Crime 2 300x157

ଚରିତ୍ରକୁ ସନ୍ଦେହ କରି ପତ୍ନୀଙ୍କୁ ତଣ୍ଟି ଚିପି ହତ୍ୟା କଲେ ଯବାନ

Spread the love

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗ୍ୱାଲିୟରରେ ସଶସ୍ତ୍ର ସୀମା ବଳର ଜଣେ ଯବାନ ନିଜ ପତ୍ନୀଙ୍କୁ ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଯବାନ ଜଣକ କରୱାଚୌଥ ପାଳନ ପାଇଁ ଜମ୍ମୁ-କଶ୍ମୀରରୁ ଛୁଟି ନେଇ ଘରକୁ ଆସିଥିଲେ । ତେବେ ଚରିତ୍ରକୁ ସନ୍ଦେହ କରି ପତ୍ନୀଙ୍କ ତଣ୍ଟି ଚିପି ହତ୍ୟା କରିଥିବା କୁହାଯାଉଛି। ଘଟଣା ସମୟରେ ଘରେ ଉଭୟଙ୍କ ଦୁଇ ସନ୍ତାନ ଉପସ୍ଥିତ ଥିଲେ। ହତ୍ୟା କରିବା ପରେ ପତ୍ନୀଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା କହି ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତ ହେଉଥିଲେ । ତେବେ ୧୨ ବର୍ଷୀୟ ଝିଅ ବାପାଙ୍କ କଳା କାରନାମାର ପର୍ଦ୍ଦାଫାଶ କରିଦେଲା । ପୁଲିସ ବର୍ତ୍ତମାନ ଅଭିଯୁକ୍ତ ଯବାନଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି ।

ପୁଲିସଠାରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଜ୍ଞାନ ସିଂହ ମୂଳତଃ ଭିଣ୍ଡ ଜିଲ୍ଲାର ବାସିନ୍ଦା। ସେ ବର୍ତ୍ତମାନ ଜମ୍ମୁ-କଶ୍ମୀରରେ ନିୟୋଜିତ ଅଛନ୍ତି। ତାଙ୍କ ପତ୍ନୀ ରିଙ୍କି ଏବଂ ପିଲାମାନେ ଗ୍ୱାଲିୟରର ମୁରାର ଥାନା ଅଞ୍ଚଳ ଅନ୍ତର୍ଗତ ଖୁରୈରୀରେ ଏକ ଭଡ଼ା ଘରେ ରହୁଥିଲେ। ଅକ୍ଟୋବର ୨୭ ତାରିଖରେ କରୱାଚୌଥ ପାଳନ ପାଇଁ ଜ୍ଞାନ ସିଂହ ଛୁଟି ନେଇ ଘରକୁ ଆସିଥିଲେ। ତାଙ୍କ ବାପା ମଧ୍ୟ ପରିବାର ସହ ଆସି ରହୁଥିଲେ। ରବିବାର ଜ୍ଞାନ ସିଂହ ନିଜ ବାପାଙ୍କୁ ଭିଣ୍ଡରେ ଛାଡ଼ିବାକୁ ଯାଇ ଗ୍ୱାଲିୟର ଫେରିଥିଲେ। ତେବେ ଘରେ ପହଞ୍ଚିବା ପରେ ପତ୍ନୀ ରିଙ୍କିଙ୍କୁ ମୋବାଇଲରେ କାହା ସହ କଥା ହେଉଥିବା ଦେଖି ଚରିତ୍ରକୁ ନେଇ ସନ୍ଦେହ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ଜ୍ଞାନ ସିଂହ ପତ୍ନୀଙ୍କୁ ତଳେ କଚାଡ଼ି ଦେବା ସହ ତାଙ୍କ ଛାତି ଉପରେ ଗୋଡ଼ ରଖି ତଣ୍ଟି ଚିପି ଦେଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣା ସମୟରେ ଘରେ ସେମାନଙ୍କ ନାବାଳକ ପୁଅ ଏବଂ ୧୨ ବର୍ଷୀୟ ଝିଅ ମଧ୍ୟ ଉପସ୍ଥିତ ଥିଲେ। ପୁଲିସର ସୂଚନା ଅନୁଯାୟୀ, ହତ୍ୟା ପରେ ଅଭିଯୁକ୍ତ ପତ୍ନୀଙ୍କ ମୃତଦେହକୁ ଶୋଇବା ଘରେ ରଖିଥିଲେ ଏବଂ ରାତିସାରା ସେହି କୋଠରୀରେ ରହିଥିଲେ। ପରଦିନ ସକାଳେ ସେ ମୃତଦେହକୁ ନିଜ କାର୍‌ରେ ରଖି ଭିଣ୍ଡ ଜିଲ୍ଲାର ଛୌନ୍ଦା ଗାଁକୁ ନେଇଯାଇଥିଲେ। ସେଠାରେ ରିଙ୍କିଙ୍କ ବାପଘର ଲୋକଙ୍କୁ ଫୋନ୍ କରି ହୃଦ୍‌ଘାତରେ ତାଙ୍କ ରିଙ୍କିଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲେ। ତେବେ ଝିଅ ନିଜ ମାମୁଘର ଲୋକଙ୍କ ଆଗରେ ବାପାଙ୍କ କଳାକାରନାମାର ପର୍ଦ୍ଦାଫାସ କରିଦେଇଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *