Vigilance

ବାର୍ଦ୍ଧକ୍ୟଭତ୍ତା ହଡ଼ପ ଅଭିଯୋଗରେ ପିଇଓଙ୍କୁ ଜେଲ

Spread the love

ଭବାନୀପାଟଣା: ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ହେରଫେର କରିବା ଜଣେ ପିଇଓ ଙ୍କୁ ମହଙ୍ଗା ପଡ଼ିଲା। ସେହି କାରଣରୁ ଆଜି ଗୋଲାମୁଣ୍ଡା ବ୍ଲକ୍ ଚହକା ପଂଚାୟତ ପିଇଓ ଗିରୀଶ ଚନ୍ଦ୍ର ଶବରଙ୍କୁ ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ଦୋଷୀ ସାବ୍ୟସ୍ତ କରିଛନ୍ତି। ଶ୍ରୀ ଶବର ଙ୍କୁ ୪ ବର୍ଷ କାରାଦଣ୍ଡ ସାଙ୍ଗକୁ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଫଳରେ ତାଙ୍କୁ ଜେଲ ହାଜତକୁ ଯିବାକୁ ପଡ଼ିଛି।

ସୂଚନା ଅନୁଯାୟୀ ପୂର୍ବରୁ ଗିରୀଶ ଚନ୍ଦ୍ର ଶବର କେସିଙ୍ଗା ବ୍ଲକ୍‌ ର ସିରୋଲ ଓ ଗୋକୁଳେଶ୍ୱର ପଞ୍ଚାୟତର ପିଇଓ ଦାୟିତ୍ୱରେ ଥିଲେ। ସେହି ସମୟରେ ବାର୍ଦ୍ଧକ୍ୟ ଭତ୍ତା ଅନୁଦାନ ର ପ୍ରାୟ ୨ ଲକ୍ଷ ୨୨ ହଜାର ଟଙ୍କାର ଆର୍ଥିକ ଅନିୟମିତତା ଧରା ପଡ଼ିଥିଲା। ଏସଂକ୍ରାନ୍ତରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଦୁର୍ନୀତି ନିବାରଣ ଆଇନ ଏବଂ ଆଇପିସିର ୪୦୯ ଦଫା ରେ ମାମଲା ରୁଜୁ କରାଯାଇ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି କଳାହାଣ୍ଡି ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଶ୍ରୀ ଶବରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୪ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ଏଥିସହିତ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। କୋର୍ଟ ଙ୍କ ରାୟ ପ୍ରକାଶ ପରେ ଶ୍ରୀ ଶବର ଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ବିଭାଗୀୟ ଉପରିସ୍ଥ ଅଧିକାରୀ ଙ୍କୁ ସୁପାରିସ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଅସହାୟ ବୃଦ୍ଧବୃଦ୍ଧା ଙ୍କ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ହଡ଼ପ ଘଟଣାକୁ କୋର୍ଟ ଗୁରୁତ୍ୱର ସହିତ ନେଇଛନ୍ତି। କୋର୍ଟଙ୍କ ଏପ୍ରକାର ରାୟ ବିଭିନ୍ନ ମହଲରେ ଆନନ୍ଦ ପ୍ରକାଶ ପାଇଛି। ତେବେ ପୂର୍ବରୁ ଉତ୍କେଲା ପଞ୍ଚାୟତର ବାର୍ଦ୍ଧକ୍ୟ ଭତ୍ତା ହେରଫେର କରିଥିବା ତତ୍କାଳୀନ ପିଇଓ ଙ୍କ ବିରୁଦ୍ଧରେ ଆଖିଦୃଶିଆ କାର୍ଯ୍ୟନୁଷ୍ଠାନ ନିଆଯିବାକୁ ଭିଜିଲାନ୍ସ ନିକଟରେ ଲୋକେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *