ଜୁନ ୨୨ ପରେ ହୋଇପାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ
ଭୁବନେଶ୍ୱର : ଦିଲ୍ଲୀରେ ଅଦଳବଦଳ ପରେ ଓଡ଼ିଶା ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ସମ୍ଭାବନା । ଚର୍ଚ୍ଚା ହେଉଛି ଜୁନ ୨୨ ତାରିଖ ପରେ କୌଣସି ସମୟରେ ବି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ । ଜୁନ ୧୭-୧୮ରେ କେନ୍ଦ୍ରରେ ମନ୍ତ୍ରିମଣ୍ଡଳର ରୂପରେଖ ବଦଳିପାରେ । ଜୁନ ୨୦ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜୁନ ୨୧ ରହିଛି ଯୋଗ ଦିବସ । ଏହା ପରେ ମନ୍ତ୍ରିମଣ୍ଡଳ ସମ୍ପର୍କରେ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାକୁ ନେଇ କସରତ ଆରମ୍ଭ ହୋଇଯାଇଛି । କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରିଥିଲେ । ସେଠାରୁ ଗ୍ରୀନ ସିଗନାଲ ମିଳି ସାରିଛି । ବର୍ତ୍ତମାନ ମନ୍ତ୍ରୀମଣ୍ଡଳରେ ୬ଟି ପଦବୀ ଖାଲି ପଡ଼ିଛି ।
ଚର୍ଚ୍ଚା ହେଉଛି ୬ରୁ ୮ ଜଣ ନୂଆ ମୁହଁଙ୍କୁ ସୁଯୋଗ ମିଳିପାରେ । କାର୍ଯ୍ୟଦକ୍ଷତା ଓ ଆନୁଗତ୍ୟକୁ ମୁଖ୍ୟ ମାନଦଣ୍ଡ ଭାବେ ବିଚାର କରାଯାଉଛି। ମନ୍ତ୍ରୀମାନଙ୍କୁ ସେମାନଙ୍କ ରିପୋର୍ଟ କାର୍ଡ ଦେବାକୁ କୁହାଯାଇଛି। ସଫଳତା, ଉପଲବ୍ଧି ଓ ଭବିଷ୍ୟତ ଯୋଜନା ବିଷୟରେ ରିପୋର୍ଟ କାର୍ଡ ଦାଖଲ କରୁଛନ୍ତି ମନ୍ତ୍ରୀ। ୨-୩ ଜଣ ମନ୍ତ୍ରୀଙ୍କ କାର୍ଯ୍ୟର ସମୀକ୍ଷା ସରିଛି । ମୁଖ୍ୟମନ୍ତ୍ରୀ ନିଜେ ଏହି ରିପୋର୍ଟର ସମୀକ୍ଷା କରୁଛନ୍ତି ଏହାସହ ବିଧାୟକଙ୍କ ସହ ୱାନ ଟୁ ୱାନ ଆଲୋଚନା ଚାଲିଛି । ସମସ୍ତଙ୍କ କାର୍ଯ୍ୟ ଦକ୍ଷତାର ସମୀକ୍ଷା ହେଉଛି । ଜୁନ୍ ୯ ତାରିଖ ସୁଦ୍ଧା ସମସ୍ତ ମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ସମୀକ୍ଷା ଶେଷ ହେବ । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି । ସମୀକ୍ଷା ଆଧାରରେ କିଛି ନୂଆ ମୁହଁକୁ ସ୍ଥାନ ମିଳିପାରେ। ଏହାସହ କିଛି ମନ୍ତ୍ରୀଙ୍କ ବିଭାଗ ବଦଳି ପାରେ।
ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେଲେ ବଡ ଦାୟୀତ୍ବ ମିଳିପାରେ ବାଚସ୍ପତି ସୁରମା ପାଢ଼ୀଙ୍କୁ । କୁହାଯାଉଛି ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିବା ପାଇଁ ଦଳର ଶୀର୍ଷ ନେତୃତ୍ୱ ଚର୍ଚ୍ଚା ଆଲୋଚନା କରୁଛନ୍ତି । ପୂର୍ବରୁ ବିଜେଡି-ବିଜେପି ମେଣ୍ଟ ସରକାରରେ ସେ ସମବାୟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ତେଣୁ ଅନୁଭବ ଓ ଅଭିଜ୍ଞତା ଦୃଷ୍ଟିରୁ ତାଙ୍କୁ ବଡ ଦାୟିତ୍ବ ଦେବାକୁ ଦଳ ବିଚାର ବିମର୍ଶ କରୁଛନ୍ତି । ସେହିଭଳି ଆଉ ଜଣେ ବରିଷ୍ଠ ନେତା ଜୟ ନାରାୟଣ ମିଶ୍ରଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ମିଳିପାରେ। ସେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇ ପାରନ୍ତି । ପୂର୍ବରୁ ମେଣ୍ଟ ସରକାରରେ ମଧ୍ଯ ସେ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି । ବିରୋଧୀ ଦଳ ନେତା ଭାବେ ମଧ୍ଯ କାର୍ଯ୍ୟ କରିଛନ୍ତି। ଏଥିପାଇଁ ମନ୍ତ୍ରିମଣ୍ଡଳରେ ସାମିଲ ହେବା ପାଇଁ ସେ ଅନ୍ୟତମ ଦାବିଦାର ଅଛନ୍ତି । ଏହି ଦୁଇ ଜଣଙ୍କ ବ୍ୟତୀତ ବିଧାୟକ ଇରାଶିଷ ଆଚାର୍ଯ୍ୟ, ଉପାସନା ମହାପାତ୍ର, ସଞ୍ଜଳି ମୁର୍ମୁ ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
