ଦିଲ୍ଲୀରେ AQI ୪୦୦ ପାର୍, ଲାଗୁ ହେଲା GRAP-2
ନୂଆଦିଲ୍ଲୀ : ନଭେମ୍ବର ଆରମ୍ଭରୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୩୭୩ ରେକର୍ଡ କରାଯାଇଛି । ଦିଲ୍ଲୀର ଅନେକ ଅଞ୍ଚଳରେ AQI ୪୦୦ ଅତିକ୍ରମ କରିଥିବା ବେଳେ କେତେକ ସ୍ଥାନରେ ପ୍ରଦୂଷଣ ସ୍ତର ୪୫୦ ଉପରେ ପହଞ୍ଚିଛି । ଫଳରେ ସାଧାରଣ ଲୋକ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି ।
ପଞ୍ଜାବୀ ବାଗରେ ସର୍ବାଧିକ ୪୫୨ AQI ରେକର୍ଡ ହୋଇଥିବା ବେଳେ ଜାହାଙ୍ଗୀରପୁରୀରେ ୪୫୦ ଏବଂ IIT ଦିଲ୍ଲୀରେ ୪୪୬ ରହିଛି । ସେହିପରି ରୋହିଣୀରେ ୪୩୫, ମୁଣ୍ଡକାରେ ୪୪୦, DTUରେ ୪୩୪, ପୁସା (IITM)ରେ ୪୨୯ ଏବଂ ଆରକେ ପୁରମରେ ୪୨୩ AQI ରେକର୍ଡ କରାଯାଇଛି । ଆଲିପୁରରେ ୪୨୧, ITO ଓ ନରେଲାରେ ୪୧୮, ପଟପଡ଼ଗଞ୍ଜରେ ୪୧୫ ଏବଂ ମନ୍ଦିର ମାର୍ଗ ଓ ନର୍ଥ କ୍ୟାମ୍ପସରେ ୪୧୩ AQI ରହିଛି । ଅନ୍ୟପଟେ ବାୱାନାରେ ୪୧୦ ଏବଂ ଜବାହରଲାଲ ନେହରୁ ଷ୍ଟାଡିୟମରେ ୪୦୬ AQI ରେକର୍ଡ ହୋଇଛି ।
ରାଜଧାନୀର ଅନ୍ୟ କେତେକ ଅଞ୍ଚଳରେ ମଧ୍ୟ ବାୟୁର ମାନ ଅତି ଖରାପ ଶ୍ରେଣୀରେ ରହିଛି । ମେଜର ଧ୍ୟାନଚାନ୍ଦ ନ୍ୟାସନାଲ ଷ୍ଟାଡିୟମ ଏବଂ ଦ୍ୱାରକା ସେକ୍ଟର-୮ରେ AQI ୩୯୮ ରେକର୍ଡ ହୋଇଛି । CRRI ମଥୁରା ରୋଡ୍ ଓ ପୁସା (DPCC)ରେ ୩୯୨, JNUରେ ୩୯୧ ଏବଂ ବୁରାଡ଼ି କ୍ରସିଂରେ ୩୯୦ AQI ରହିଛି । କମନୱେଲଥ ସ୍ପୋର୍ଟସ କମ୍ପ୍ଲେକ୍ସରେ ୩୮୪, ନିହ ନରେଲାରେ ୩୮୨, ଆୟା ନଗରରେ ୩୭୯ ଏବଂ ନଜଫଗଡ଼ରେ ୩୭୬ AQI ରେକର୍ଡ କରାଯାଇଛି । IGI ବିମାନବନ୍ଦର ଟର୍ମିନାଲ-୩ରେ ୩୫୮ ଏବଂ ବୁରାଡ଼ିରେ ୩୫୫ AQI ରହିଛି ।
ବାୟୁ ଗୁଣବତ୍ତା ମାନଦଣ୍ଡ ଅନୁଯାୟୀ, AQI ୨୦୧ରୁ ୩୦୦ ମଧ୍ୟରେ ରହିଲେ ଖରାପ, ୩୦୧ରୁ ୪୦୦ ମଧ୍ୟରେ ରହିଲେ ଅତି ଖରାପ ଏବଂ ୪୦୦ରୁ ଅଧିକ ହେଲେ ଗମ୍ଭୀର ଶ୍ରେଣୀରେ ଗଣାଯାଏ । ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ଦିଲ୍ଲୀରେ GRAP-2 କଟକଣା ଲାଗୁ କରାଯାଇଛି । ଏହା ଅଧୀନରେ ପ୍ରଦୂଷଣ ସୃଷ୍ଟି କରୁଥିବା କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ଲଗାଯାଇଛି । ଖୋଲା ସ୍ଥାନରେ ଆବର୍ଜନା କିମ୍ବା ଅନ୍ୟ ସାମଗ୍ରୀ ଜାଳିବା ଏବଂ ଧୂଆଁ ସୃଷ୍ଟି କରିବା ଉପରେ କଟକଣା ରହିଛି । ଏଥିସହ ରାସ୍ତାରେ ପାଣି ସିଞ୍ଚନ କରାଯିବା ସହ ବିଭିନ୍ନ ସ୍ଥାନରେ ୱାଟର ଟ୍ୟାଙ୍କର ନିୟୋଜିତ କରାଯାଇଛି ।
ଯାନବାହନରୁ ନିର୍ଗତ ଧୂଆଁ ନିୟନ୍ତ୍ରଣ ପାଇଁ ବୈଧ PUCC ନଥିଲେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ମିଳିବ ନାହିଁ । ଏହାସହ BS6 ମାନଦଣ୍ଡଠାରୁ କମ୍ ମାନର ଗାଡ଼ିର ଦିଲ୍ଲୀ ପ୍ରବେଶ ଉପରେ ମଧ୍ୟ କଟକଣା ଲଗାଯାଇଛି । ଦିଲ୍ଲୀ-ନୋଏଡା ସୀମାରେ ଗାଡ଼ିଗୁଡ଼ିକର ଯାଞ୍ଚ କରାଯାଉଛି । ନିୟମ ଉଲ୍ଲଂଘନ କରୁଥିବା ଗାଡ଼ିକୁ ଜରିମାନା କରାଯିବା ସହ ଫେରାଇ ଦିଆଯାଉଛି ।
