05bbs 91 05112026 112 2026 11 05 21 29

ଡିସେମ୍ବରରେ ବାଂଲାଦେଶ ଫେରିବେ ଶେଖ୍‌ ହସିନା

Spread the love

ନୂଆଦିଲ୍ଲୀ: ସବୁ ପ୍ରତିକୂଳ ପରିସ୍ଥିତି ଓ ବିପଦକୁ ଖାତିର ନକରି ଆସନ୍ତା ଡିସେମ୍ବରରେ ବାଂଲାଦେଶ ଫେରିବେ ବୋଲି ପୁଣିଥରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କ୍ଷମତାଚ୍ୟୁତ  ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା। ଏପରିକି ନିଜ ଦେଶକୁ ଫେରିବା ପରେ ଗିରଫ, କାରାବାସ କିମ୍ବା ଅନ୍ୟ ଗୁରୁତର ପରିଣାମର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ସେ ଜାଣିଛନ୍ତି। ତଥାପି ନିଜ ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ ହୋଇନଥିବା ସେ କହିଛନ୍ତି। ଆମେରିକାର ଖବର ସରବରାହ ସଂସ୍ଥା ଆସୋସିଏଟେଡ୍‌ ପ୍ରେସ୍‌ (ଏପି)କୁ ଇ-ମେଲ୍‌ ମାଧ୍ୟମରେ ଦେଇଥିବା ଉତ୍ତରରେ ହସିନା ଏହା କହିଛନ୍ତି।

ହସିନା କହିଛନ୍ତି, ନିଜ ଦେଶର ମାଟିରେ ନିଜ ଲୋକଙ୍କ ମଧ୍ୟରେ ମୃତ୍ୟୁତୁ ସାମ୍ନା କରିବାକୁ ସେ ପସନ୍ଦ କରିବେ। ଦୂରରେ ରହି ଦେଶବାସୀଙ୍କ ଦୁର୍ଦ୍ଦଶା ଦେଖି ଜୀବନ ବିତାଇବାକୁ ସେ ଚାହାନ୍ତି ନାହିଁ। ଭାରତରୁ କିପରି ବାଂଲାଦେଶ ଫେରିବେ, ସେ ସମ୍ପର୍କରେ ସେ କିଛି ସ୍ପଷ୍ଟ କରିନାହାନ୍ତି। ତେବେ ଦେଶରେ ପହଞ୍ଚିବା ମାତ୍ରେ ଗିରଫ ହେବାର ଆଶଙ୍କା ରହିଛି।

ଆୱାମୀ ଲିଗ୍‌ ଉପରେ କଟକଣାକୁ ନେଇ ଉଦ୍‌ବେଗ
ହସିନା କ୍ଷମତାଚ୍ୟୁତ ହେବା ପରେ ନୋବେଲ୍‌ ଶାନ୍ତି ବିଜେତା ମହମ୍ମଦ ୟୁନୁସ୍‌ ଅନ୍ତରୀଣ ସରକାରର ନେତୃତ୍ବ ନେଇଥିଲେ। ତାଙ୍କ ଶାସନ ସମୟରେ ହୋଇଥିବା ନିର୍ବାଚନରେ ହସିନାଙ୍କ ଦଳ ଆୱାମୀ ଲିଗ୍‌କୁ ଭାଗ ନେବାକୁ ଅନୁମତି ମିଳିନଥିଲା। ଫେବ୍ରୁଆରିରେ ଅନୁଷ୍ଠିତ ନିର୍ବାଚନରେ ହସିନାଙ୍କ ଦୀର୍ଘଦିନର ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଖାଲେଦା ଜିଆଙ୍କ ପୁଅ ତାରିକ୍‌ ରହମାନ ବିପୁଳ ବିଜୟ ହାସଲ କରି କ୍ଷମତାକୁ ଆସିଥିଲେ। ବର୍ତ୍ତମାନ ଆୱାମୀ ଲିଗ୍‌ ଉପରେ କଟକଣା ଜାରି ରହିଥିବା ବେଳେ ଦଳର ବହୁ ବରିଷ୍ଠ ନେତା ଗିରଫ ହୋଇଛନ୍ତି କିମ୍ବା ଦେଶ ଛାଡ଼ିଛନ୍ତି।

୨୦୨୪ ଅଗଷ୍ଟ ପରଠାରୁ ଦଳର ଅତିକମ୍‌ରେ ୨୦ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ଏବଂ ହଜାର ହଜାର ସମର୍ଥକ ଗିରଫ, ନିର୍ଯାତିତ ହୋଇଥିବା କିମ୍ବା ଓ ଆତ୍ମଗୋପନ କରିଥିବା ହସିନା ଅଭିଯୋଗ କରିଛନ୍ତି। ଦଳକୁ ଯୋଜନାବଦ୍ଧ ଭାବେ ଦମନ କରାଯାଉଥିବା ସେ କହିଛନ୍ତି। ଭାରତ ଓ ଆମେରିକା ତାଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ବାଂଲାଦେଶ ଉପରେ ଚାପ ପକାନ୍ତୁ ବୋଲି ସେ ଚାହାନ୍ତି କି ବୋଲି ପ୍ରଶ୍ନରେ ହସିନା କହିଛନ୍ତି, ନିଜ ଦେଶକୁ ଫେରିବା ପାଇଁ କୌଣସି ବିଦେଶୀ ଶକ୍ତିର ସମର୍ଥନ ଆବଶ୍ୟକ ନାହିଁ। ଏଥିସହ ବାଂଲାଦେଶରେ କଠୋରପନ୍ଥୀ ଗୋଷ୍ଠୀଙ୍କ ପ୍ରଭାବ ବଢ଼ୁଥିବା ନେଇ ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଦେଶରେ ଆଇନଶୃଙ୍ଖଳା ଓ ନାଗରିକ ଅଧିକାରର ସ୍ଥିତିକୁ ନେଇ ବିଭିନ୍ନ ମାନବାଧିକାର ସଂଗଠନ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *