ଯୁବକଙ୍କୁ ପିଟିପିଟି ହତ୍ୟା, ଅଭିଯୁକ୍ତଙ୍କ ଘରେ ନିଆଁ ଲଗାଇଲେ ଉତ୍ୟକ୍ତ ଲୋକେ
ଡେରାଡୁନ : ଉତ୍ତରାଖଣ୍ଡର ଡେରାଡୁନ ଜିଲ୍ଲା ଅନ୍ତର୍ଗତ ବିକାଶନଗରରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ପରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣା ପରେ ଉତ୍ୟକ୍ତ ଲୋକେ ଅଭିଯୁକ୍ତଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି, ଯାହାଫଳରେ ସ୍ଥିତି ଅଧିକ ଗମ୍ଭୀର ହୋଇପଡ଼ିଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସେହି ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି ।
ଖବର ମୁତାବକ, କ୍ଷେତରେ ପାଣି ମଡ଼ାଇବାକୁ ନେଇ ଦୁଇ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା । ଏହି ଝଗଡ଼ା ଭୟଙ୍କର ସଂଘର୍ଷର ରୂପ ନେଇଥିଲା । ବିଜେପି ଓବିସି ମୋର୍ଚ୍ଚାର ନେତା ବିନୋଦ କଶ୍ୟପଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର କିଛି ଲୋକ ଯୁବକଙ୍କୁ ଘେରିଯାଇ ନିର୍ଧୁମ ମାଡ଼ ମାରିଥିଲେ, ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଆକ୍ରମଣରେ ଜଣେ ମହିଳାଙ୍କ ସମେତ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ଯୁବକଙ୍କ ମୃତ୍ୟୁ ପରେ ଉତ୍ୟକ୍ତ ଲୋକ ପୋଲିସ ଉପସ୍ଥିତିରେ ହିଁ ଅଭିଯୁକ୍ତଙ୍କ ଘର ଉପରକୁ ପଥରମାଡ଼ କରିବା ସହ ତାଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି ।
ବିକ୍ଷୋଭକାରୀମାନେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଜାତୀୟ ରାଜପଥକୁ ବହୁ ସମୟ ଧରି ଜାମ୍ କରି ରଖିଥିଲେ । ଗୁଜବ ଏବଂ ହିଂସାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସମଗ୍ର ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ସାମୟିକ ଭାବେ ସସପେଣ୍ଡ କରାଯାଇଛି । ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ପୂରା ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ବିନୋଦଙ୍କ ବାପା ନିଜ ପୁଅର ଅନ୍ତିମ ସଂସ୍କାର କରିବାକୁ ମନା କରିଛନ୍ତି, ଯେ ପର୍ଯ୍ୟନ୍ତ ଅଭିଯୁକ୍ତକୁ ଏନକାଉଣ୍ଟର କରାଯାଇନାହିଁ, ସେମାନଙ୍କ ଘରେ ବୁଲଡୋଜର ଆକ୍ସନ ନିଆ ନ ଯାଇଛି ।
