Screenshot 2026 04 23 125051 750x430

୨୦୨୭ ଶିକ୍ଷାବର୍ଷ ପାଇଁ ଦଶମ ଓ ଦ୍ବାଦଶ ପରୀକ୍ଷା ନେଇ ତାରିଖ ଘୋଷଣା କଲା ସିବିଏସଇ

Spread the love

ନୂଆଦିଲ୍ଲୀ: ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ନେଇ ଆସିଲା ବଡ଼ ଖବର। ୨୦୨୭ ଶିକ୍ଷାବର୍ଷ ପାଇଁ ବୋର୍ଡ ପରୀକ୍ଷାର ତାରିଖ ଘୋଷଣା କରିଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)। ଘୋଷିତ ସୂଚୀ ଅନୁଯାୟୀ, ଆସନ୍ତା ବର୍ଷ ଫେବ୍ରୁଆରୀ ୧୬ ତାରିଖରୁ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ଆରମ୍ଭ ହେବ। ସମସ୍ତ ପରୀକ୍ଷା ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ରେ ଆରମ୍ଭ ହେବ।

ପରୀକ୍ଷା ଆରମ୍ଭ ହେବାର ୧୦୧ ଦିନ ପୂର୍ବରୁ ସିବିଏସଇ ପକ୍ଷରୁ ଡେଟ୍‌ସିଟ୍‌ ପ୍ରକାଶ କରାଯାଇଛି। ନଭେମ୍ବର ୬ ତାରିଖରେ ଜାରି ବିଜ୍ଞପ୍ତି ଅନୁସାରେ, ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ୮୩ଟି ବିଷୟରେ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷାର୍ଥୀ ୧୨୧ଟି ବିଷୟରେ ପରୀକ୍ଷା ଦେବେ।ଡେଟ୍‌ସିଟ୍‌ ପ୍ରସ୍ତୁତି ସମୟରେ ବୋର୍ଡ ପକ୍ଷରୁ ଅନେକ ଦିଗକୁ ଗୁରୁତ୍ୱ ଦିଆଯାଇଛି। ଗୋଟିଏ ପରୀକ୍ଷା ଓ ଅନ୍ୟ ପରୀକ୍ଷା ମଧ୍ୟରେ ଯଥେଷ୍ଟ ବ୍ୟବଧାନ ରଖାଯାଇଥିବା ବେଳେ ନିଟ୍ ସମେତ ଅନ୍ୟ ପ୍ରମୁଖ ପ୍ରବେଶିକା ପରୀକ୍ଷାର ସମୟସୂଚୀକୁ ମଧ୍ୟ ବିଚାରକୁ ନିଆଯାଇଛି।

ବିଶେଷ କଥା ହେଉଛି, ୪୦ ହଜାରରୁ ଅଧିକ ବିଷୟ ସମ୍ମିଶ୍ରଣକୁ ଯାଞ୍ଚ କରି ଏହି ସମୟସୂଚୀ ପ୍ରସ୍ତୁତ କରାଯାଇଛି। ଯାହାଦ୍ୱାରା ଜଣେ ଛାତ୍ରଛାତ୍ରୀଙ୍କ ଦୁଇଟି ବିଷୟର ପରୀକ୍ଷା ଗୋଟିଏ ଦିନରେ ପଡ଼ିବ ନାହିଁ। ଏହାସହ ସ୍କୁଲରେ ନିୟମିତ ପାଠପଢ଼ା ଯେପରି ବାଧାପ୍ରାପ୍ତ ନହୁଏ ଏବଂ ମୂଲ୍ୟାୟନ ପ୍ରକ୍ରିୟା ସମୟରେ ଛାତ୍ରଛାତ୍ରୀଙ୍କୁ ଦୀର୍ଘ ସମୟ ଧରି ସ୍କୁଲରୁ ଦୂରେଇ ରହିବାକୁ ନପଡ଼େ, ସେଥିପ୍ରତି ମଧ୍ୟ ବୋର୍ଡ ଧ୍ୟାନ ଦେଇଛି।ତେବେ ଦଶମ ଓ ଦ୍ୱାଦଶ ଶ୍ରେଣୀର କେଉଁ ବିଷୟର ପରୀକ୍ଷା କେଉଁ ଦିନ ହେବ, ସେନେଇ ସମ୍ପୂର୍ଣ୍ଣ ତଥ୍ୟ ପାଇଁ ଛାତ୍ରଛାତ୍ରୀ ସିବିଏସଇର ଅଫିସିଆଲ୍‌ ୱେବସାଇଟ୍‌ରେ ପ୍ରକାଶିତ ଡେଟ୍‌ସିଟ୍‌ ଯାଞ୍ଚ କରିପାରିବେ।

Leave a Reply

Your email address will not be published. Required fields are marked *