Screenshot 2026 08 23 161148

ଜୀବନକୁ ବାଜି ଲଗାଇ ନାଳ ପାର୍ ହେଉଛନ୍ତି ଗ୍ରାମବାସୀ; ପୋଲ ନିର୍ମାଣ ପାଇଁ ଦାବି

Spread the love

ଗୁଡ଼ାରୀ:ଲଗାଣ ବର୍ଷାରେ ଫୁଲିଛି ନାଳ। ପ୍ରବଳ ପାଣି ସ୍ରୋତ ମଧ୍ୟରେ ଗାଁକୁ ଯିବା ପାଇଁ ଜୀବନକୁ ବାଜି ଲଗାଇ ନାଳ ପାର ହେଉଛନ୍ତି ଲୋକେ। ଯାତାୟାତ ପାଇଁ ଅନ୍ୟ କୌଣସି ବିକଳ୍ପ ରାସ୍ତା ନଥିବାରୁ ପ୍ରତିବର୍ଷ ବର୍ଷାଦିନେ ଏଭଳି ବିପଦପୂର୍ଣ୍ଣ ଯାତାୟାତ କରିବା ଗ୍ରାମବାସୀଙ୍କ ନିତିଦିନିଆ ଘଟଣା ପାଲଟିଛି। ଏଭଳି ଦୁର୍ଦ୍ଦଶା ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ପେଣ୍ଡିଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମରେ ଦେଖିବାକୁ ମିଳିଛି।ଗତ ୩୬ ଘଣ୍ଟା ଧରି ଅଞ୍ଚଳରେ ଲଗାଣ ବର୍ଷା ହେଉଥିବାରୁ ଗ୍ରାମ ନିକଟସ୍ଥ ନାଳରେ ଜଳସ୍ତର ବୃଦ୍ଧି ପାଇଛି। ଶୁକ୍ରବାର ରାତିଠାରୁ ବର୍ଷାର ପରିମାଣ ବଢ଼ିବା ପରେ ନାଳରେ ପ୍ରବଳ ପାଣି ସ୍ରୋତ ଦେଖାଦେଇଥିଲା। ଏହାସତ୍ତ୍ୱେ ବିଲରେ ରୁଆ ଓ ଡଙ୍ଗର କାମ ସାରି ଘରକୁ ଫେରିବା ବେଳେ ଗ୍ରାମବାସୀଙ୍କୁ ବିପଦସଙ୍କୁଳ ଭାବେ ନାଳ ପାର ହେବାକୁ ପଡ଼ିଥିଲା।

ନାଳ ପାର ହେବା ସମୟରେ ମହିଳା, ଛୋଟ ଶିଶୁ, ଯୁବକ ଏବଂ ବୃଦ୍ଧବୃଦ୍ଧାମାନେ ମଧ୍ୟ ବିପଦକୁ ଖାତିର ନକରି ଯାତାୟାତ କରିଥିଲେ। ପ୍ରବଳ ପାଣି ସ୍ରୋତ ମଧ୍ୟରେ କେତେବେଳେ କିଏ ଭାସିଯିବେ, ତାହାର କୌଣସି ଠିକଣା ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ସବୁବେଳେ ଭୟ ଲାଗି ରହୁଛି।ବର୍ଷା ଆସିଲେ ଏହି ନାଳ ଯୋଗୁଁ ପଞ୍ଚୁପାଣ୍ଡବ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଢ଼ିଯାଏ। ଦୀର୍ଘଦିନ ଧରି ଏଭଳି ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହୋଇପାରିନାହିଁ। ନାଳ ଉପରେ ଏକ ସେତୁ ନିର୍ମାଣ ପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଦାବି କରିଆସୁଛନ୍ତି।

ଏପରିକି କିଛିଦିନ ତଳେ ଗ୍ରାମର ଯୁବକମାନେ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ମଧ୍ୟ ଏହି ସମସ୍ୟା ସମ୍ପର୍କରେ ଜଣାଇଥିଲେ। ତଥାପି ଏଯାଏଁ କୌଣସି ସନ୍ତୋଷଜନକ ପ୍ରତିକ୍ରିୟା ମିଳିନଥିବା ଗ୍ରାମର ଯୁବକ ଅନନ୍ତ ଶବର କହିଛନ୍ତି।ନାଳ ପାର ହେବା ସମୟରେ ଯଦି କୌଣସି ଅଘଟଣ ଘଟେ, ତେବେ ଏହାର ଦାୟିତ୍ୱ କିଏ ନେବ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ବିପଦ ଘଟିବା ପୂର୍ବରୁ ପ୍ରଶାସନ ଚେତିବା ଆବଶ୍ୟକ ବୋଲି ସେମାନେ କହିଛନ୍ତି। ତୁରନ୍ତ ନାଳ ଉପରେ ସେତୁ ନିର୍ମାଣ କରି ପଞ୍ଚୁପାଣ୍ଡବ ଗ୍ରାମବାସୀଙ୍କ ଦୀର୍ଘଦିନର ଯାତାୟାତ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *