ଆସନ୍ତାକାଲି ଆମେରିକାରେ ମଧ୍ୟବର୍ତ୍ତୀ ନିର୍ବାଚନ
ନୂଆଦିଲ୍ଲୀ: ଟ୍ରମ୍ପଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା । ଆମେରିକାରେ ଆସନ୍ତାକାଲି ମଧ୍ୟବର୍ତ୍ତୀ ନିର୍ବାଚନ । ମଙ୍ଗଳବାର, ନଭେମ୍ବର ୩ରେ ଦେଶବ୍ୟାପୀ ମତଦାନ ହେବ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଏହା ପ୍ରଥମ ବଡ଼ ଜାତୀୟ ନିର୍ବାଚନ। ଏହି ନିର୍ବାଚନରେ କେବଳ ସାଂସଦ ଓ ଗଭର୍ଣ୍ଣର ଚୟନ ହେବେ ନାହିଁ, ବରଂ ଆଗାମୀ ଦୁଇ ବର୍ଷ ପାଇଁ ଆମେରିକାର ରାଜନୈତିକ ସମୀକରଣ ମଧ୍ୟ ନିର୍ଦ୍ଧାରିତ ହେବ ।
୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପରେ ଡୋନାଲ୍ଡ ଟ୍ରମ୍ପ ୨୦୨୫ ଜାନୁଆରୀରେ ଦ୍ୱିତୀୟ ଥର ପାଇଁ ହ୍ୱାଇଟ୍ ହାଉସ୍ କୁ ଫେରିଥିଲେ । ଏବେ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରାୟ ଦୁଇ ବର୍ଷ ପୂରଣ ହେବାକୁ ଯାଉଥିବା ବେଳେ ମଧ୍ୟବର୍ତ୍ତୀ ନିର୍ବାଚନ ଅନୁଷ୍ଠିତ ହେଉଛି। ବର୍ତ୍ତମାନ ଆମେରିକା କଂଗ୍ରେସର ଉଭୟ ସଦନରେ ରିପବ୍ଲିକାନ୍ ପାର୍ଟିର ସଂଖ୍ୟାଗରିଷ୍ଠତା ରହିଛି । ଏହା ଟ୍ରମ୍ପ ପ୍ରଶାସନକୁ ନିଜର ନୀତି ଓ ବିଧେୟକ ଆଗକୁ ବଢ଼ାଇବାରେ ସହାୟକ ହୋଇଛି । ଯଦି ଡେମୋକ୍ରାଟିକ୍ ପାର୍ଟି ଗୋଟିଏ କିମ୍ବା ଉଭୟ ସଦନରେ ସଂଖ୍ୟାଗରିଷ୍ଠତା ହାସଲ କରେ, ତେବେ ଟ୍ରମ୍ପ ପ୍ରଶାସନର ନୀତି ଓ ନିଷ୍ପତ୍ତି ଉପରେ କଂଗ୍ରେସର ତଦାରଖ ବଢ଼ିପାରେ ।
ବଜେଟ୍, ନୂଆ ଆଇନ ଓ ବିଭିନ୍ନ ସରକାରୀ ପ୍ରସ୍ତାବକୁ ନେଇ ରାଷ୍ଟ୍ରପତିଙ୍କୁ ଅଧିକ ରାଜନୈତିକ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିପାରେ । ଅନ୍ୟପଟେ ରିପବ୍ଲିକାନ୍ ମାନେ ଉଭୟ ସଦନର ନିୟନ୍ତ୍ରଣ ବଜାୟ ରଖିଲେ ଟ୍ରମ୍ପଙ୍କ ନୀତିଗତ କାର୍ଯ୍ୟସୂଚୀ ଆଗକୁ ବଢ଼ାଇବାରେ ଦଳକୁ ସୁବିଧା ହେବ । ଆମେରିକା କଂଗ୍ରେସର ଦୁଇଟି ସଦନ ରହିଛି—ପ୍ରତିନିଧି ସଭା ଓ ସିନେଟ୍। ବର୍ତ୍ତମାନ ଉଭୟ ସଦନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିର ସଂଖ୍ୟାଗରିଷ୍ଠତା ରହିଛି । ସିନେଟ୍ ରେ ମୋଟ ୧୦୦ ଆସନ ମଧ୍ୟରୁ ରିପବ୍ଲିକାନ୍ ଙ୍କ ସଂଖ୍ୟା ୫୩ ଥିବାବେଳେ ଡେମୋକ୍ରାଟଙ୍କ ସଂଖ୍ୟା ରହିଛି ୪୫ । ସିନେଟରେ ଅଛନ୍ତି ୨ ସ୍ୱାଧୀନ ସଦସ୍ୟ। ସେପଟେ ପ୍ରତିନିଧି ସଭାରେ ଅଛି ମୋଟ ୪୩୫ ଆସନ । ଏଠାରେ ମଧ୍ୟ ରିପବ୍ଲିକାନ୍ ଙ୍କ ସଂଖ୍ୟାଗରିଷ୍ଠତା ରହିଛି । ପ୍ରତିନିଧି ସଭାର ସମସ୍ତ ୪୩୫ ଆସନରେ ମତଦାନ ହେବାକୁ ଥିବା ବେଳେ ସିନେଟ୍ ର ୩୫ ଆସନ ଆସନରେ ମତଦାନ ହେବ । ଏହି ନିର୍ବାଚନରେ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ମତଦାନ ହେବ ନାହିଁ ।
