କନ୍ଧମାଳରେ ଶୀତର ଆଗମନ, କୁହୁଡ଼ିର ଧଳା ଚାଦର ସହ ହାଲୁକା ଥଣ୍ଡା ଅନୁଭୂତ
କନ୍ଧମାଳ: କୁହୁଡ଼ିର ଧଳା ଚାଦରରେ ଢାଙ୍କି ହେଲା କନ୍ଧମାଳ ଜିଲ୍ଲା । ଧୀରେ ଧୀରେ ଶୀତର ଆଗମନ ହେଉଛି । ଆଜି ସକାଳୁ ସକାଳୁ ସମଗ୍ର ଅଞ୍ଚଳ ଘନ କୁହୁଡ଼ିର ଧଳା ଚାଦରରେ ଢାଙ୍କି ହୋଇଯାଉଥିବା ବେଳେ ହାଲୁକା ଥଣ୍ଡା ଅନୁଭବ ହୋଇଥିଲା । ଜିଲ୍ଲା ସଦର ମହକୁମା ଫୁଲବାଣୀ ସମେତ ବାଲିଗୁଡ଼ା, ଦାରିଙ୍ଗବାଡ଼ି, କୋଟଗଡ଼ ଓ ଜି. ଉଦୟଗିରି ଆଦି ଅଞ୍ଚଳରେ ଏବେ ପ୍ରକୃତିର ଏହି ରୂପ ଦେଖିବାକୁ ମିଳୁଛି ।
ବିଶେଷ କରି ଭୋର ସମୟରୁ ଆରମ୍ଭ କରି ସକାଳ ପ୍ରାୟ ୮ଟାରୁ ୯ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଯୋଗୁଁ ଚାରିଆଡ଼ ଧୂଆଁଳିଆ ଦିଶୁଛି । ସବୁଜ ଉପତ୍ୟକା ଏବଂ ଘାଟି ରାସ୍ତା ଉପରେ ଭାସି ବୁଲୁଥିବା କୁହୁଡ଼ିର ଆସ୍ତରଣ ପ୍ରକୃତିର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦେଇଛି ।
