ଦୁନିଆର ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍ ଉପରେ ୧୦୦ କିମି ବେଗରେ ଦୌଡ଼ିଲା ବନ୍ଦେ ଭାରତ
ଶ୍ରୀନଗର: ଜମ୍ମୁ-କଶ୍ମୀରର ପାହାଡ଼ିଆ ରାସ୍ତାରେ ଏବେ ଆହୁରି ବେଗରେ ଦୌଡ଼ିବ ବନ୍ଦେ ଭାରତ। ଦୁନିଆର ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍ ଚେନାବ ରେଲୱେ ବ୍ରିଜ୍ ଉପରେ ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗରେ ଦୌଡ଼ିଛି ବନ୍ଦେ ଭାରତ ଏକ୍ସପ୍ରେସ୍। ଏହା ସହ ଭାରତର ପ୍ରଥମ କେବଲ୍-ଷ୍ଟେ ରେଲୱେ ବ୍ରିଜ୍ ଅଞ୍ଜି ଖଡ୍ଡ ବ୍ରିଜ୍ ମଧ୍ୟ ସମାନ ବେଗରେ ଅତିକ୍ରମ କରିଛି ଟ୍ରେନ୍। ଜମ୍ମୁ-କଶ୍ମୀରର ରିଆସି ଅଞ୍ଚଳରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। କଟରା-ବନିହାଲ ୧୧୧ କିଲୋମିଟର ଲମ୍ବା ବ୍ରଡ୍ଗେଜ୍ ରେଲୱେ ସେକ୍ସନ୍ରେ ଟ୍ରେନ୍ର ସର୍ବାଧିକ ଅନୁମୋଦିତ ବେଗକୁ ୭୫ କିମି ପ୍ରତି ଘଣ୍ଟାରୁ ବଢ଼ାଇ ୧୦୦ କିମି ପ୍ରତି ଘଣ୍ଟା କରାଯାଇଛି। ଏହି ସ୍ପିଡ୍ ବୃଦ୍ଧି ପରେ ବନ୍ଦେ ଭାରତ ପ୍ରଥମ ଥର ପାଇଁ ଉଭୟ ବିଶାଳ ବ୍ରିଜ୍ ଉପରେ ୧୦୦ କିମି ବେଗରେ ଚାଲିଛି।
ଉତ୍ତର ରେଳର ବିଭାଗର ଜମ୍ମୁ ଡିଭିଜନ୍ ଅଧୀନରେ ଥିବା କଟରା-ବନିହାଲ ସେକ୍ସନ୍ରେ ପୂର୍ବରୁ ସର୍ବାଧିକ ୭୫ କିମି ପ୍ରତି ଘଣ୍ଟା ବେଗରେ ଟ୍ରେନ୍ ଚଳାଚଳ କରୁଥିଲା। ରେଲୱେ ପକ୍ଷରୁ ଆବଶ୍ୟକ ସୁରକ୍ଷା ଯାଞ୍ଚ ଓ ସମସ୍ତ ମାନଦଣ୍ଡ ପୂରଣ ପରେ ଚଳିତ ବର୍ଷ ଅଗଷ୍ଟରେ ବେଗ ବଢ଼ାଇବାକୁ ଅନୁମତି ମିଳିଥିଲା। ଏହା ପରେ ଗୁରୁବାର ଏହି ରୁଟ୍ରେ ସ୍ପିଡ୍ ବୃଦ୍ଧିର ସଫଳ ପରୀକ୍ଷଣ କରାଯାଇଥିଲା। ଏବେ ୧୧୧ କିମି ଲମ୍ବା କଟରା-ବନିହାଲ ସେକ୍ସନ୍ରେ ସର୍ବାଧିକ ୧୦୦ କିମି ବେଗରେ ଟ୍ରେନ୍ ଚଳାଇବା ସମ୍ଭବ ହୋଇଛି। ଚେନାବ ନଦୀ ଉପରେ ନିର୍ମିତ ଚିନାବ ରେଲୱେ ବ୍ରିଜ୍ ହେଉଛି ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ୍। ଏହି ବିଶାଳ ରେଲୱେ ପୋଲ୍ ଉପରେ ୧୦୦ କିମି ବେଗରେ ବନ୍ଦେ ଭାରତର ଦୌଡ଼ିବା ଏହି ରେଳ ସଂଯୋଗର ନୂଆ କ୍ଷମତାକୁ ଦର୍ଶାଉଛି। କେବଳ ଚେନାବ ବ୍ରିଜ୍ ନୁହେଁ, ଭାରତର ପ୍ରଥମ କେବଲ୍-ଷ୍ଟେ ରେଲୱେ ବ୍ରିଜ୍ ଅଞ୍ଜି ବ୍ରିଜ୍ ଉପରେ ମଧ୍ୟ ବନ୍ଦେ ଭାରତ ସମାନ ବେଗରେ ଗତି କରିଛି। ଏହି ଦୁଇଟି ବ୍ରିଜ୍ ଅତିକ୍ରମ କରିବା ବେଳେ ୧୦୦ କିମି ବେଗ ହାସଲ କରିବାକୁ ରେଲୱେ ଏକ ନୂଆ ରେକର୍ଡ ଭାବେ ଦେଖୁଛି।
