Hs5pfv7bcaevges 1024x576

ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା; ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

Spread the love

ଭୁବନେଶ୍ୱର: ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ଜାରି ରହିଥିବା ବର୍ଷା ଓ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଓ ଧନଜୀବନ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ କରି ସ୍ଥିତି ସମୀକ୍ଷା କରିଛନ୍ତି।  ସମସ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ସର୍ବୋଚ୍ଚ ସ୍ତରର ସଜାଗ ରହିବା ସହ ଲୋକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ୩୩ଟି ଓଡ୍ରାଫ୍‌ ଟିମ୍‌ ମୁତୟନ କରାଯାଇଥିବା ବେଳେ NDRF ଓ ଅଗ୍ନିଶମ ବାହିନୀକୁ ମଧ୍ୟ ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି।

ଜରୁରୀ ପରିସ୍ଥିତି ପାଇଁ ଛତ୍ରପୁରରେ ଆଉ ୯ଟି ଟିମ୍‌ ରିଜର୍ଭ ରଖାଯାଇଛି। ଜିଲ୍ଲା ଓ ବ୍ଲକ୍‌ ସ୍ତରର କଣ୍ଟ୍ରୋଲ୍‌ ରୁମ୍‌ଗୁଡ଼ିକୁ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ କରାଯାଇଛି।ବର୍ଷାରେ ଅଧିକ ପ୍ରଭାବିତ ହୋଇପାରୁଥିବା ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରାଯାଇଛି। ଆବଶ୍ୟକ ସ୍ଥଳରେ ଲୋକଙ୍କୁ ଆଶ୍ରୟ ଦେବା ପାଇଁ ଆଶ୍ରୟସ୍ଥଳ ପ୍ରସ୍ତୁତ ରଖାଯାଇଛି। ସେଠାରେ ଶୁଖିଲା ଖାଦ୍ୟ, ଶିଶୁ ଖାଦ୍ୟ, ଔଷଧ ଓ ପାନୀୟ ଜଳ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖାଯାଇଛି।ଅନ୍ୟପକ୍ଷରେ ସମୁଦ୍ର ଅଶାନ୍ତ ରହିଥିବାରୁ ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ସତର୍କ କରାଯାଇଛି। ନଦୀ ଓ ପ୍ରମୁଖ ଜଳାଶୟଗୁଡ଼ିକର ଜଳସ୍ତର ଉପରେ ମଧ୍ୟ ନିରନ୍ତର ନଜର ରହିଛି। ସହରାଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିଲେ ତୁରନ୍ତ ଜଳ ନିଷ୍କାସନ ପାଇଁ ଡି-ୱାଟରିଂ ପମ୍ପ ମୁତୟନ କରାଯାଇଛି।ରାୟଗଡ଼, କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଥିବାରୁ ସମ୍ପୃକ୍ତ ଜିଲ୍ଲା ପ୍ରଶାସନକୁ ଅଧିକ ସତର୍କ ରହିବାକୁ କୁହାଯାଇଛି।

ପରିସ୍ଥିତିରେ ଯେକୌଣସି ପରିବର୍ତ୍ତନ ହେଲେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ତଳସ୍ତରର ଅଧିକାରୀଙ୍କୁ ନିର୍ଦ୍ଦେଶ ରହିଛି।ପ୍ରଶାସନ ପକ୍ଷରୁ ଲୋକଙ୍କୁ ଆତଙ୍କିତ ନହୋଇ ସତର୍କ ରହିବା ସହ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହେଉଥିବା ସୂଚନା ଓ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *