ଉତ୍ତର ଥାଇଲାଣ୍ଡରେ ଘୂର୍ଣ୍ଣିବଳୟ, ୧୯ରେ ଲଘୁଚାପ ; ୧୯ରେ ବାତ୍ୟା ଆକଳନ: ଆଇଏମ୍ଡି
ଭୁବନେଶ୍ବର: ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ନେଇ ଚର୍ଚ୍ଚା ଭିତରେ ଉତ୍ତର ଥାଇଲାଣ୍ଡ ଉପରେ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି। କିନ୍ତୁ ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେବ କି ନାହିଁ, ତା’ ଉପରେ ପାଣିପାଗ ବିଜ୍ଞାନୀମାନେ ଭିନ୍ନଭିନ୍ନ ମତ ପ୍ରକାଶ କରୁଥିବା ବେଳେ ଏହା ଉପରେ ସ୍ପଷ୍ଟ ମତ ରଖିଛନ୍ତି ଆଇଏମ୍ଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର।
ଶ୍ରୀ ମହାପାତ୍ର କହିଛନ୍ତି, ଅଦ୍ୟାବଧି ବାତ୍ୟା ଉପରେ ଆଇଏମ୍ଡି ପକ୍ଷରୁ କୌଣସି ପୂର୍ବାନୁମାନ କରାଯାଇନାହିଁ। ବାତ୍ୟା ଗୁଜବ ଉପରେ ଲୋକେ ବିଶ୍ବାସ କରନ୍ତୁ ନାହିଁ। କିନ୍ତୁ ଆଜି ଉତ୍ତର ଥାଇଲାଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହି ଘୂର୍ଣ୍ଣିବଳୟ ୧୮ ତାରିଖ ସନ୍ଧ୍ୟା ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ପହଞ୍ଚିବ। ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ସମ୍ଭାବ୍ୟ ଲଘୁଚାପ ଅଧିକ ଘନୀଭୂତ ହୋଇ ୩ରୁ ୪ ଦିନ ମଧ୍ୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇବ।
ଏହା କେତେ ଶକ୍ତିଶାଳୀ ହେବ, ଅବପାତ କି ଗଭୀର ଅବପାତ ହେବ ଏବଂ ବାତ୍ୟା ହେବ କି ନାହିଁ ତାହା ଉପରେ ଏବେ ପୂର୍ବାନୁମାନ କରାଯାଇନାହିଁ। ଲଘୁଚାପ ସୃଷ୍ଟି ହେବା ପରେ ୧୯ ତାରିଖ ବେଳକୁ ବାତ୍ୟା ଉପରେ ଅଧିକ ସ୍ପଷ୍ଟତା ଆସିପାରିବ। ସିଷ୍ଟମ ଉପରେ ପାଣିପାଗ ବିଭାଗ ପକ୍ଷରୁ ନିରନ୍ତର ନଜର ରଖାଯାଇଛି। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଜିଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଆଇଏମ୍ଡି ଡିଜି ସ୍ପଷ୍ଟ କରିଛନ୍ତି।
ଆସନ୍ତା ୨୦ ତାରିଖରୁ ଦକ୍ଷିଣ ଓଡ଼ିଶାର କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଏବଂ ଗଞ୍ଜାମ ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ମଧ୍ୟ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। ଆସନ୍ତା ୧୮ରେ ଉତ୍ତର ଓଡ଼ିଶାର ବାଲେଶ୍ବର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୧୯ରେ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। କିନ୍ତୁ, ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅନ୍ୟପଟେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୨୦ଟି ଜିଲାରେ ବଜ୍ରପାତ ସହ ବର୍ଷା ନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ପାଣିପାଗ ବିଶେଷଜ୍ଞ ବିଶ୍ବଜିତ୍ ସାହୁ କହିଛନ୍ତି, ଜିଏସ୍ଏଫ୍ ଏବଂ ଏହାର ଗ୍ରୁପ୍ ମଡେଲଗୁଡ଼ିକ ବାତ୍ୟା ନେଇ ଆକଳନ କରୁଛନ୍ତି। ବିଶ୍ବର ଅନ୍ୟ କୌଣସି ପାଣିପାଗ ମଡେଲ ବାତ୍ୟା ସଂକ୍ରାନ୍ତରେ ପ୍ରକାଶ କରୁନାହାନ୍ତି। ପ୍ରାଥମିକ ଆକଳନ କରୁଛି, ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ଅବପାତ ଅତି ବଡ଼ ହେଲେ ଗଭୀର ଅବପାତ ପର୍ଯ୍ୟନ୍ତ ଯାଇପାରେ। କାରଣ ସେପ୍ଟେମ୍ବର ୨୦ରୁ ୨୪ତାରିଖ ଭିତରେ ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେବା ପାଇଁ ପାଗ ଅନୁକୂଳ ରହି ନପାରେ। କିନ୍ତୁ ଲଘୁଚାପ ସୃଷ୍ଟି ହେଲା ପରେ ୧୯ ତାରିଖ ବେଳକୁ ବାତ୍ୟା ସ୍ଥିତି ଉପରେ ଅଧିକ ସ୍ପଷ୍ଟ ଆକଳନ କରାଯାଇ ପାରିବ।
ପାଣିପାଗ ବିଶେଷଜ୍ଞ ପ୍ରଫେସର୍ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବାତ୍ୟା ନେଇ ଆଜି ଆଉ କିଛି ମଡେଲ ସହମତି ପ୍ରକାଶ କରିଛନ୍ତି। ପ୍ରାଥମିକ ଭାବେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଲଘୁଚାପ ଗତି କରିବ ବୋଲି ସଙ୍କେତ ମିଳୁଥିଲା। ବର୍ତ୍ତମାନ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ମୁହଁାଇବା ପରିବର୍ତ୍ତେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସଙ୍କେତ ମିଳୁଛି। ସମ୍ଭାବ୍ୟ ଲଘୁଚାପ ଅବପାତ ରୂପ ନେବା ସମ୍ଭାବନା ଥିବା ବେଳେ ବାତ୍ୟା ଉପରେ ଲଘୁଚାପ ସୃଷ୍ଟି ହେବା ପରେ ୧୯ ତାରିଖ ବେଳକୁ ଅଧିକ ସ୍ପଷ୍ଟ ଆକଳନ କରାଯାଇପାରିବ। ଯଦି ସମ୍ଭାବ୍ୟ ଲଘୁଚାପ ବାତ୍ୟା ରୂପ ନିଏ, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପରେ ଅଧିକ ନଜର ରହିବ ବୋଲି ସେ କହିଛନ୍ତି। ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, ସମ୍ଭାବ୍ୟ ଲଘୁଚାପ ଗଭୀର ଅବପାତ ପର୍ଯ୍ୟନ୍ତ ଯାଇପାରେ। ବାତ୍ୟା ଆଶଙ୍କା କମ ତଥାପି ଲଘୁଚାପ ସୃଷ୍ଟି ହେବା ପରେ ୨୦ତାରିଖ ବେଳକୁ ସ୍ପଷ୍ଟ ଆକଳନ କରାଯାଇ ପାରିବ।
