ନେପାଳରେ ଦୁଇ ହେଲିକପ୍ଟର ମୁହାଁମୁହିଁ: ଜଣେ ମୃତ, ଜଣେ ଆହତ
ନେପାଳ: ଏହି ସମୟର ବଡ଼ ଖବର ନେପାଳରୁ ସାମ୍ନାକୁ ଆସିଛି । ନେପାଳର ସୋଲୁଖୁମ୍ବୁ ଜିଲ୍ଲାରେ ଦୁଇଟି ହେଲିକପ୍ଟର ମଧ୍ୟରେ ଧକ୍କା ହେବାରୁ ବଡ଼ ଦୁର୍ଘଟଣା ଘଟିଛି । ଲ୍ୟାଣ୍ଡିଂ ସମୟରେ ଦୁଇ ହେଲିକପ୍ଟର ପରସ୍ପର ସହ ଧକ୍କା ହୋଇଥିବା ଜଣାପଡ଼ିଛି । ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି ।
ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଦୁଇଟି ହେଲିକପ୍ଟର ମଧ୍ୟରେ ଧକ୍କା ହେଉଥିବାର ଦୃଶ୍ୟ କଏଦ ହୋଇଛି । ଘଟଣାସ୍ଥଳ ନିକଟରେ ଅନେକ ଲୋକ ଉପସ୍ଥିତ ଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ନେପାଳର ସୋଲୁଖୁମ୍ବୁ ଜିଲ୍ଲାର ଫେରିଚେ ହେଲିପ୍ୟାଡ୍ରେ ଅବତରଣ ସମୟରେ ଫିଷ୍ଟେଲ୍ ଏବଂ ଡାଇନାଷ୍ଟି ଏୟାରର ଦୁଇଟି ହେଲିକପ୍ଟର ପରସ୍ପର ସହ ଧକ୍କା ହୋଇଥିଲା । ନେପାଳ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (CAAN)ର ସୂଚନା ଅଧିକାରୀ ଜ୍ଞାନେନ୍ଦ୍ର ଭୁଲ୍ଙ୍କ କହିବା ଅନୁଯାୟୀ, ଦୁଇଟି ହେଲିକପ୍ଟର ଅବତରଣ କରୁଥିବା ସମୟରେ ସେମାନଙ୍କର ପଙ୍ଖା ପରସ୍ପର ସହ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି । ସୋଲୁଖୁମ୍ବୁ ଜିଲ୍ଲା ପୁଲିସ କାର୍ଯ୍ୟାଳୟର ଡିଏସପି ନବୀନରାଜ ବୁଢ଼ାଥୋକିଙ୍କ ଅନୁଯାୟୀ, ଖୁମ୍ବୁ ପାସାଙ୍ଗ ଲ୍ହାମୁ ଅଞ୍ଚଳର ଫେରିଚେ ହେଲିପ୍ୟାଡ୍ରେ ଅବତରଣ ସମୟରେ ଦୁଇ ହେଲିକପ୍ଟରର ପଙ୍ଖା ପରସ୍ପର ସହ ଧକ୍କା ହୋଇଥିଲା । ଫଳରେ ଏହି ଦୁର୍ଘଟଣା ଘଟିଥିଲା । ମୃତକ କେଉଁ ଦେଶର ନାଗରିକ, ତାହା ପ୍ରଥମେ ସ୍ପଷ୍ଟ ହୋଇନାହିଁ । ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ମାଉଣ୍ଟେନ୍ ହେଲିକପ୍ଟର ଯୋଗେ ପଠାଯାଇଛି । ସୋଲୁଖୁମ୍ବୁର ପୁଲିସ ଇନ୍ସପେକ୍ଟର ମୌସମ ତାମାଙ୍ଗଙ୍କ ସୂଚନା ଅନୁଯାୟୀ, ମୃତକ ଜଣେ ବିଦେଶୀ ନାଗରିକ । ତାଙ୍କ ମୃତଦେହକୁ ପ୍ରଭୁ ହେଲିକପ୍ଟର ଯୋଗେ ଲୁକ୍ଲାକୁ ଅଣାଯାଇଛି ।
ସେପଟେ ଆମେରିକାର ଫ୍ଲୋରିଡାରେ ମଧ୍ୟ ଆଉ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି । ସୋମବାର ଦକ୍ଷିଣ ଫ୍ଲୋରିଡାର ଏକ ଜନବସତି ଅଞ୍ଚଳରେ ଏକ ବିଜନେସ୍ ଜେଟ୍ ବିମାନ ଖସିପଡ଼ିବାରୁ ଏଥିରେ ଥିବା ସମସ୍ତ ୯ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ଦିନ ପ୍ରାୟ ୧୨ଟା ୫୦ ମିନିଟ୍ ସମୟରେ ପାମ୍ ବିଚ୍ କାଉଣ୍ଟିର କ୍ରେଷ୍ଟହେଭେନ୍ ଅଞ୍ଚଳରେ ଏହି ଜେଟ୍ ବିମାନଟି ଖସିପଡ଼ିଥିଲା । ଖସିପଡ଼ିବା ପରେ ବିମାନଟି ଏକ ବଡ଼ ନିଆଁ ପିଣ୍ଡୁଳାରେ ପରିଣତ ହୋଇଯାଇଥିଲା । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାମ୍ ବିଚ୍ସ୍ଥିତ ରିସର୍ଟ ‘ମାର୍-ଏ-ଲାଗୋ’ଠାରୁ ପ୍ରାୟ ୯ ମାଇଲ୍ ବା ୧୪ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି । ଏହି ଭୟଙ୍କର ବିମାନ ଦୁର୍ଘଟଣାକୁ ନେଇ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।
