Flight

ବଦଳିଲା ବିମାନ ଟିକେଟ୍ ବୁକିଂ ନିୟମ, ଜାନୁଆରୀ ୧ରୁ ନୂଆ ନିୟମ ଲାଗୁ

Spread the love

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ବଡ଼ ଖବର । ଏଣିକି ବିମାନ ଟିକେଟ୍ ବୁକ୍ କରିବା ସମୟରେ ଭଡ଼ା ସହ ଅନ୍ୟାନ୍ୟ ଶୁଳ୍କକୁ ନେଇ ଆଉ ରହିବନି ଦ୍ୱନ୍ଦ୍ୱ । ଟିକେଟ୍ ବାତିଲ୍ କଲେ କେତେ ଟଙ୍କା କଟିବ ଏବଂ କେତେ ଟଙ୍କା ଫେରସ୍ତ ମିଳିବ, ତାହା ମଧ୍ୟ ଜାଣିପାରିବେ ଯାତ୍ରୀ । ଏଥିପାଇଁ କେନ୍ଦ୍ର ସରକାର ନୂଆ ବିମାନ ନିୟମ ଅଧିସୂଚିତ କରିଛନ୍ତି । ୨୦୨୭ ଜାନୁଆରୀ ୧ ତାରିଖରୁ ଏହି ନିୟମ ଲାଗୁ ହେବ ।

ସରକାରଙ୍କ ନୂଆ ନିୟମ ଅନୁଯାୟୀ, ବିମାନ କମ୍ପାନୀଗୁଡ଼ିକୁ ନିଜ ୱେବସାଇଟ୍ ଏବଂ ଅନ୍ୟ ବୁକିଂ ପ୍ଲାଟଫର୍ମରେ ଟିକେଟର ମୋଟ ମୂଲ୍ୟ ସହ ପ୍ରତ୍ୟେକ ଶୁଳ୍କର ବିସ୍ତୃତ ତଥ୍ୟ ଦେବାକୁ ପଡ଼ିବ । ଅର୍ଥାତ୍ କେବଳ ଟିକେଟର ମୋଟ ଦାମ୍ ନୁହେଁ, ବରଂ କେଉଁ ବାବଦରେ କେତେ ଟଙ୍କା ନିଆଯାଉଛି, ତାହା ମଧ୍ୟ ସ୍ପଷ୍ଟ ଭାବେ ଦର୍ଶାଇବାକୁ ହେବ । ଟିକେଟ୍ ବୁକିଂ ସରିବା ପରେ ଜାରି ହେଉଥିବା ଟିକେଟରେ ମଧ୍ୟ ଏହି ସମସ୍ତ ତଥ୍ୟ ଉଲ୍ଲେଖ ରହିବ ।

ନୂଆ ନିୟମ ଅନୁସାରେ, ଟିକେଟର ମୂଳ ଭଡ଼ା ବା ବେସ୍ ଫେୟାର, ଟ୍ୟାକ୍ସ, ଅନ୍ୟାନ୍ୟ ଫିସ୍, କ୍ୟାନ୍ସଲେସନ୍ ଚାର୍ଜ ଏବଂ ରିଫଣ୍ଡ ସମ୍ପର୍କିତ ସର୍ତ୍ତକୁ ଅଲଗା ଅଲଗା ଭାବେ ଦର୍ଶାଇବାକୁ ପଡ଼ିବ । ଏହା ସହ ବୁକିଂ ସମୟରେ ଅନ୍ୟ କୌଣସି ଅତିରିକ୍ତ ଶୁଳ୍କ ନିଆଯାଉଥିଲେ, ସେ ସମ୍ପର୍କରେ ମଧ୍ୟ ଯାତ୍ରୀଙ୍କୁ ଜଣାଇବାକୁ ହେବ । ଫଳରେ ଟିକେଟ୍ ବୁକ୍ କରିବା ପୂର୍ବରୁ ଯାତ୍ରୀମାନେ ନିଜର ମୋଟ ଖର୍ଚ୍ଚ ଜାଣିପାରିବେ । ଏଥିସହ ଟିକେଟ୍ ବାତିଲ୍ କରିବା ପରେ କେତେ ଟଙ୍କା ଫେରସ୍ତ ମିଳିବ, ସେନେଇ ମଧ୍ୟ ଆଗୁଆ ସ୍ପଷ୍ଟ ସୂଚନା ପାଇପାରିବେ ।

ଅନ୍ୟପଟେ, ନୂଆ ନିୟମରେ ବିମାନ ଭଡ଼ା ଉପରେ ସରକାରଙ୍କ ହସ୍ତକ୍ଷେପ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। କୌଣସି ଅସାଧାରଣ ପରିସ୍ଥିତିରେ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଲିଖିତ ଆଦେଶ ଜାରି କରି ବିମାନ ଭଡ଼ା ସମ୍ପର୍କରେ ଆବଶ୍ୟକ ନିର୍ଦ୍ଦେଶ ଦେଇପାରିବେ। ତେବେ କେଉଁ ପରିସ୍ଥିତିକୁ ଅସାଧାରଣ ବୋଲି ବିବେଚନା କରାଯିବ, ତାହା ନିୟମରେ ସ୍ପଷ୍ଟ କରାଯାଇନାହିଁ । ବିମାନ କମ୍ପାନୀଗୁଡ଼ିକ ଧାର୍ଯ୍ୟ କରୁଥିବା ଭଡ଼ା ଏବଂ ଏହା ସହ ଜଡ଼ିତ ଶୁଳ୍କ ଉପରେ ନାଗରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ନଜର ରଖିବ । ଯାତ୍ରୀଙ୍କୁ ସମସ୍ତ ଆର୍ଥିକ ତଥ୍ୟ ସ୍ୱଚ୍ଛ ଭାବେ ଜଣାଇବା ଏହି ନୂଆ ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ।

ସୂଚନାଯୋଗ୍ୟ, ସରକାର ଗତ ଅକ୍ଟୋବର ୩୧ ତାରିଖରେ ଭାରତୀୟ ବିମାନ ନିୟମ, ୨୦୨୬ (Bharatiya Vayuyan Niyam, 2026) ଅଧିସୂଚିତ କରିଛନ୍ତି । ଏହା ପ୍ରାୟ ୯୦ ବର୍ଷ ପୁରୁଣା ବିମାନ ଆଇନ, ୧୯୩୪ର ସ୍ଥାନ ନେଇଥିବା ନୂଆ ଆଇନଗତ ବ୍ୟବସ୍ଥାର ଅଂଶ । ନୂଆ ନିୟମ ୨୦୨୭ ଜାନୁଆରୀ ୧ରୁ କାର୍ଯ୍ୟକାରୀ ହୋଇ ୧୯୩୭ର ବିମାନ ନିୟମର ସ୍ଥାନ ନେବ । ତେବେ ଏହି ନୂଆ ନିୟମ ଲାଗୁ ହେବା ପରେ ବିମାନ ଟିକେଟ୍ ବୁକିଂ ପ୍ରକ୍ରିୟା ଅଧିକ ସ୍ୱଚ୍ଛ ହେବା ସହ ଯାତ୍ରୀମାନେ ନିଜ ଖର୍ଚ୍ଚ ଓ ରିଫଣ୍ଡ ସମ୍ପର୍କରେ ଆଗୁଆ ନିଷ୍ପତ୍ତି ନେଇପାରିବେ ।

Leave a Reply

Your email address will not be published. Required fields are marked *