Mobile tower

ପୁଅକୁ ପିଟିଲା ପୋଲିସ, ନ୍ୟାୟ ପାଇଁ ମୋବାଇଲ୍ ଟାୱାର ଉପରେ ଚଢିଲେ ମହିଳା

Spread the love

ଲକ୍ଷ୍ନୌ : ହଜରତଗଞ୍ଜରେ ହାଇଡ୍ରୋଲିକ୍ ରେସକ୍ୟୁ । ଟାୱାର ଉପରୁ ଓହ୍ଲାଇଲେ ମହିଳା, ଖୋଲିଲା ଜିଆରପି ପୋଲିସର ପୋଲ୍ ।  ନ୍ୟାୟ ପାଇଁ ମୋବାଇଲ୍ ଟାୱାର ଉପରେ ମହିଳା । ପୁଅକୁ ପିଟିଲା ପୋଲିସ, ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ଟାୱାରକୁ ଚଢ଼ିଗଲେ ମାଆ । ପୋଲିସ ଦାଦାଗିରି ବିରୋଧରେ ପ୍ରତିବାଦ । ଆଗ୍ରା ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମ ବାହିନୀ ।

ଆଗ୍ରାର ଶ୍ୟାମବିହାର ଛୋଟି କଲୋନୀରେ ରହୁଥିବା ତୁଲସା ନାମକ ମହିଳା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ଥିବା ଏକ ମୋବାଇଲ୍ ଟାୱାର ଉପରକୁ ଚଢ଼ିଯାଇଥିଲେ । ପୋଲିସର ନିର୍ଯାତନା ବିରୋଧରେ ସେ ଏଭଳି ପ୍ରତିବାଦ କରିଥିଲେ । ତୁଲସା ନିଜର ୧୨ ବର୍ଷର ପୁଅକୁ ନ୍ୟାୟ ଦେବା ପାଇଁ ଆଗ୍ରାରୁ ଲକ୍ଷ୍ନୌ ଆସି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ । ମାତ୍ର କୌଣସି ସୁଫଳ ନମିଳିବାରୁ ସେ ହଜରତଗଞ୍ଜର ପାର୍କ ରୋଡରେ ଥିବା ଏକ ହାଇ-ଭୋଲ୍ଟେଜ୍ ମୋବାଇଲ୍ ଟାୱାର ଉପରକୁ ଚଢ଼ି ଚିତ୍କାର କରିବାକୁ ଲାଗିଥିଲେ ।

ତାଙ୍କ ଅଭିଯୋଗ ଅନୁସାରେ, ଜୁଲାଇ ୨୬ ତାରିଖରେ ଆଗ୍ରା କ୍ୟାଣ୍ଟ୍ ରେଳ ଷ୍ଟେସନର ୪ ଜଣ GRP କର୍ମଚାରୀ ତାଙ୍କ ନାବାଳକ ପୁଅ ଉପରେ ବ୍ୟାଗ୍ ଚୋରିର ମିଥ୍ୟା ଆରୋପ ଲଗାଇଥିଲେ । ରାତିସାରା ଅଟକ ରଖି ପୁଅକୁ ନିର୍ଦ୍ଦୟ ଭାବେ ପିଟିଥିଲେ, ମହିଳାଙ୍କ ମୋବାଇଲ୍ ଭାଙ୍ଗି ଦେଇଥିଲେ ଏବଂ ଜବରଦସ୍ତି ୨,୦୦୦ ଟଙ୍କା ଆଦାୟ କରିଥିଲେ । ଲକ୍ଷ୍ନୌ ଅଗ୍ନିଶମ ବାହିନୀ ଏବଂ ହଜରତଗଞ୍ଜ ପୋଲିସ ଏକ ହାଇଡ୍ରୋଲିକ୍ ପ୍ଲାଟଫର୍ମ ସାହାଯ୍ୟରେ ମହିଳାଙ୍କ ସହ ଆଲୋଚନା କରି ତାଙ୍କୁ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇଥିଲେ । ପରେ ତାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।

Leave a Reply

Your email address will not be published. Required fields are marked *