କିନ୍ତୁ କଂଗ୍ରେସରେ କେଉଁ ଦଳର ସଂଖ୍ୟାଗରିଷ୍ଠତା ରହିବ, ତାହା ନିର୍ଦ୍ଧାରିତ ହେବ। ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନରେ ଏଥର ଦରଦାମ ବୃଦ୍ଧି ଓ ଜୀବନଧାରଣ ଖର୍ଚ୍ଚ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି । ଖାଦ୍ୟସାମଗ୍ରୀ, ଘରଭଡ଼ା, ଇନ୍ଧନ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟକୁ ନେଇ ଭୋଟରଙ୍କ ମଧ୍ୟରେ ଚିନ୍ତା ରହିଛି । ଏହାଛଡ଼ା ଆମେରିକାର ଇରାନ ଯୁଦ୍ଧ, ପ୍ରବାସନ ନୀତି, ସ୍ୱାସ୍ଥ୍ୟସେବା, ଟିକସ ବ୍ୟବସ୍ଥା ଏବଂ ରାଷ୍ଟ୍ରପତିଙ୍କ କ୍ଷମତା ମଧ୍ୟ ନିର୍ବାଚନୀ ବିତର୍କରେ ସ୍ଥାନ ପାଇଛି । ଡେମୋକ୍ରାଟିକ୍ ପାର୍ଟି ଦରଦାମ ଓ ଟ୍ରମ୍ପ ପ୍ରଶାସନର ବିଭିନ୍ନ ନୀତିକୁ ନେଇ ପ୍ରଶ୍ନ ଉଠାଉଛି ।
ଅନ୍ୟପଟେ ରିପବ୍ଲିକାନ୍ ମାନେ ନିଜ ସରକାରର ନୀତି, ଅର୍ଥନୈତିକ ପଦକ୍ଷେପ ଓ ଦେଶର ସୁରକ୍ଷା ପ୍ରସଙ୍ଗରେ ଭୋଟରଙ୍କ ସମର୍ଥନ ଲୋଡ଼ୁଛନ୍ତି । ଆସନ୍ତାକାଲି ମୁଖ୍ୟ ମତଦାନ ଦିବସ ଥିଲେ ମଧ୍ୟ ଆମେରିକାରେ ଆଗୁଆ ମତଦାନ ପ୍ରକ୍ରିୟା ଜାରି ରହିଛି । ନଭେମ୍ବର ପହିଲା ସୁଦ୍ଧା ୫ କୋଟିରୁ ଅଧିକ ଆମେରିକୀୟ ଭୋଟର ଆଗୁଆ ମତଦାନ କରିସାରିଛନ୍ତି। ମତଦାନ ପୂର୍ବରୁ ଉଭୟ ଦଳ ପ୍ରଚାରକୁ ଜୋରଦାର କରିଛନ୍ତି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ୍ ପ୍ରାର୍ଥୀଙ୍କ ସମର୍ଥନରେ ବିଭିନ୍ନ ରାଜ୍ୟରେ ସମାବେଶ କରୁଛନ୍ତି ।
ଆଇଓୱା ଓ କାନସାସ୍ ରେ ମଧ୍ୟ ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ଡେମୋକ୍ରାଟିକ୍ ପାର୍ଟି ମଧ୍ୟ ଟ୍ରମ୍ପ ପ୍ରଶାସନର ନୀତିକୁ ମୁଖ୍ୟ ପ୍ରସଙ୍ଗ କରି ମତଦାତାଙ୍କ ନିକଟରେ ପହଞ୍ଚୁଛି । ଉଭୟ ପକ୍ଷ ପାଇଁ ଶେଷ ପର୍ଯ୍ୟାୟ ପ୍ରଚାର ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଭାରତୀୟ ସମୟ ଅନୁସାରେ ନଭେମ୍ବର ୪ ସକାଳରୁ ବିଭିନ୍ନ ଆସନର ପ୍ରାରମ୍ଭିକ ଫଳାଫଳ ଓ ଆଗୁଆ ଧାରା ଆସିବା ଆରମ୍ଭ ହୋଇପାରେ । ତେବେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଥିବା ଆସନଗୁଡ଼ିକରେ ଚୂଡ଼ାନ୍ତ ଫଳାଫଳ ପାଇଁ କିଛି ଦିନ ଲାଗିପାରେ । ଆସନ୍ତାକାଲିର ମତଦାନ ନିର୍ଦ୍ଧାରଣ କରିବ ଆମେରିକା କଂଗ୍ରେସରେ ଆଗାମୀ ଦୁଇ ବର୍ଷ ପାଇଁ କେଉଁ ଦଳର ସଂଖ୍ୟାଗରିଷ୍ଠତା ରହିବ । ଫଳାଫଳ ଅନୁସାରେ ଟ୍ରମ୍ପ ପ୍ରଶାସନ ଓ ବିରୋଧୀ ଡେମୋକ୍ରାଟ୍ ଙ୍କ ମଧ୍ୟରେ କ୍ଷମତାର ସମୀକରଣ ବଦଳିପାରେ ।ALSO READ:Florida Plane Crash: ଫ୍ଲୋରିଡାରେ ଭୟଙ୍କର ବିସ୍ଫୋରଣ, ବିମାନରେ ଥିବା ୯ ଜଣଙ୍କ ମୃତ୍ୟୁ
