Orangotan 1 1014x1024

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସହାୟତା ନେବ ଏସ୍‌ଟିଏଫ୍‌;୩ ଓରାଙ୍ଗଉଟାନଙ୍କୁ ରକ୍ତହୀନତା

Spread the love

ଭୁବନେଶ୍ବର : ଭୋଗରାଇରୁ ୫ ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ଏସ୍‌ଟିଏଫ୍‌କୁ ଆଉ ଏକ ସୁରାକ୍‌ ମିଳିଛି। ଓରାଙ୍ଗଉଟାନ ଚାଲାଣ ଚେର ବିଦେଶକୁ ଲମ୍ବିଛି। ଇଣ୍ଡୋନେସିଆରୁ ବାଂଲାଦେଶ, ଭାରତରୁ ଥାଇଲ୍ୟାଣ୍ଡ ପର୍ଯ୍ୟନ୍ତ ଲମ୍ବିଛି ସାମ୍ରାଜ୍ୟ। ବିଦେଶରେ ରହି ମାଫିଆ ପରିଚାଳିତ କରୁଥିବା ତଦନ୍ତରୁ ସାମ୍ନାକୁ ଆସିଛି। ବଡ଼ଧରଣର ସିଣ୍ଡିକେଟ୍‌ ଦ୍ବାରା ଓରାଙ୍ଗଉଟାନ ଡିଲ୍‌ ଓ ଚାଲାଣ କରାଯାଉଥିବାରୁ ୮ଦିନ ପରେ ବି ଘଟଣାର ରହସ୍ୟ ଏସଟିଏଫ୍‌ ଖୋଲି ପାରୁନି। କେବଳ ଦୀଘାର ହୋଟେଲ ମାଲିକ ଜୟନ୍ତ ମାଇତି ଓ ତାଙ୍କ ପୁଅ ସୌମ୍ୟଦୀପ ମାଇତିଙ୍କ ସମ୍ପୃକ୍ତି ସନ୍ଦେହ କରୁଛି। ସେମାନଙ୍କ ହାୱଡ଼ାସ୍ଥିତ ଘରେ ଚଢ଼ଉ କରିଥିଲା। ସେମାନଙ୍କୁ ନପାଇ ପରିବାରର ସଦସ୍ୟଙ୍କୁ ପଚରାଉଚରା କରି ଫେରି ଆସିଛି। ତେଣୁ ତଦନ୍ତ ପାଇଁ ଏକାଧିକ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସହାୟତା ଲୋଡ଼ାଯିବ। ଏଥିପାଇଁ ଏସ୍‌ଟିଏଫ୍‌ ପକ୍ଷରୁ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯାଇଛି।
ଅନୁରୂପ ଭାବେ, ୨ ମାସ ଧରି କଲକାତା, ବିହାର ଓ ଝାଡ଼ଖଣ୍ଡର ମାଫିଆଙ୍କୁ ନେଇ ବଡ଼ଧରଣର ଷଡଯନ୍ତ୍ର ସହ ଡିଲ୍‌ ଚାଲୁଥିବା ସିସିଟିଭିରୁ ସ୍ପଷ୍ଟ ହୋଇଯାଇଛି। ଏସ୍‌ଟିଏଫ୍‌ର ଏକାଧିକ ଦଳ ବିଭିନ୍ନ ରାଜ୍ୟରେ ଚଢ଼ଉ କରି ସନ୍ଦିଗ୍ଧଙ୍କୁ ଜେରା କରୁଛି। ଏଥିରେ ଓଡ଼ିଶାର କିଛି ମାଫିଆଙ୍କ ସମ୍ପୃକ୍ତି ସନ୍ଦେହ କରାଯାଉଛି। ଏସ୍‌ଟିଏଫ୍‌ର ବରିଷ୍ଠ ଅଧିକାରୀଙ୍କୁ ପ୍ରତ୍ୟେକ ଦିନ ଅଗ୍ରଗତି ସମ୍ପର୍କରେ ବିସ୍ତୃତ ତଥ୍ୟ ଦିଆଯାଉଛି। ଅନ୍ତର୍ଜାତୀୟ ୱାଇଲ୍ଡଲାଇଫ୍ ରାକେଟ୍‌ ସୁରାକ ମିଳିବା ପରେ ସିସିଟିଭି ଓ ମୋବାଇଲ ଡମ୍ପ ଦ୍ବାରା ମାଫିଆଙ୍କ ଗତିବିଧି ଯାଞ୍ଚ କରାଯାଉଛି।
ନନ୍ଦନକାନନ: ପିସିସିଏଫ୍‌ଙ୍କ ନେତୃତ୍ବରେ ଗଠିତ ଉଚ୍ଚସ୍ତରୀୟ ୫ ଜଣିଆ ବୈଷୟିକ କମିଟି ଦୁଇଦିନିଆ ନନ୍ଦନକାନନ ପରିଦର୍ଶନରେ ଆସି ୫ ଓରାଙ୍ଗଉଟାନ୍ ଛୁଆଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ। ବୁଧବାର ଏନେଇ ଏକ ବିସ୍ତୃତ ସ୍ବାସ୍ଥ୍ୟ ବୁଲେଟିନ୍ ଜାରି କରାଯାଇଛି। ଇନ୍‌-ହାଉସ୍‌ ହେମାଟୋଲୋଜି ବିଶ୍ଳେଷଣରୁ ଗୋଟିଏ ପ୍ରାଣୀଠାରେ ପ୍ରବଳ ରକ୍ତହୀନତା (ସିଭିୟର ଆନେମିଅା) ଏବଂ ଅନ୍ୟ ଦୁଇଟି ପ୍ରାଣୀଙ୍କଠାରେ ସାମାନ୍ୟ ରକ୍ତହୀନତା (ମାଇଲ୍ଡ ଆନେମିଆ) ଦେଖିବାକୁ ମିଳିଛି। ବୈଷୟିକ କମିଟିର ପରାମର୍ଶକ୍ରମେ ଓରାଙ୍ଗଉଟାନ ଛୁଆମାନଙ୍କୁ ଆବଶ୍ୟକ ସପ୍ଲିମେଣ୍ଟ ବା ପୁଷ୍ଟିକର ପରିପୂରକ ପ୍ରଦାନ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ଜଣାପଡ଼ିଛି।
ସ୍ବାସ୍ଥ୍ୟ ବୁଲେଟିନ୍ ଅନୁଯାୟୀ, ଗୋଟିଏ ଅଣ୍ଡିରା ଓରାଙ୍ଗଉଟାନ ଛୁଆର ଓଜନ ୫.୧ କିଲୋଗ୍ରାମ ଥିବାବେଳେ ଥର୍ମାଲ କ୍ୟାମେରା ଦ୍ବାରା ଶରୀରର ତାପମାତ୍ରା ୯୮.୪ ଡିଗ୍ରୀ ରେକର୍ଡ କରାଯାଇଛି। ପରୀକ୍ଷା ସମୟରେ ତା’ର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିଲା। ଖାଦ୍ୟ ଗ୍ରହଣ ସାଧାରଣ ରହିଛି। ଦ୍ବିତୀୟ ଅଣ୍ଡିରା ଓରାଙ୍ଗଉଟାନ ଛୁଆର ଓଜନ ୩.୫୬ କିଲୋଗ୍ରାମ, ତୃତୀୟ ଅଣ୍ଡିରା ଓରାଙ୍ଗଉଟାନ ଛୁଆର ଓଜନ ୨.୯୪ କିଲୋଗ୍ରାମ ଥିବା ବେଳେ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେହିପରି ଦୁଇଟି ମାଈ ଓରାଙ୍ଗଉଟାନ ଛୁଆଙ୍କ ଓଜନ ଯଥାକ୍ରମେ ୪.୨୩ କିଲୋଗ୍ରାମ ଏବଂ ୨.୧୪ କିଲୋଗ୍ରାମ ରହିଛି। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ଖାଦ୍ୟ ଗ୍ରହଣ ସାଧାରଣ ଓ ସ୍ବାଭାବିକ ରହିଛି। ସମସ୍ତ ଛୁଆଙ୍କ ଛାତି, ପେଟ ଏବଂ ମୁଣ୍ଡର ଏକ୍ସ-ରେ’ କରାଯିବା ସହ ରକ୍ତ, ସେରମ୍ ଏବଂ ନାସା-ଗ୍ରାସନୀ ସ୍ବାବ୍ ସଂଗ୍ରହ ହୋଇଛି। ବର୍ତ୍ତମାନ ଏହାର ଲାବ୍ ପରୀକ୍ଷା ଜାରି ରହିଛି। କମିଟିର ଆବାହକ ତଥା ନନ୍ଦନକାନନ ନିର୍ଦେଶକ ସନଥ କୁମାର ନାରାୟଣଙ୍କ ନେତୃତ୍ବରେ ଉପରୋକ୍ତ କମିଟି ୫ ଓରାଙ୍ଗଉଟାନ ଛୁଆଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଏନେଇ ନନ୍ଦନକାନନ ଉପନିର୍ଦେଶକ ମିରାସେ ପ୍ରଦୀପ ଦେବୀଦାସ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *