81 e1791393093661 300x170

ଆଶୁତୋଷ ଦୀକ୍ଷିତ ନୂଆ ବାୟୁସେନା ମୁଖ୍ୟ ନିଯୁକ୍ତ, ଆସନ୍ତା ୩୧ରେ ଦାୟିତ୍ବଗ୍ରହଣ

Spread the love

ନୂଆଦିଲ୍ଲୀ: ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତଙ୍କୁ କେନ୍ଦ୍ର ସରକାର ନୂଆ ବାୟୁସେନା ମୁଖ୍ୟ (୨୯ତମ) ନିଯୁକ୍ତ କରିଛନ୍ତି। ସେ ଏବେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ। ସେ ଆସନ୍ତା ୩୧ ତାରିଖରୁ ଦାୟିତ୍ବ ଗ୍ରହଣ କରିବେ। ସେ ଏବେକାର ବାୟୁସେନା ମୁଖ୍ୟ (ଏୟାର ଚିଫ ମାର୍ଶାଲ) ଅମର ପ୍ରୀତ ସିଂହଙ୍କ ସ୍ଥାନ ନେବେ। ଶ୍ରୀ ସିଂହ ଆସନ୍ତା ୩୧ ତାରିଖରେ ଅବସର ଗ୍ରହଣ କରିବେ। ୨୦ରୁ ଅଧିକ ପ୍ରକାରର ବିମାନରେ ତାଙ୍କର ୩,୫୦୦ରୁ ଅଧିକ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ରହିଛି।

ସେ ଜଣେ ପରୀକ୍ଷାମୂଳକ ଟେଷ୍ଟ ପାଇଲଟ୍ ଓ ଯୋଗ୍ୟ ଫ୍ଲାଇଂ ଇନଷ୍ଟ୍ରକ୍ଟର ମଧ୍ୟ। ଏୟାର ମାର୍ଶାଲ ଏହା ପୂର୍ବରୁ ସିଆଇଏସସି, ମୁଖ୍ୟାଳୟ ଆଇଡିସି ଓ ଏଓସି-ଇନ-ସି, ସେଣ୍ଟ୍ରାଲ ଏୟାର କମାଣ୍ଡ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦରେ କାର୍ଯ୍ୟ କରିସାରିଛନ୍ତି। ଶ୍ରୀ ଦୀକ୍ଷିତଙ୍କ ପାଖରେ ମିରାଜ-୨୦୦୦, ମିଗର ଅଲଗା ଅଲଗା ବିମାନ, ଏଚପିଟି-୩୨, ଏଏନ-୩୨, ଆଭ୍ରୋ, କିରନ, ଜାଗୁଆର,ଆଇଏଲ-୭୮, ହକ୍ ଓ ତେଜସ୍ ସମେତ ବିଭିନ୍ନ ବିମାନରେ ବ୍ୟାପକ ଉଡ଼ାଣ ଅଭିଜ୍ଞତା ରହିଛି। ଚାରି ଦଶନ୍ଧିର ସେବା ସମୟରେ ସେ ଅନେକ ଅପରେସନ୍ ଓ ଯୁଦ୍ଧାଭ୍ୟାସରେ ସକ୍ରିୟ ଭାବେ ଜଡ଼ିତ ରହିଛନ୍ତି। ଅପରେସନ୍ ସଫେଦ ସାଗର, ଅପରେସନ୍ ରକ୍ଷକ, କୋପ୍-ଇଣ୍ଡିଆ ଓ ଅପରେସନ୍ ସିନ୍ଦୂରରେ ମଧ୍ୟ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସ୍ୱଦେଶୀ ବିମାନ ଏଲସିଏ ତେଜସ୍ ଓ ବାୟୁସେନାର ଅନ୍ୟାନ୍ୟ ସ୍ୱଦେଶୀ ବିମାନ ପ୍ରକଳ୍ପଗୁଡ଼ିକୁ ସେ ସମର୍ଥନ ଦେଇଥିଲେ। ସରକାରଙ୍କ ‘ଆତ୍ମନିର୍ଭର ଭାରତ’ ପଦକ୍ଷେପକୁ ସେ ଆହୁରି ଆଗକୁ ବଢ଼ାଇବେ ବୋଲି ଆଶା କରାଯାଉଛି।

ଡିସେମ୍ବର ୯, ୧୯୬୬ରେ ଜନ୍ମିତ ଏୟାର ମାର୍ଶାଲ ଦୀକ୍ଷିତ ଡିସେମ୍ବର ୬, ୧୯୮୬ରେ ଭାରତୀୟ ବାୟୁସେନାର ଯୁଦ୍ଧବିମାନ ଷ୍ଟ୍ରିମ୍‌ରେ ନିଯୁକ୍ତ ହୋଇଥିଲେ। ସେ ହେଉଛନ୍ତି ଜାତୀୟ ପ୍ରତିରକ୍ଷା ଏକାଡେମୀ (ଏନଡିଏ), ଡିଫେନ୍ସ ଷ୍ଟାଫ୍ ସର୍ଭିସ୍ କଲେଜ (ବାଂଲାଦେଶ) ଓ ଜାତୀୟ ପ୍ରତିରକ୍ଷା କଲେଜର ଜଣେ ପୁରାତନ ଛାତ୍ର। ସେ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଓ ଷ୍ଟାଫ୍ ନିଯୁକ୍ତି ମଧ୍ୟ ତୁଲାଇଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବିଭିନ୍ନ କ୍ଷେତ୍ରରେ ଏହି ଏୟାର ଅଫିସରଙ୍କ ଅବଦାନ ସହିତ ଭାରତୀୟ ବାୟୁସେନାର କାର୍ଯ୍ୟକ୍ଷମତା ବୃଦ୍ଧି ପାଇଛି। ୨୦୦୬ରେ ତାଙ୍କୁ ବାୟୁ ସେନା ପଦକ, ୨୦୧୧ରେ ବିଶିଷ୍ଟ ସେବା ପଦକ, ୨୦୨୩ରେ ଅତି ବିଶିଷ୍ଟ ସେବା ପଦକ ଓ ୨୦୨୬ରେ ପରମ ବିଶିଷ୍ଟ ସେବା ପଦକ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *