Image 2026 11 05T151302.012

CDOଙ୍କୁ ହତ୍ୟା ଧମକ ଅଭିଯୋଗ, ଆସିକା ବିଧାୟକଙ୍କ ନାଁରେ ମାମଲା

Spread the love

ଭୁବନେଶ୍ୱର: ଗଞ୍ଜାମ ସିଡିଓଙ୍କୁ ହତ୍ୟା ଧମକ । ଆସିକା ବିଧାୟକଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ। ବିଧାୟକ ସରୋଜ ପାଢ଼ୀଙ୍କ ନାଁରେ ଆସିଛି ଅଭିଯୋଗ। ଜୀବନରୁ ମାରିଦେବାକୁ ଧମକ ଦେଇଥିବା ନେଇ ଥାନାର ଦ୍ୱାରସ୍ଥ ହେଲେ ଗଞ୍ଜାମ ଜିଲ୍ଲା ପରିଷଦ ସିଡିଓ । ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସମୀର କୁମାର ଜେନା ବିଧାୟକଙ୍କ ବିରୋଧରେ ଦୁର୍ବ୍ୟବହାର, ଅଶାଳୀନ ଭାଷା ପ୍ରୟୋଗ, ଜୀବନରୁ ମାରିଦେବାକୁ ଧମକ ଏବଂ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ଅଭିଯୋଗ ଆଣିଛନ୍ତି । ଏନେଇ ସେ ଆସିକା ଥାନା ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ନଭେମ୍ବର ୩ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ଆସିକା ପୌରପାଳିକାର ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏହି ଘଟଣା ଘଟିଥିଲା । ସେହି ସମୟରେ ସିଡିଓ ସମୀର କୁମାର ଜେନା ପୌରପାଳିକା ଅଧ୍ୟକ୍ଷଙ୍କ ସହ ଆଲୋଚନା କରୁଥିଲେ। ଏହି ସମୟରେ ବିଧାୟକ ସରୋଜ ପାଢ଼ୀ ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ସହ ପ୍ରକୋଷ୍ଠକୁ ଆସି ଅନ୍ୟମାନଙ୍କୁ ବାହାରକୁ ଯିବାକୁ କହିଥିଲେ ଏବଂ ରିଲିଫ୍ ସାମଗ୍ରୀ ବଣ୍ଟନ ପ୍ରସଙ୍ଗରେ ତାଙ୍କ ଉପରେ ପାଟି କରିଥିବା ସମୀର ଜେନା ଅଭିଯୋଗ କରିଛନ୍ତି। ତାଙ୍କ କହିବା ଅନୁସାରେ, ସମ୍ପୃକ୍ତ ରିଲିଫ୍ ସାମଗ୍ରୀ ଇସ୍ପାତ ଓ ଖଣି ମନ୍ତ୍ରୀଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ମନ୍ତ୍ରୀଙ୍କ ଟେଲିଫୋନ୍ ନିର୍ଦ୍ଦେଶ ଅନୁସାରେ ସେ ଏହାକୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିଥିଲେ। କିନ୍ତୁ ଏହି ସ୍ପଷ୍ଟୀକରଣ ଶୁଣିବା ପରେ ବିଧାୟକ ଅଧିକ ଉତ୍ କ୍ଷିପ୍ତ ହୋଇଥିବା ସେ ଦାବି କରିଛନ୍ତି ।

‘ଆସିକାରେ ମୁଁ ହିଁ ମନ୍ତ୍ରୀ, ମୋ ଇଚ୍ଛା ବିନା ଏଠି କିଛି ହୁଏନାହିଁ’ ବୋଲି ବିଧାୟକ କହିଥିବା ସମୀର ଜେନା ନିଜ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଏହାପରେ ଜେନା ବିଧାୟକଙ୍କୁ ସମୀର କହିଥିଲେ , ମନ୍ତ୍ରୀଙ୍କ ସହ କୌଣସି ମତଭେଦ ଥିଲେ ସେ ସିଧାସଳଖ ତାଙ୍କ ସହ ଆଲୋଚନା କରି ସମାଧାନ କରନ୍ତୁ। ଜଣେ ସରକାରୀ ଅଧିକାରୀ ଭାବେ ସେ କେବଳ ମିଳିଥିବା ନିର୍ଦ୍ଦେଶ ପାଳନ କରିଛନ୍ତି। ତେବେ ଏହାପରେ ମଧ୍ୟ ବିଧାୟକ ତାଙ୍କ ଉପରେ ପାଟି କରିବା ସହ ଗତ ୪ରୁ ୫ ଦିନ ଧରି ସେ ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗ କରିଥିଲେ ବୋଲି ସମୀର ଜେନା ଦର୍ଶାଇଛନ୍ତି। ଅଭିଯୋଗରେ ସେ ଆହୁରି ଉଲ୍ଲେଖ ରହିଛି ଯେ, ବିଧାୟକ ତାଙ୍କୁ ଧକ୍କା ଦେଇ କାର୍ଯ୍ୟାଳୟରୁ ବାହାର କରିଦେବାକୁ ଧମକ ଦେଇଥିଲେ। ‘ଦରକାର ପଡ଼ିଲେ ତୋତେ ମାରି ଏଠି ମାଟିରେ ମିଶାଇଦେବି। ତୋର ଅବସ୍ଥା କ’ଣ କରିବି, ତୁ ନିଜେ ବି ଭାବିପାରିବୁନି’ ବୋଲି ବିଧାୟକ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି।

କେବଳ ସେତିକି ନୁହେଁ, ବିଧାୟକ ତାଙ୍କ ଆଡ଼କୁ ହାତ ଉଠାଇବା ସହ ଅଶାଳୀନ ଭାଷା ପ୍ରୟୋଗ କରିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ପରିସ୍ଥିତିକୁ ଦେଖି ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ବା ପିଏସ୍ ଓ ସେଠାରୁ ଚାଲିଯିବାକୁ ପରାମର୍ଶ ଦେଇଥିଲେ। ଏହାପରେ ସେ କାର୍ଯ୍ୟାଳୟ ଛାଡ଼ିଥିଲେ। ସିସିଟିଭିରେ ପୂରା ଘଟଣା କଏଦ ହୋଇଥିବା ସମୀର ଦାବି କରିଛନ୍ତି । ତେଣୁ ଏହି ଫୁଟେଜ୍ ଯାଞ୍ଚ କରାଗଲେ ପ୍ରକୃତ ଘଟଣା ସ୍ପଷ୍ଟ ହୋଇପାରିବ। ଏଭଳି ଘଟଣା ତାଙ୍କୁ ମାନସିକ ଭାବେ ଗଭୀର ଆଘାତ ଦେଇଥିବା ଏବଂ ନିଜ ସୁରକ୍ଷାକୁ ନେଇ ସେ ଚିନ୍ତିତ ଥିବା ଦର୍ଶାଇଛନ୍ତି। ଏହା ସହିତ ବିଧାୟକଙ୍କ ବିରୋଧରେ ଆଇନ ଅନୁସାରେ ପଦକ୍ଷେପ ନେବା, ତାଙ୍କ ଜୀବନର ସୁରକ୍ଷା ସୁନିଶ୍ଚିତ କରିବା ଏବଂ ନ୍ୟାୟ ପ୍ରଦାନ କରିବାକୁ ସେ ପୋଲିସକୁ ଅନୁରୋଧ କରିଛନ୍ତି। ତେବେ ଏହି ସମସ୍ତ ଅଭିଯୋଗ ସମ୍ପର୍କରେ ବିଧାୟକ ସରୋଜ ପାଢ଼ୀଙ୍କ ପ୍ରତିକ୍ରିୟା ମିଳିନାହିଁ। ଅଭିଯୋଗର ସତ୍ୟାସତ୍ୟ ଓ ପୋଲିସ ପଦକ୍ଷେପ ସମ୍ପର୍କରେ ମଧ୍ୟ ସ୍ପଷ୍ଟ ସୂଚନା ଉପଲବ୍ଧ ନାହିଁ।

Leave a Reply

Your email address will not be published. Required fields are marked *