Bus 3

ଆସନ୍ତାକାଲି ଜାରି ରହିବ ବସ୍ ସେବା, ଓଡ଼ିଶା ବନ୍ଦକୁ ସମର୍ଥନ କରୁନି ରାଜ୍ୟ ବସ୍ ମାଲିକ ସଂଘ

Spread the love

ଭୁବନେଶ୍ୱର: ଓଡ଼ିଶା ବନ୍ଦକୁ ସମର୍ଥନ କରୁନି ଓଡ଼ିଶା ରାଜ୍ୟ ବସ୍ ମାଲିକ ସଂଘ । ଗୋଟେ ଦିନ ବସ୍ ବନ୍ଦ ହେଲେ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବେ । ବସ୍ ମାଲିକ ବଡ଼ କ୍ଷତିର ସମ୍ମୁଖୀନ ହେବ । ତେଣୁ ଆସନ୍ତାକାଲି ବସ୍ ସେବା ଚାଲିବ । ଯେଉଁଠି ପିକେଟିଙ୍ଗରେ ବନ୍ଦ କରାଯିବ ସେଠାରେ ବସ୍ ସେବା ବନ୍ଦ ରହିବ ବୋଲି କହିଛନ୍ତି ଓଡ଼ିଶା ରାଜ୍ୟ ବସ୍ ମାଲିକ ସଂଘ ସଭାପତି ବରଦା ପ୍ରସନ୍ନ ଆଚାର୍ଯ୍ୟ ।

ଏପଟେ କାଲି ଗଡିବନି କୌଣସି ଅଟୋ । ରାଜଧାନୀ ଅଟୋ ଚାଳକ ସଂଘର ଆହ୍ୱାନ ।  ଆସନ୍ତାକାଲି ଓଡିଶା ବନ୍ଦକୁ ସମର୍ଥନ ଜଣାଇ ରାଜଧାନୀ ସମେତ ରାଜ୍ୟର ସମସ୍ତ ଜାଗାରେ ଅଟୋ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି । କୌଣସି ପ୍ରକାରର ଅନଲାଇନ୍ କିମ୍ବା ଅଫଲାଇନ୍ ଅଟୋ ଚାଲିବ ନାହିଁ । ଗତକାଲି ଏନେଇ ଆସୋସିଏସନର ବୈଠକ ବସିଥିଲା । ଅଟୋ ଚଳାଚଳ ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ଏଥିରେ ନିଷ୍ପତି ନିଆଯାଇଛି। ନିଜ ଅଞ୍ଚଳରେ ଧାରଣାରେ ସାମିଲ ହେବା ପାଇଁ ମଧ୍ୟ ଅଟୋ ଚାଳକଙ୍କୁ କୁହାଯାଇଛି ।

ସୂଚନା ମୁତାବକ, ଇଣ୍ଡିଆ ବ୍ଲକ୍ ପକ୍ଷରୁ ଆସନ୍ତାକାଲି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯିବ ବୋଲି ଘୋଷଣା କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଇଣ୍ଡିଆ ବ୍ଲକ୍ । ବନ୍ଦ ସମୟରେ ରେଳ, ବସ୍ ଓ ଅନ୍ୟାନ୍ୟ ସରକାରୀ ବେସରକାରୀ ଯାନବାହନ ଚଳାଚଳ ବନ୍ଦ କରିବାକୁ ଆହ୍ୱାନ ଦିଆଯାଇଛି । ତେବେ ହସ୍ପିଟାଲ, ଆମ୍ବୁଲାନ୍ସ, ମେଡିକାଲ ଷ୍ଟୋର ସମେତ ସମସ୍ତ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ ଦିଆଯିବ । ଏହାସହ ଅଷ୍ଟମ ଓ ନବମ ଶ୍ରେଣୀର ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ କୌଣସି ଅସୁବିଧା ନହୁଏ ଧ୍ୟାନ ଦିଆଯିବ ।

ଇଣ୍ଡିଆ ବ୍ଲକ୍ ନେତାମାନେ କହିଛନ୍ତି ଯେ, ଚାରିଟି ମୁଖ୍ୟ ଦାବିକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ଏସ୍ ଆଇଆର୍ ପ୍ରସଙ୍ଗରେ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ବହିଷ୍କାର ଦାବି କରାଯାଇଛି । ଏମ୍ ଏମ୍ ଡିଆର୍ (MMDR) ଆଇନ ସଂଶୋଧନ ଜରିଆରେ ଓଡ଼ିଶାର ଖଣିଜ ସମ୍ପଦ ଲୁଟ୍ ହେଉଥିବା ଅଭିଯୋଗ କରି ଏହାକୁ ପ୍ରତ୍ୟାହାର କରିବାକୁ ଦାବି ଉଠାଯାଇଛି । ବନ୍ୟା ପୀଡ଼ିତଙ୍କୁ ଯଥେଷ୍ଟ ସହାୟତା ଓ ପୁନର୍ବାସ ଯୋଗାଇବାକୁ ଦାବି କରାଯାଇଛି।ପ୍ରାଥମିକ ଶିକ୍ଷା ପାଠ୍ୟପୁସ୍ତକ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଦୁର୍ନୀତି ପ୍ରସଙ୍ଗରେ ସମ୍ପୃକ୍ତ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି ।

ସିପିଆଇ ରାଜ୍ୟ ସମ୍ପାଦକ ପ୍ରଶାନ୍ତ ମିଶ୍ର କହିଛନ୍ତି, ଏହି ବନ୍ଦ କେବଳ ଓଡ଼ିଶାର ସ୍ୱାର୍ଥ ପାଇଁ ନୁହେଁ, ବରଂ ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ମଧ୍ୟ ଏକ ଲଢ଼େଇ । ଓଡ଼ିଶାକୁ ଭଲପାଉଥିବା, ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ଚାହୁଁଥିବା ସମସ୍ତ ଜନସାଧାରଣ, ସାମାଜିକ ସଂଗଠନ, ବୁଦ୍ଧିଜୀବୀ, ଆଇନଜୀବୀ ଓ ବିଭିନ୍ନ ଗଣତାନ୍ତ୍ରିକ ଶକ୍ତିଙ୍କୁ ବନ୍ଦରେ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି । ଇଣ୍ଡିଆ ବ୍ଲକ୍ ପକ୍ଷରୁ କୁହାଯାଇଛି ଯେ, ବନ୍ଦ ସମ୍ପୂର୍ଣ୍ଣ ଅହିଂସା ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯିବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହା ପ୍ରତି ବ୍ୟାପକ ଜନସମର୍ଥନ ମିଳୁଥିବା ଦାବି କରି ଆସନ୍ତା ୮ ତାରିଖରେ ଓଡ଼ିଶା ବନ୍ଦ ସଫଳ ହେବ ବୋଲି ନେତାମାନେ ଆଶା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *