22

ପରଲୋକରେ ପ୍ରଖ୍ୟାତ ସ୍ନାୟୁ ଶଲ୍ୟ ଚିକିତ୍ସକ ପ୍ରଫେସର ଡାକ୍ତର ଅଶୋକ ମହାପାତ୍ର, ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ

Spread the love

ନୂଆଦିଲ୍ଲୀ: ପରଲୋକରେ ପ୍ରଖ୍ୟାତ ଡାକ୍ତର ତଥା ବରିଷ୍ଠ ଶିକ୍ଷାବିତ୍ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର। ୭୪ ବର୍ଷ ବୟସରେ ଦିଲ୍ଲୀସ୍ଥିତ ଏମ୍ସ (AIIMS)ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ବ୍ରେନ୍ କ୍ୟାନ୍ସରରେ ପୀଡ଼ିତ ଥିଲେ।
ଅସୁସ୍ଥତା କାରଣରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଗତ ସେପ୍ଟେମ୍ବର ୨୭ ତାରିଖରୁ ସେ ଏମ୍ସର ନ୍ୟୁରୋ ସର୍ଜରୀ ବିଭାଗରେ ଚିକିତ୍ସାଧୀନ ଥିଲେ। ବରିଷ୍ଠ ନ୍ୟୁରୋ ସର୍ଜନ ପ୍ରଫେସର ଡାକ୍ତର ଆଶିଷ ସୁରୀଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଥିଲା।
ସୂଚନାଥାଉକି, ସ୍ନାୟୁ ଶଲ୍ୟ ଚିକିତ୍ସା କ୍ଷେତ୍ରରେ ଡାକ୍ତର ମହାପାତ୍ରଙ୍କର ଦେଶବ୍ୟାପୀ ସୁନାମ ରହିଥିଲା। ନିଜର ଦୀର୍ଘ ଅଭିଜ୍ଞତା, ଚିକିତ୍ସା ସେବା ଓ ଅବଦାନ ପାଇଁ ସେ ଚିକିତ୍ସା ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।
ଏମକେସିଜିରୁ ପାଇଥିଲେ ଡିଗ୍ରୀ
ଡକ୍ଟର ମହାପାତ୍ର ବ୍ରହ୍ମପୁରର ଏମକେସିଜି (MKCG) ମେଡିକାଲ କଲେଜରୁ ୧୯୭୫ ମସିହାରେ ଏମବିବିଏସ (MBBS) ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ନୂଆଦିଲ୍ଲୀ AIIMSରେ ଉଚ୍ଚଶିକ୍ଷା ଗ୍ରହଣ କରି ୧୯୭୯ରେ ଏମଏସ ଏବଂ ୧୯୮୨ରେ ସ୍ନାୟୁ ଶଲ୍ୟ ଚିକିତ୍ସାରେ ଏମ.ସିଏଚ୍ (M.Ch.) ଡିଗ୍ରୀ ହାସଲ କରିଥିଲେ।
୪୦ ବର୍ଷରୁ ଅଧିକ ସମୟ ଧରି ଏମ୍ସ ନୂଆଦିଲ୍ଲୀ ସହ ଜଡ଼ିତ ରହି ସେ ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ, ନ୍ୟୁରୋସାଇନ୍ସ ସେଣ୍ଟରର ମୁଖ୍ୟ ଏବଂ ଗବେଷଣା ଡିନ୍ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସଫଳତାର ସହ ତୁଲାଇଛନ୍ତି।
ଜଗା- କାଳିଆଙ୍କଅପରେସନଦେଇଥିଲାଐତିହାସିକ ସଫଳତା
ଡକ୍ଟର ମହାପାତ୍ରଙ୍କ ଜୀବନର ସବୁଠାରୁ ବଡ଼ ସଫଳତା ମଧ୍ୟରୁ ଗୋଟିଏ ହେଉଛି ୨୦୧୭ ମସିହାରେ ଜଗା- କାଳିଆଙ୍କ ଐତିହାସିକ ଅପରେସନ୍ । ଡାକ୍ତର ମହାପାତ୍ର ୨୦୧୭ରେ କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଯୋଡ଼ା ମୁଣ୍ଡ ଶିଶୁ ଜଗା- କାଳିଆଙ୍କ ସଫଳ ଅସ୍ତ୍ରୋପଚାର କରି ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଥିଲେ। ନୂଆଦିଲ୍ଲୀ AIIMSରେ କରାଯାଇଥିବା ଏହି ଜଟିଳ ପ୍ରକ୍ରିୟା ଭାରତରେ ଏହି ପ୍ରକାରର ପ୍ରଥମ ସଫଳ ଅସ୍ତ୍ରୋପଚାର ଥିଲା ଏବଂ ପରେ ଲିମକା ବୁକ୍ ଅଫ୍ ରେକର୍ଡସରେ ସ୍ଥାନିତ ହୋଇଥିଲା ।
ଚିକିତ୍ସା ସେବା ସହିତ ଶିକ୍ଷା ଓ ପ୍ରତିଷ୍ଠାନ ଗଠନରେ ମଧ୍ୟ ତାଙ୍କର ଅବଦାନ ଅତୁଳନୀୟ। ଚିକିତ୍ସା କ୍ଷେତ୍ରରେ ଜଣେ ସୁଦକ୍ଷ ପ୍ରଶାସକ ଭାବେ ସୁପରିଚିତ ଡାକ୍ତର ମହାପାତ୍ର ୨୦୨୪ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ଶିଶୁ ସ୍ନାୟୁ ଶଲ୍ୟ ଚିକିତ୍ସା, ମସ୍ତିଷ୍କ ଘାତ ଏବଂ ଟ୍ୟୁମର୍ ଅପରେସନରେ ତାଙ୍କର ରହିଛି ବିଶେଷ ଦକ୍ଷତା। ତାଙ୍କର ୬୦୦ରୁ ଅଧିକ ଗବେଷଣାତ୍ମକ ପ୍ରବନ୍ଧ ଏବଂ ୧୫ରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇସାରିଛି।
ସେ ଭୁବନେଶ୍ୱର ଏମ୍ସର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ଏହାର ଭିତ୍ତିଭୂମି ମଜବୁତ କରିଥିଲେ। ଏହାଛଡ଼ା ଲକ୍ଷ୍ନୌର ଏସଜିପିଜିଆଇ (SGPGIMS)ର ନିର୍ଦ୍ଦେଶକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି।
ଚିକିତ୍ସା କ୍ଷେତ୍ରରେ ତାଙ୍କର ଏହି ଅମୂଲ୍ୟ ଅବଦାନ ପାଇଁ ୨୦୨୫ ଏପ୍ରିଲରେ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ‘ପଦ୍ମଶ୍ରୀ’ ସମ୍ମାନର ସମ୍ମାନିତ ହୋଇଥିଲେ । ଏହାବ୍ୟତୀତ ଓଡ଼ିଶା ବିଜ୍ଞାନ ଏକାଡ଼େମୀ ପକ୍ଷରୁ ତାଙ୍କୁ ‘ସି.ଭି. ରମଣ ଆୱାର୍ଡ’ ମଧ୍ୟ ପ୍ରଦାନ କରାଯାଇଛି। ଡକ୍ଟର ଅଶୋକ କୁମାର ମହାପାତ୍ର କେବଳ ଜଣେ କୁଶଳୀ ଡାକ୍ତର ନୁହଁନ୍ତି, ବରଂ ସେ ଓଡ଼ିଶା ଏବଂ ସମଗ୍ର ଦେଶର ଯୁବ ପିଢ଼ିଙ୍କ ପାଇଁ ଏକ ପ୍ରେରଣାର ପ୍ରତୀକ ଅଟନ୍ତି।

Leave a Reply

Your email address will not be published. Required fields are marked *