Images 1

ପାନାମାରେ ଶକ୍ତିଶାଳୀ ଭୂକମ୍ପ ଝଟକା; ଅନେକ କୋଠା କ୍ଷତିଗ୍ରସ୍ତ, ସୁନାମି ଆଲର୍ଟ ଜାରି

Spread the love

ନୂଆଦିଲ୍ଲୀ: ପନାମାରେ ଶକ୍ତିଶାଳୀ ଭୂକମ୍ପର ଝଟକାରେ ଥରି ଉଠିଲା ଧରିତ୍ରୀ । ଦକ୍ଷିଣ ପନାମାରେ ୭.୭ ଓ ୬.୬ ତୀବ୍ରତାର ଦୁଇଟି ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଥିଲା । ଏହା ପରେ ଏକାଧିକ ଥର ଆଫ୍ଟରଶକ୍‌ ମଧ୍ୟ ଅନୁଭୂତ ହୋଇଥିଲା । ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଲୋକମାନେ ଘରୁ ବାହାରକୁ ଦୌଡ଼ି ଆସିଥିଲେ । ଅନେକ କୋଠା କ୍ଷତିଗ୍ରସ୍ତ ହୋଇଥିବା ଖବର ମିଳିଛି ।

ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (USGS) ଅନୁଯାୟୀ, ପ୍ରଥମ ଓ ସବୁଠାରୁ ଶକ୍ତିଶାଳୀ ଭୂକମ୍ପଟି ହେରେରା ପ୍ରଦେଶର ପିତାଲୋସା ଆରିବା ନାମକ ସ୍ଥାନର ପ୍ରାୟ ୧୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଥିବା ଏକ ଦୁର୍ଗମ ଅଞ୍ଚଳରେ ହୋଇଥିଲା । ଭୂପୃଷ୍ଠଠାରୁ ପ୍ରାୟ ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୭ ରେକର୍ଡ କରାଯାଇଥିଲା । ଭୂକମ୍ପ ପରେ ୫.୮, ୫.୫ ଓ ୫.୨ ତୀବ୍ରତାର ଏକାଧିକ ପରବର୍ତ୍ତୀ ଝଟକା ବା ଆଫ୍ଟରଶକ୍‌ ଅନୁଭୂତ ହୋଇଥିଲା । ପନାମା ବିଶ୍ୱବିଦ୍ୟାଳୟର ଭୂକମ୍ପ ବିଜ୍ଞାନୀମାନେ ୪୫ରୁ ଅଧିକ ଆଫ୍ଟରଶକ୍‌ ରେକର୍ଡ କରିଥିଲେ । ତେବେ ଏଥିମଧ୍ୟରୁ ଅନେକ ଝଟକା ଏତେ ଦୁର୍ବଳ ଥିଲା ଯେ ଲୋକେ ତାହା ଅନୁଭବ କରିପାରି ନଥିଲେ ।

ଭୂକମ୍ପ ଯୋଗୁଁ ଅନେକ କୋଠା କ୍ଷତିଗ୍ରସ୍ତ ହେବା ସହ ରାସ୍ତାରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଥିବା ଖବର ମିଳିଛି । ତେବେ ଏପର୍ଯ୍ୟନ୍ତ କାହାରି ମୃତ୍ୟୁ ନେଇ ଅଧିକାରିକ ଭାବେ ସୂଚନା ମିଳିନାହିଁ । ପନାମାର ରାଷ୍ଟ୍ରପତି ଜୋସେ ରାଉଲ୍‌ ମୁଲିନୋ କହିଛନ୍ତି ଯେ ଏପର୍ଯ୍ୟନ୍ତ କାହାରି ମୃତ୍ୟୁ ହୋଇଥିବା ଖବର ଅଧିକାରୀଙ୍କ ପାଖରେ ପହଞ୍ଚିନାହିଁ । ଭୂକମ୍ପ ପରେ ଅନେକ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଥିଲା । ବର୍ତ୍ତମାନ ପ୍ରଭାବିତ ଅଞ୍ଚଳଗୁଡ଼ିକରେ କ୍ଷୟକ୍ଷତିର ଆକଳନ ଚାଲିଛି । ପନାମାର ଜାତୀୟ ନାଗରିକ ସୁରକ୍ଷା ସେବାର ଅଧିକାରୀ ଓମାର ସ୍ମିଥ୍‌ ଟେଲିମେଟ୍ରୋ ରିପୋର୍ଟା ନ୍ୟୁଜ୍‌ ଚ୍ୟାନେଲକୁ କହିଛନ୍ତି ଯେ ଭେରାଗୁଆସ୍‌, ହେରେରା ଓ ଲସ୍‌ ସାଣ୍ଟୋସ୍‌ ପ୍ରଦେଶରେ ଅଧିକ କ୍ଷୟକ୍ଷତି ହୋଇଛି । ତେବେ ରାଜଧାନୀ ପନାମା ସିଟିରେ କୌଣସି କ୍ଷୟକ୍ଷତିର ଖବର ମିଳିନାହିଁ ।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଲସ୍‌ ସାଣ୍ଟୋସ୍‌ ପ୍ରଦେଶରେ ଥିବା ଐତିହାସିକ ସାନ୍‌ ଆଟାନାସିଓ ଚର୍ଚ୍ଚ ଭୁଶୁଡ଼ି ପଡ଼ିଛି । ୧୯୩୮ ମସିହାରେ ଏହି ଚର୍ଚ୍ଚକୁ ଜାତୀୟ ଐତିହାସିକ ଐତିହ୍ୟ ଭାବେ ଘୋଷଣା କରାଯାଇଥିଲା । ସେହିପରି ଭେରାଗୁଆସ୍‌ ପ୍ରଦେଶର ବିଭିନ୍ନ ରାସ୍ତାରେ ଲମ୍ବା ଓ ଗଭୀର ଫାଟ ସୃଷ୍ଟି ହୋଇଥିବା ଦେଖାଯାଇଛି । ଏହା ପୂର୍ବରୁ ଅକ୍ଟୋବର ୪ ତାରିଖରେ ଇଣ୍ଡୋନେସିଆରେ ମଧ୍ୟ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା । ରବିବାର ସକାଳେ ଇଣ୍ଡୋନେସିଆର ଧରିତ୍ରୀ ଭୂକମ୍ପର ଝଟକାରେ ଥରି ଉଠିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରେକର୍ଡ କରାଯାଇଥିଲା । ଭାରତୀୟ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ସକାଳ ୫ଟା ୭ ମିନିଟ୍‌ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ଭୂପୃଷ୍ଠଠାରୁ ୧୦ କିଲୋମିଟର ଗଭୀରରେ ଥିଲା । ତେବେ ଏହି ଭୂକମ୍ପରେ କୌଣସି ଜୀବନହାନି କିମ୍ବା ସମ୍ପତ୍ତି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଥିଲା ।

Leave a Reply

Your email address will not be published. Required fields are marked *