କାର୍ଯ୍ୟକାଳ ପୂରଣ ପୂର୍ବରୁ ଅଗ୍ନିବୀରଙ୍କୁ ମିଳିବ ଚାକିରି: କେନ୍ଦ୍ର ସରକାରଙ୍କ ନୂଆ ଯୋଜନା
ନୂଆଦିଲ୍ଲୀ: ସେନାରେ ’ଅଗ୍ନିପଥ’ ଯୋଜନା ଅଧୀନରେ ନିଯୁକ୍ତି ପାଇଥିବା ଅଗ୍ନିବୀରମାନଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ୪ ବର୍ଷର ସୈନ୍ୟ ସେବା ପୂରଣ ହେବା ପୂର୍ବରୁ ହିଁ ଅଗ୍ନିବୀରମାନଙ୍କ ପାଇଁ ଆଗାମୀ ରୋଜଗାରର ପନ୍ଥା ସୁନିଶ୍ଚିତ କରିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ପ୍ଲାନ୍ ପ୍ରସ୍ତୁତ କରିଛି। ସେନାରୁ ଅବସର ନେବା ପରେ ଯେପରି ସେମାନଙ୍କୁ ଚାକିରି ପାଇଁ ପୁଣି ଥରେ ଦୀର୍ଘ ପ୍ରକ୍ରିୟା ଦେଇ ଗତି କରିବାକୁ ପଡିବ ନାହିଁ, ସେଥିପାଇଁ ଏହି ବ୍ୟବସ୍ଥା କରାଯାଉଛି।
ବାକି ୭୫ ପ୍ରତିଶତଙ୍କ ପାଇଁ ସରକାରୀ ଚାକିରି ବ୍ୟବସ୍ଥା
ଜାନୁଆରୀ ୨୦୨୭ରେ ଅବସର ନେବାକୁ ଥିବା ବାକି ୭୫ ପ୍ରତିଶତ ଅଗ୍ନିବୀରଙ୍କ ପାଇଁ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ (CAPF), ପୋଲିସ ଓ ଅନ୍ୟାନ୍ୟ ସରକାରୀ ବିଭାଗରେ ନିଯୁକ୍ତି ସୁଯୋଗ ଦିଆଯିବ। ଗୃହ ମନ୍ତ୍ରଣାଳୟ ଏକ ସ୍ୱତନ୍ତ୍ର ପୋର୍ଟାଲ ମାଧ୍ୟମରେ ଏହି ନିଯୁକ୍ତି ପ୍ରକ୍ରିୟାକୁ ଆଗକୁ ବଢ଼ାଇବ। କେନ୍ଦ୍ରୀୟ ନିରାପତ୍ତା ବଳ ଯଥା ବିଏସଏଫ, ସିଆରପିଏଫ, ସିଆଇଏସଏଫ, ଆଇଟିବିପି ଏବଂ ଆସାମ ରାଇଫଲ୍ସରେ କନଷ୍ଟେବଳ ଓ ରାଇଫଲମ୍ୟାନ୍ ପଦବୀ ପାଇଁ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୫୦ ପ୍ରତିଶତ ଆରକ୍ଷଣର ବ୍ୟବସ୍ଥା ରହିଛି। ଏହାସହ ଲିଖିତ ପରୀକ୍ଷା, ଶାରୀରିକ ମାପଚୁପ ଓ ଦକ୍ଷତା ପରୀକ୍ଷାରେ ମଧ୍ୟ କୋହଳ ନିୟମ ଲାଗୁ ହେବ। ସେହିପରି ରେଳବାଇରେ କ୍ୟାଟେଗୋରୀ-୧ ପଦବୀ ପାଇଁ ୧୦ ପ୍ରତିଶତ ଏବଂ କ୍ୟାଟେଗୋରୀ-୨ ଓ ତା’ଠାରୁ ଉଚ୍ଚ ପଦବୀ ପାଇଁ ୫ ପ୍ରତିଶତ ସମାନ୍ତରାଳ ଆରକ୍ଷଣ ମିଳିବ।
ରାଜ୍ୟ ସରକାର: କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ଅଧୀନରେ ମଧ୍ୟ ପୂର୍ବତନ ଅଗ୍ନିବୀରଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ଏବଂ ଆରକ୍ଷଣ ସୁବିଧା ପ୍ରଦାନ କରାଯିବ। କେନ୍ଦ୍ର ସରକାରଙ୍କ ଏହି ନୂଆ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି— ଯେତେବେଳେ ଜଣେ ଅଗ୍ନିବୀର ସେନାରୁ ୪ ବର୍ଷର ସେବା ପୂରଣ କରି ବାହାରିବେ, ସେତେବେଳେ ସେମାନଙ୍କ ହାତରେ ଆଗାମୀ ଭବିଷ୍ୟତ ପାଇଁ ଚାକିରି ପତ୍ର ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବ।
