ବାଲିଗୁଡ଼ାରେ ସାମୂହିକ ଇସ୍ତଫା ଦେଲେ ବିଜେଡ଼ି କର୍ମୀ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲାର ବିଜେଡ଼ି ଦଳର ଉପସଭାପତି ଟୁନା ଦାଶ ଓ ଜିଲ୍ଲା ସାଧାରଣ ସଂପାଦକ ପ୍ରମୋଦ ସାହୁଙ୍କୁ ଦଳରୁ ନିଳମ୍ବିତ ପ୍ରତିବାଦରେ ଏକାଧିକ ନେତା ଇସ୍ତଫା ଦେଇଛନ୍ତି।
ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ୫୪ଟି ପଞ୍ଚାୟତର ସଭାପତି, ଚାରୋଟି ବ୍ଲକର ସଭାପତି, ତିନୋଟି ବ୍ଲକର ଅଧକ୍ଷ, ଜି.ଉଦୟଗିରି ଏନଏସିର ଉପାଧ୍ୟକ୍ଷ, ବାଲିଗୁଡ଼ା ଏନଏସି ଅଧକ୍ଷଙ୍କ ସମେତ ୧୧ଜଣ କାଉନସିଲର ସମେତ ସମିତି ସଭ୍ୟ, ସରପଞ୍ଚ ଓ ୫୦୦ରୁ ଉର୍ଦ୍ଧ୍ବ କର୍ମୀ ପ୍ରାଥମିକ ସଦସ୍ୟ ପଦରୁ ସାମୂହିକ ଇସ୍ତଫା ଦେଇଛନ୍ତି। ସୂଚନା ଅନୁଯାୟୀ ଗତ ୩ ତାରିଖରେ ନିଳମ୍ବିତ ବିଜେଡ଼ି ଦଳର ବିଧାୟକ ଚକ୍ରମଣି କହଁରଙ୍କୁ ବିଜେଡ଼ି ଉପସଭାପତି ଟୁନା ଦାଶଙ୍କ ନେତୃତ୍ୱରେ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉକ୍ତ ଘଟଣାକୁ ନେଇ ସନ୍ଧ୍ୟାବେଳେ ବିଜେଡ଼ି ସୁପ୍ରିମୋଙ୍କ ନିର୍ଦ୍ଦେଶରେ ଦଳର ସାଧାରଣ ସଂପାଦକ ବିଜୟ ନାୟକ କନ୍ଧମାଳ ଜିଲ୍ଲା ଉପସଭାପତି ଟୁନା ଦାଶ ଓ ଜିଲ୍ଳା ସାଧାରଣ ସଂପାଦକ ପ୍ରମୋଦ କୁମାର ସାହୁଙ୍କୁ ଦଳରୁ ନିଳମ୍ବିତ କରିଥିଲେ।
ଏ ଦୁଇଜଣ ବରିଷ୍ଠ ନେତାଙ୍କ ନିଲମ୍ବନ ଆଦେଶକୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବିଜେଡ଼ି କର୍ମୀ। ଏହାର ପ୍ରତିବାଦରେ ସାମୂହିକ ଇସ୍ତଫା ଦେବା ସହ ବିଜୟ ନାୟକଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ବିଜେଡ଼ି କର୍ମୀ।
