Student dies after fall from niser hostel terrace in jatni 1111x675 1 750x430

ହଷ୍ଟେଲ୍ ଛାତରୁ ପଡି ଛାତ୍ର ମୃତ

Spread the love

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଜଟଣୀସ୍ଥିତ ‘ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ’ (NISER) ପରିସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ହଷ୍ଟେଲ୍ ଛାତରୁ ଖସିପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ ପରିଚୟ ବିନୟ ସନ୍ୟାସୀ ଭେଙ୍କଟ୍ ଭାବେ ଚିହ୍ନଟ କରାଯାଇଛି। ଯିଏ କି ମହାରାଷ୍ଟ୍ରର ନାଗପୁରର ବାସିନ୍ଦା ଥିଲେ ଏବଂ ‘ଇଣ୍ଟିଗ୍ରେଟେଡ୍ ଏମ୍.ଏସ୍.ସି.’ ର ତୃତୀୟ ବର୍ଷର ଛାତ୍ର ଥିଲେ।

ସୂଚନା ଅନୁଯାୟୀ, କ୍ୟାମ୍ପସ୍ ମଧ୍ୟରେ ଥିବା ଭାଗୀରଥୀ ହଷ୍ଟେଲ୍ ଛାତରୁ କୌଣସି କାରଣବଶତଃ ଭେଙ୍କଟଙ୍କ ଗୋଡ଼ ଖସିଯିବାରୁ ସେ ତଳକୁ ଖସି ପଡ଼ିଥିଲେ। ସୁରକ୍ଷାକର୍ମୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ପାଇ ତୁରନ୍ତ NISER କ୍ୟାମ୍ପସ୍ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ତୁରନ୍ତ ଏମ୍ସ (AIIMS) ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା, କିନ୍ତୁ ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ଜଟଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ନିଜ ଅଧୀନକୁ ନେଇ ତଦନ୍ତ ଆରମ୍ଭ କରିଛି। ମୃତଦେହ ବର୍ତ୍ତମାନ ଏମ୍ସ ଭୁବନେଶ୍ୱରରେ ରଖାଯାଇଥିବା ବେଳେ ନାଗପୁରରୁ ପରିବାର ସଦସ୍ୟ ଆସିବା ପରେ ଯାଇ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *