କାର୍ ସିକ୍ରେଟ ଚାମ୍ବରରୁ ୯ କୋଟି ଟଙ୍କାର ବିଦେଶୀ ସୁନା ଜବତ, ଦୁଇ ଗିରଫ
ନୂଆଦିଲ୍ଲୀ : ୯ କୋଟି ଟଙ୍କାର ବିଦେଶୀ ସୁନା ଜବତ । ଘଟଣାରେ ଦୁଇ ଗିରଫ । DRI ପକ୍ଷରୁ ଜାତୀୟ ରାଜପଥରେ ପାଟ୍ରୋଲିଂ ବେଳେ ଜବତ ହେଲା ବିପୁଳ ପରିମାଣର ସୁନା । ଦୀର୍ଘ ସମୟ ଧରି ପିଛା କରିବା ପରେ କୋଲକାତାରୁ ହାଇଦ୍ରାବାଦ ଯାଉଥିବା ଏକ କାରକୁ ବିଶାଖାପାଟଣାରେ ଅଟକାଇଥିଲେ DRI ଅଧିକାରୀ । ଗାଡ଼ିରେ ଦୁଇ ଜଣ ଯାତ୍ରୀ ଥିଲେ । ଦୀର୍ଘ ସମୟ ଧରି ପଚରାଉଚରା ଏବଂ ଗାଡ଼ିରେ ବ୍ୟବସ୍ଥିତ ଭାବେ ଯାଞ୍ଚ କରିବା ପରେ ସାମ୍ନା ସିଟ୍ ତଳେ ଥିବା ଗୋଡ଼ ରଖିବା ସ୍ଥାନରେ ଏକ ସ୍ୱତନ୍ତ୍ର ଭାବେ ନିର୍ମିତ ଗୁପ୍ତ ଚାମ୍ବର ଠାବ କରାଯାଇଥିଲା ।
ଏହି ସିକ୍ରେଟ ଚାମ୍ବରରୁ ତିନିଟି ପ୍ୟାକେଟ୍ ରେ ରଖାଯାଇଥିବା ୨୪ କ୍ୟାରେଟର ବିଦେଶୀ ସୁନା ଜବତ କରାଯାଇଛି । ଜବତ ସୁନାର ବଜାର ମୂଲ୍ୟ ୮ କୋଟି ୯୮ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି । ଏହି ସୁନା ଭାରତ ବାଂଲାଦେଶ ସୀମା ଦେଇ ଚୋରା ଚାଲାଣ କରାଯାଉଥିଲା । ଏହାକୁ ହାଇଦ୍ରାବାଦ ନିଆଯାଉଥିବା ସମ୍ପୃକ୍ତ ବ୍ୟକ୍ତିମାନେ ସ୍ୱୀକାର କରିଥିବା ସୂଚନା ମିଳିଛି । କଷ୍ଟମ୍ ଆଇନ, ୧୯୬୨ର ବିଭିନ୍ନ ଧାରା ଅନୁଯାୟୀ ଜବତ ସୁନାକୁ ଜବତ କରାଯାଇଛି । ଏହି ଘଟଣାରେ ଉଭୟ ବ୍ୟକ୍ତିଙ୍କୁ ଗିରଫ କରାଯାଇ ସମ୍ପୃକ୍ତ ଅଦାଲତରେ ହାଜର କରାଯାଇଥିଲା । ପରେ ଅଦାଲତ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।
