1793887222 Puri

ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଅବାଧରେ ନିର୍ବାଚିତ ହେଲେ ହରଦୀପ ପୁରୀ

Spread the love

ଭୋପାଲ: କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏବେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରିବେ। ବିଜେପି କେନ୍ଦ୍ରମନ୍ତ୍ରୀ ଏଲ. ମୁରୁଗନ ଇସ୍ତଫା ଦେବା ଯୋଗୁ ଖାଲିପଡିଥିବା ଆସନରେ ହୋଇଥିବା ଉପନିର୍ବାଚନରେ ପୁରୀଙ୍କୁ ପ୍ରାର୍ଥୀ କରିଥିଲା। ଏହି ନିର୍ବାଚନରେ ଗୁରୁବାର ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଥିବା ବେଳେ ପୁରୀଙ୍କ ବ୍ୟତୀତ ଅନ୍ୟ କାହାର ପ୍ରାର୍ଥୀପତ୍ର କାଏମ ହୋଇ ନଥିଲା। ଏଣୁ ଅପରାହ୍ନ ୩ଟା ପରେ ହରଦୀପ ସିଂହ ପୁରୀଙ୍କୁ ନିର୍ବିରୋଧ ନିର୍ବାଚିତ ଘୋଷଣା କରାଯାଇଛି। ପୁରୀଙ୍କ ଦ୍ୱାରା ଅଧିକୃତ ବିଜେପି ରାଜ୍ୟ ସଭାପତି ତଥା ବିଧାୟକ ହେମନ୍ତ ଖଣ୍ଡେଲୱାଲଙ୍କୁ ରିଟର୍ଣ୍ଣିଂ ଅଫିସର ନିର୍ବାଚନ ପ୍ରମାଣପତ୍ର ପ୍ରଦାନ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଏହି ଉପ ନିର୍ବାଚନରେ ହରଦୀପ ସିଂହ ପୁରୀଙ୍କ ବ୍ୟତୀତ ୨ ଜଣ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏଥିରେ କଂଗ୍ରେସ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ରାଜକୁମାର ଲୋହାନୀଙ୍କ ପ୍ରାର୍ଥୀପତ୍ର ସହ ଆଫିଡେଭିଟ ଜମା କରିନଥିବାରୁ ଓ କାନ୍ତେ ସାୟନ୍ନାଙ୍କୁ ପ୍ରସ୍ତାବକ ନ ମିଳିବାରୁ ସେମାନଙ୍କ ପ୍ରାର୍ଥୀପତ୍ର ଖାରଜ ହୋଇଯାଇଥିଲା। ଏଣୁ ପୁରୀ ନିର୍ବିରୋଧ ନିର୍ବାଚିତ ହେବା ଲାଗି ରାସ୍ତା ସଫା ହୋଇଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ପୁରୀ ଏବେ ଉତ୍ତରପ୍ରଦେଶରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଛନ୍ତି। ତାଙ୍କ କାର୍ଯ୍ୟକାଳ ୨୫ ନଭେମ୍ବର ୨୦୨୬ରେ ସମାପ୍ତ ହେବ।

ଏଥର ପାର୍ଟି ତାଙ୍କୁ ଉତ୍ତରପ୍ରଦେଶ ବଦଳେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ପ୍ରାର୍ଥୀ କରିଥିଲା। ତାଙ୍କ କାର୍ଯ୍ୟକାଳ ଏପ୍ରିଲ ୨୦୩୦ ପର୍ଯ୍ୟନ୍ତ ରହିବ। ତେବେ ପୁରୀଙ୍କ ରାଜ୍ୟସଭା କାର୍ଯ୍ୟକାଳ ପୁରା ହେଉଥିବା ବେଳେ ତାଙ୍କୁ ଦ୍ୱିତୀୟ ବାର ଉତ୍ତରପ୍ରଦେଶରୁ ପ୍ରାର୍ଥୀ କରାଯାଇ ନଥିଲା। ଏଣୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ପରିବର୍ତ୍ତନର ଆଶଙ୍କା କରାଯାଉଥିଲା। ତେବେ ପୁରୀ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରିବା ଯୋଗୁ ଏହି ଆଶଙ୍କା ଏବେ ଟଳି ଯାଇଛି।

Leave a Reply

Your email address will not be published. Required fields are marked *