Cjp e1791046238909 300x177

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆସନ୍ତା ୧୦ରୁ ସିଜେପିର ଜନ୍ତର ମନ୍ତର ୨.୦

Spread the love

ନୂଆଦିଲ୍ଲୀ: ଅକ୍ଟୋବର ୧୦ରୁ ଜନ୍ତର ମନ୍ତର ୨.୦ । ଆରମ୍ଭ ହେବ ଦିଲ୍ଲୀ ଚଲୋ ଅଭିଯାନ । ଚେତାବନୀ ଦେଲା ସିଜେପି । ଯେଉଁଠି ପୋଲିସ ଅଟକାଇବ ସେହି ସ୍ଥାନ ପାଲଟିବ ଜନ୍ତରମନ୍ତର । ଗାନ୍ଧିବାଦୀ ମାର୍ଗରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଲେ ଅଭିଜିତ୍ ଦୀପକେ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦେଶବ୍ୟାପୀ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଯଦି ସେ ନିଜ ପଦରୁ ତୁରନ୍ତ ଇସ୍ତଫା ନଦିଅନ୍ତି, ତେବେ ଆଗାମୀ ଅକ୍ଟୋବର ୧୦ ତାରିଖରେ ସାରା ଦେଶରୁ ଯୁବ କର୍ମୀମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରି ଜନ୍ତରମନ୍ତରରେ ବିରାଟ ପ୍ରତିବାଦ ପ୍ରଦର୍ଶନ କରିବେ ବୋଲି ‘କକ୍ରୋଚ୍ ଜନତା ପାର୍ଟି’ ପକ୍ଷରୁ ଚେତାବନୀ ଦିଆଯାଇଛି ।

​ସିଜେପିର ପ୍ରତିଷ୍ଠାତା ଅଭିଜିତ ଦୀପକେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ’ରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, “ଯଦି ଜ୍ଞାନେଶ କୁମାର ଇସ୍ତଫା ନଦିଅନ୍ତି, ତେବେ ଭାରତର କୋଣଅନୁକୋଣରୁ ‘କକ୍ରୋଚ୍’ମାନେ ଦିଲ୍ଲୀ ମୁହାଁ ହେବେ ଏବଂ ଅକ୍ଟୋବର ୧୦ରେ ଜନ୍ତରମନ୍ତରଠାରେ ବିକ୍ଷୋଭ କରିବେ । ଯଦି ଦିଲ୍ଲୀ ପୁଲିସ ଆମକୁ ଅଟକାଇବାକୁ ଚେଷ୍ଟା କରେ, ତେବେ ଯେଉଁ ସ୍ଥାନରେ ଆମକୁ ଅଟକାଯିବ, ସେହି ସ୍ଥାନ ହିଁ ଆମର ଜନ୍ତରମନ୍ତର ପାଲଟିବ । ପ୍ରତିବାଦର ରୂପରେଖ ସମ୍ପର୍କରେ ସ୍ପଷ୍ଟ କରି ସେ ଉଲ୍ଲେଖ କରିଛନ୍ତି ଯେ, ଏହି ଆନ୍ଦୋଳନ ସମ୍ପୂର୍ଣ୍ଣ ଭାବେ ଅହିଂସା ଉପରେ ଆଧାରିତ ହେବ । ଦୀପକେ କହିଛନ୍ତି, ଆମର ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାର ସାମ୍ବିଧାନିକ ଅଧିକାରକୁ ସରକାର ଓ ଦିଲ୍ଲୀ ପୁଲିସ ସମ୍ମାନ ଜଣାଉଛନ୍ତି କିମ୍ବା ଗତ ଜୁଲାଇ ୨୦ ତାରିଖରେ ପ୍ରଦର୍ଶନ କରିଥିବା ବର୍ବରତାକୁ ପୁନରାବୃତ୍ତି କରୁଛନ୍ତି, ତାହା ସେମାନଙ୍କ ଉପରେ ନିର୍ଭର କରେ ।

ଦୀପକେ ଏହାକୁ ଭାରତୀୟ ଗଣତନ୍ତ୍ରର ସୁରକ୍ଷା ପାଇଁ ଏକ ମୁଖ୍ୟ ଲଢ଼େଇ ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ, ଦେଶରେ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ଚାହୁଁଥିବା ପ୍ରତ୍ୟେକ ନାଗରିକ ଏହି ଅଭିଯାନରେ ସାମିଲ ହେବା ଆବଶ୍ୟକ । ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ତଥା ଭୋଟରଙ୍କ ନାମ କାଟିବା ଅଭିଯୋଗ ନେଇ ବିଭିନ୍ନ ରାଜନୈତିକ ଦଳ ଓ ଯୁବ ସଂଗଠନ ପୂର୍ବରୁ ହିଁ ନିର୍ବାଚନ ଆୟୋଗଙ୍କ ବିରୋଧରେ ପ୍ରତିବାଦ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ଅକ୍ଟୋବର ୧୦ର ‘ଦିଲ୍ଲୀ ଚଲୋ’ ଡାକରା ପୁଣି ଥରେ ଉତ୍ତେଜନା ସୃଷ୍ଟି କରିବାର ସମ୍ଭାବନା ଦେଖାଦେଇଛି ।

Leave a Reply

Your email address will not be published. Required fields are marked *