ରଶିକ୍ଷକଙ୍କ ଚାକିରି ଅବ୍ୟାହତ ରଖିବା ଓ ନିୟମିତ ଦରମା ପ୍ରଦାନ କରିବାକୁ ସେ ସମୁଦାୟ ୧ ଲକ୍ଷ ୧୫ ହଜାର ଟଙ୍କା ଉତ୍କୋଚ ଦାବି କରିଥିଲେ । ଦାବି ମୁତାବକ ଟଙ୍କା ଦିଆ ନ ଗଲେ ଚାକିରିରୁ ଛଟେଇ କରିଦେବାକୁ ଧମକ ଦେଇଥିଲେ। ଅନ୍ୟ ଉପାୟ ନ ପାଇ ଅତିଥି ଅଧ୍ୟାପକବୃନ୍ଦ ଦୁର୍ନୀତି ନିବାରଣ ବିଭାଗର ଦ୍ବାରସ୍ଥ ହୋଇଥିଲେ। ଦାବି ଟଙ୍କାର କିସ୍ତି ଆକାରରେ ଆଜି ସଂଧ୍ୟାରେ ବଲାଙ୍ଗିର ରେଳ ଷ୍ଟେସନ ବାଇକ ପାର୍କିଂ ନିକଟରେ ଶ୍ରୀ ଦଳବେହେରା ଜଣେ ଅତିଥି ପ୍ରଶିକ୍ଷକଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଦୁର୍ନିୀତି ନିବାରଣ ବିଭାଗ ଅଧିକାରୀ ତାଙ୍କୁ କାବୁ କରିବା ସହ ତାଙ୍କପାଖରୁ ରସାୟନିକ ପ୍ରଲେପ ବୋଳା ୩୦ ହଜାର ଟଙ୍କା ଉଦ୍ଧାର କରିଥିଲେ। ଲାଞ୍ଚ ନେବା ଅଭିଯୋଗରେ ଦୁର୍ନୀତି ନିବାରଣ ବିଭାଗ ହାତରେ ଗିରଫ ହେବାପରେ ଶ୍ରୀ ଦଳବେହେରାଙ୍କ ବଲାଙ୍ଗିର ସରକାରୀ ଆଇଟିଆଇ ପରିସର ସ୍ଥିତ ସରକାରୀ ବାସଭବନ, ରାଉରକେଲା ସ୍ଥିତ ବାସଭବନ ଓ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ସ୍ଥିତ ପୈତୃକ ବାସଭବନ ଆଦି ତିନୋଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଉଛି । ଥିଗିରଫ ଆଇଟିଆଇ ଅଧ୍ୟକ୍ଷ ଶ୍ରୀ ଦଳବେହେରାଙ୍କୁ ବଲାଙ୍ଗିର ଦୁର୍ନୀତି ନିବାରଣ କାର୍ଯ୍ୟାଳୟରେ ରଖାଯାଇ ପଚରାଉଚୁରା କରାଯାଉଥିବା ନେଇ ବଲାଙ୍ଗିର ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ଡିଏସ୍ପି ପୌଲସ୍ତି ଛତ୍ରିଆ ସୂଚନା ଦେଇଛନ୍ତି।
