Untitled 1 copy

୨.୨୦ କୋଟି ଟଙ୍କାର ପୁରସ୍କାର ଘୋଷିତ ମାଓବାଦୀ ଅସୀମ ମଣ୍ଡଳଙ୍କ ଆତ୍ମସମର୍ପଣ

Spread the love

ବିଶ୍ରା : ଝାଡ଼ଖଣ୍ଡରେ ମାଓବାଦୀ ବିରୋଧୀ ଅଭିଯାନ ଜୋରଦାର ହେବା ପରେ ମାଓବାଦୀ ସଂଗଠନକୁ ଆଉ ଏକ ବଡ଼ ଝଟକା ଲାଗିଛି। ଝାଡ଼ଖଣ୍ଡର ଏକମାତ୍ର ଏକ କୋଟି ଟଙ୍କାର ପୁରସ୍କାର ଘୋଷିତ ମାଓବାଦୀ ଅସୀମ ମଣ୍ଡଳ ଓରଫ ଆକାଶ, ତିମିର, ମନୋଜ, ଦୀପକ ଓ ରାକେଶ ଆଜି ସକାଳେ କୋଲକାତା STF ସମ୍ମୁଖରେ ଆତ୍ମସମର୍ପଣ କରିଛି।
ଅସୀମ ମଣ୍ଡଳଙ୍କ ମୁଣ୍ଡ ଉପରେ ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ୧ କୋଟି ଟଙ୍କା ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ୧.୨୦ କୋଟି ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା। ଏହିପରି ଭାବେ ତାଙ୍କ ଉପରେ ମୋଟ ୨.୨୦ କୋଟି ଟଙ୍କାର ପୁରସ୍କାର ଥିଲା।
ଅସୀମ ମଣ୍ଡଳ ମୂଳତଃ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଜିଲ୍ଲାର ଚନ୍ଦ୍ରକୋଣା ଥାନା ଅଞ୍ଚଳର ଉତ୍ତର ଫୁଲଚୁକ ଗ୍ରାମର ବାସିନ୍ଦା ଅଟେ। ତାଙ୍କ ବିରୋଧରେ ବିଭିନ୍ନ ଥାନାରେ ମୋଟ ୫୫ଟି ମାମଲା ଥିବା ସୂଚନା ମିଳିଛି। ବିଶେଷକରି ମାଓବାଦୀଙ୍କ ଦୃଷ୍ଟିରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବା ସାରଣ୍ଡା ଅଞ୍ଚଳରେ ସେ ଦୀର୍ଘ ସମୟ ଧରି ସକ୍ରିୟ ଥିଲା।
ଝାଡ଼ଖଣ୍ଡରେ କେନ୍ଦ୍ରୀୟ ସୁରକ୍ଷା ବଳ ଓ ଝାଡ଼ଖଣ୍ଡ ପୁଲିସ ପକ୍ଷରୁ ଲଗାତାର ମାଓବାଦୀ ବିରୋଧୀ ଅଭିଯାନ ଚାଲିଥିବାରୁ ସଂଗଠନର ଅନେକ ସଦସ୍ୟ ନିଜ ଜୀବନ ବଞ୍ଚାଇବା ପାଇଁ ପଡ଼ୋଶୀ ରାଜ୍ୟଗୁଡ଼ିକୁ ପଳାଇଥିବା କୁହାଯାଉଛି। ଏହି ପରିସ୍ଥିତି ମଧ୍ୟରେ ଅସୀମ ମଣ୍ଡଳଙ୍କ ଆତ୍ମସମର୍ପଣକୁ ସୁରକ୍ଷା ବଳ ପାଇଁ ଏକ ବଡ଼ ସଫଳତା ଭାବେ ଦେଖାଯାଉଛି।
ଏହା ପୂର୍ବରୁ ପଶ୍ଚିମବଙ୍ଗର ବାଙ୍କୁଡ଼ା ଜିଲ୍ଲାରେ ଅସୀମ ମଣ୍ଡଳଙ୍କ ଦସ୍ତାର ତିନିଜଣ କୁଖ୍ୟାତ ମାଓବାଦୀ ମଧ୍ୟ ଆତ୍ମସମର୍ପଣ କରିଥିଲେ। ସେମାନଙ୍କ ମଧ୍ୟରେ ୧୫ ଲକ୍ଷ ଟଙ୍କାର ଇନାମୀ ରିଜିଓନାଲ କମିଟି ସଦସ୍ୟ ରାମପ୍ରସାଦ ମାର୍ଡି, ତାଙ୍କ ପତ୍ନୀ ତଥା ଜୋନାଲ କମାଣ୍ଡର ଓ ୧୦ ଲକ୍ଷ ଟଙ୍କାର ଇନାମୀ ମୀତା ଓରଫ ନୟନତାରା ଏବଂ ଅନ୍ୟ ଜଣେ ସଦସ୍ୟ ଗୌରୀ ସାମିଲ ଥିଲେ।
ଅସୀମ ମଣ୍ଡଳଙ୍କ ଆତ୍ମସମର୍ପଣ ସହ ଝାଡ଼ଖଣ୍ଡ ଓ ପଡ଼ୋଶୀ ଅଞ୍ଚଳରେ ମାଓବାଦୀ ସଂଗଠନ ବିରୋଧରେ ଚାଲିଥିବା ଅଭିଯାନକୁ ଆଉ ଏକ ବଡ଼ ସଫଳତା ମିଳିଥିବା ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *