All 1200x668 1 750x430

ସରିଲା ସର୍ବଦଳୀୟ ବୈଠକ: ଗୃହ କାର୍ଯ୍ୟ ସୁପରିଚାଳନା ପାଇଁ ସହଯୋଗ ଲୋଡ଼ିଲେ ବାଚସ୍ପତି

Spread the love

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକ ଶେଷ ହୋଇଛି। ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଏବଂ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ବାଚସ୍ପତି ସବୁ ରାଜନୈତିକ ଦଳର ସହଯୋଗ ଲୋଡ଼ିଛନ୍ତି। ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ବିଧାନସଭା ଆରମ୍ଭ ପୂର୍ବରୁ ବସିଥିଲା ସର୍ବଦଳୀୟ ବୈଠକ। ଗୃହକାର୍ଯ୍ୟ ସୁପରିଚାଳନା ପାଇଁ ସହଯୋଗ ଲୋଡ଼ିଲେ ବାଚସ୍ପତି।

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ। ତାଙ୍କ ବ୍ୟତୀତ ଉପ-ମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଜେଡି ବିଧାୟକ ତଥା ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏବଂ ଉପମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ଅଧିକାରୀମାନେ କହିଛନ୍ତି ଯେ ବୈଠକରେ ଗୃହର ସୁଚାରୁ ପରିଚାଳନା ଏବଂ ଆଲୋଚନା କରାଯିବାକୁ ଥିବା କାର୍ଯ୍ୟସୂଚୀ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।

ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନ ‘MMDR ସଂଶୋଧନ ଆଇନ, ୨୦୨୬’କୁ ନେଇ ସରଗରମ ରହିବାର ସମ୍ଭାବନା ରହିଛି; କାରଣ ବିରୋଧୀ ଦଳ BJD ଏବଂ କଂଗ୍ରେସ ଏହି ଆଇନ ତଥା ଖଣିଜ ସମ୍ପଦରେ ଭରପୂର ଓଡ଼ିଶା ଉପରେ ଏହାର ସମ୍ଭାବ୍ୟ ଆର୍ଥିକ ପ୍ରଭାବକୁ ନେଇ BJP ସରକାରଙ୍କୁ ଘେରିବାକୁ ଯୋଜନା କରୁଛନ୍ତି।

ଅନ୍ୟପଟେ ସର୍ବଦଳୀୟ ବୈଠକ ପରେ ବିରୋଧୀଦଳ ମୁଖ୍ୟ ସଚେତକଙ୍କ ପ୍ରତିକ୍ରିୟା ଆସିଛି। MMDR ଉପରେ ଆଲୋଚନା କରାଯିବା ନେଇ ଦାବି କରାଯାଇଛି। ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଆମେ ଅପେକ୍ଷା ବି କରିଛୁ, ନ ହେଲେ ଦଳ ଯାହା ନିଷ୍ପତ୍ତି ନେବ ସେହି ଅନୁଯାୟୀ ଆମେ କାର୍ଯ୍ୟ କରିବୁ। ଗୃହ ଚାଲିବାରେ ସହଯୋଗ କରିବୁ କି ନାହିଁ ତାହା ଆମ ଦଳ ନିଷ୍ପତ୍ତି ନେବ।’ ଏହାପୂର୍ବରୁ ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ଯେ ଦଳ ଅଧିବେଶନର ଆରମ୍ଭରୁ ହିଁ ଏହି ପ୍ରସଙ୍ଗ ଉଠାଇବ। ବିଜେଡି ଅଭିଯୋଗ କରିଛି ଯେ ନୂତନ ଆଇନ ଯୋଗୁଁ ଖଣି ସମ୍ବନ୍ଧୀୟ ବକେୟା ବାବଦରେ ରାଜ୍ୟକୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ହରାଇବାକୁ ପଡ଼ିପାରେ।

Leave a Reply

Your email address will not be published. Required fields are marked *