From Harassment Probe To Drug Framing Allegation More Trouble For Ex Prisons DG Susanta Nath

ପୁଣି ବିବାଦରେ ଆଇପିଏସ ସୁଶାନ୍ତ ନାଥ: କଏଦୀଙ୍କୁ ମିଥ୍ୟା ନାର୍କୋଟିକ୍ସ ମାମଲାରେ ଫସାଇବାକୁ ଉଦ୍ୟମ ଅଭିଯୋଗ

Spread the love

ଭୁବନେଶ୍ୱର: ପୂର୍ବତନ ଜେଲ୍ ଡିଜି ସୁଶାନ୍ତ କୁମାର ନାଥଙ୍କ ନାମରେ ପୁଣି ଆସିଛି ଅଭିଯୋଗ। ପୂର୍ବରେ ଜଣେ ମହିଳା ଜେଲର ସୁଶାନ୍ତ ନାଥଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଓ ଭୟଭୀତ କରିବା ଅଭିଯୋଗ ଆଣିଥିଲେ । ଏହି ମାମଲାରେ ଆଶ୍ୱସ୍ତି ପାଇବା ପାଇଁ ସୋମବାର ଦିନ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସେ ଏବେ ଆଉ ଏକ ନୂତନ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି।ଜଣେ ନିଲମ୍ବିତ ଜେଲ ଅଧିକାରୀ ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଯେ, ସେ ଜଣେ ବିଚାରାଧୀନ କଏଦୀଙ୍କୁ ଏକ ମିଥ୍ୟା ନିଶା ଦ୍ରବ୍ୟ (ନାର୍କୋଟିକ୍ସ) ମାମଲାରେ ଫସାଇବାକୁ ଉଦ୍ୟମ କରିଥିଲେ। ଏନେଇ ସେ ଗୃହ ବିଭାଗକୁ ଚିଠି ଲେଖଛନ୍ତି ।

ବର୍ତ୍ତମାନ ନିଲମ୍ବିତ ଥିବା ବାଲେଶ୍ୱର ଜିଲ୍ଲା ଜେଲର ପ୍ରଦୀପ୍ତ କୁମାର ମହାଳିକ ଅଭିଯୋଗ କରିଛନ୍ତି ଯେ, ଅକ୍ଟୋବର ୯ ତାରିଖରେ ସୁଶାନ୍ତ ତାଙ୍କୁ ରାଜୀବ ଲୋଚନ ଦାସ ନାମକ ଜଣେ ବିଚାରାଧୀନ କଏଦୀଙ୍କ ପକେଟରେ ‘ବ୍ରାଉନ୍ ସୁଗାର’ (ନିଶା ଦ୍ରବ୍ୟ) ରଖିଦେବାକୁ ନିର୍ଦ୍ଦେଶ ଦେଇଥିଲେ। ମହାଲିକଙ୍କ କହିବା ଅନୁଯାୟୀ, ଅକ୍ଟୋବର ୮ ତାରିଖରେ ନାଥ ତାଙ୍କୁ ଫୋନ୍ କରି ଓଡ଼ିଶା ବନ୍ଦ ସତ୍ତ୍ୱେ ଏକ ଜରୁରୀ ବୈଠକ ପାଇଁ ଭୁବନେଶ୍ୱର ଡକାଇଥିଲେ। ପରଦିନ ସକାଳେ ଭୁବନେଶ୍ୱର ଜେଲ ଅଧୀକ୍ଷକ ସର୍ବେଶ୍ୱର ସାହୁ ତାଙ୍କୁ ଡିଜିଙ୍କ ବାସଭବନକୁ ନେଇଯାଇଥିଲେ, ଯେଉଁଠାରେ ସେ ନାଥଙ୍କ ନିର୍ଦ୍ଦେଶ ବିଷୟରେ ଜଣାଇଥିଲେ, ଯେ ବିଚାରାଧୀନ କଏଦୀଙ୍କ ପକେଟରେ ଗୋପନୀୟ ଭାବେ ବ୍ରାଉନ୍ ସୁଗାର ରଖିବାକୁ ହେବ। ମହାଲିକ କହିଛନ୍ତି ଯେ, ସେ ଏହି ବେଆଇନ ନିର୍ଦ୍ଦେଶକୁ ମାନିବାକୁ ମନା କରିଦେଇଥିଲେ। ପରେ ତାଙ୍କୁ ନାଥଙ୍କ କାର୍ଯ୍ୟାଳୟକୁ ଡକାଯାଇଥିଲା, ଯେଉଁଠାରେ ଉକ୍ତ ଆଇପିଏସ୍ ଅଧିକାରୀ ପୁନର୍ବାର ସେହି ନିର୍ଦ୍ଦେଶ ଦେବା ସହ ଏହା ବଦଳରେ ଟଙ୍କା ଓ ପଦୋନ୍ନତିର ପ୍ରଲୋଭନ ଦେଇଥିଲେ। ମହାଳିକ ପୁଣିଥରେ ଏହାକୁ ପ୍ରତ୍ୟାଖ୍ୟାନ କରିବାରୁ ପାଞ୍ଚ ଦିନ ପରେ ତାଙ୍କୁ କର୍ତ୍ତବ୍ୟରେ ଅବହେଳା ଓ ତ୍ରୁଟି ଦର୍ଶାଇ ନିଲମ୍ବିତ କରାଯାଇଥିଲା।

ଗୃହ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଏହି ଅଭିଯୋଗଗୁଡ଼ିକର ଯାଞ୍ଚ କରାଯିବ। ଗୋଟିଏ ପଟେ ଯୌନ  ନିର୍ଯାତନା ଭଳି ସଂଗୀନ ଅଭିଯୋଗରେ ଛନ୍ଦି ହୋଇପଡ଼ିଥିବା ସୁଶାନ୍ତ ନାଥଙ୍କୁ ଲାଗିଛି ଆଉ ଏକ ଝଟକା। ସଂସଦୀୟ କମିଟି ଓଡ଼ିଶାର ଜେଲ୍ ସୁରକ୍ଷା ନେଇ ଉଦବେଗ ପ୍ରକାଶ କରାଯିବା ସହ ଏ ସମ୍ବନ୍ଧରେ ହାଜର ପାଇଁ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଓ ସୁଶାନ୍ତ ନାଥଙ୍କୁ ନୋଟିସ୍ କରିଛନ୍ତି।

Leave a Reply

Your email address will not be published. Required fields are marked *