ଅଧିକ ଫୋନ୍ ଦେଖିବାକୁ ବାରଣ କରିବାରୁ ଘର ଛାଡ଼ିଦେଲେ ୩ ଝିଅ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗ୍ୱାଲିୟର ଜିଲ୍ଲାରୁ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି। ଅତ୍ୟଧିକ ମୋବାଇଲ ଫୋନ୍ ଦେଖିବାରୁ ଜଣେ ଝିଅକୁ ଗାଳିଦେଲେ ବାପା । ବାପାଙ୍କ ଗାଳି ଏମିତି ବାଧିଲା ଯେ, ୩ ଭଉଣୀ ଏକାଠି ଘର ଛାଡି ନିଖୋଜ ହୋଇଗଲେ । ଆସନ୍ତୁ ପୂରା ଘଟଣା ଉପରେ ନଜର ପକାଇବା ।
ଗତ ଅକ୍ଟୋବର ୨୭ ତାରିଖ ଦିନ ଗ୍ୱାଲିୟର ଜିଲା ମୁରାର ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିଲା। ସୂଚନା ଅନୁସାରେ, ମୋବାଇଲ୍ ଫୋନ୍ର ଅତ୍ୟଧିକ ବ୍ୟବହାରକୁ ନେଇ ବାପା ଜଣେ ଝିଅଙ୍କୁ ଗାଳି ଦେବା ସହ ମୋବାଇଲ୍ ବ୍ୟବହାର ନକରିବାକୁ ତାଗିଦ୍ କରିଥିଲେ। ଏହାକୁ ନେଇ ୧୪, ୧୬ ଓ ୧୮ ବର୍ଷୀୟ ତିନି ଭଉଣୀ ଅଭିମାନ କରି ଏକାଠି ଘର ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। କାହାକୁ କିଛି ନ ଜଣାଇ ୩ ଭଉଣୀ ଏକାଠି ଘରୁ ଚାଲିଯାଇଥିଲେ। ପରିବାର ପକ୍ଷରୁ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ସେମାନଙ୍କ ଖୋଜାଖୋଜି ଆରମ୍ଭ କରିଥିଲା। ପରେ ତିନି ଭଉଣୀ ଦିଲ୍ଲୀର ଏକ ଚାଇଲ୍ଡ କେୟାର ସେଣ୍ଟରରେ ଥିବା ପୁଲିସ ଜାଣିବାକୁ ପାଇଥିଲା। ସେମାନଙ୍କୁ ଗ୍ୱାଲିୟର ଫେରାଇ ଆଣିବା ପାଇଁ ପୁଲିସର ଏକ ଟିମ୍ ଦିଲ୍ଲୀ ଯାଇଛି। ଗ୍ୱାଲିୟର ଏସ୍ପିଙ୍କ ନିର୍ଦ୍ଦେଶରେ ଏହି ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଏଥିସହ ସାଇବର ସେଲ୍କୁ ମଧ୍ୟ ସକ୍ରିୟ କରାଯାଇଥିଲା। ପ୍ରଥମେ ପୁଲିସ ଝିଅମାନେ ଯାଇଥିବା ସମ୍ଭାବ୍ୟ ରାସ୍ତା, ରେଳ ଷ୍ଟେସନ୍ ଓ ବସ୍ଷ୍ଟାଣ୍ଡର ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ସିସିଟିଭି ଫୁଟେଜ୍ରୁ ପୁଲିସକୁ ସୁରାକ୍ ମିଳିଥିଲା ଯେ, ତିନି ଭଉଣୀ ଗ୍ୱାଲିୟରରୁ ଟ୍ରେନ୍ ଯୋଗେ ସିଧା ଦିଲ୍ଲୀ ଅଭିମୁଖେ ଚାଲିଯାଇଛନ୍ତି। ଏହାପରେ ସାଇବର ପୁଲିସ ମୋବାଇଲ୍ ଲୋକେସନ୍ ଓ ଅନ୍ୟାନ୍ୟ ବୈଷୟିକ ତଥ୍ୟ ଆଧାରରେ ତଦନ୍ତ ଜାରି ରଖିଥିଲା। ଶେଷରେ ଦିଲ୍ଲୀ ପୁଲିସର ସହଯୋଗରେ ତିନି ଭଉଣୀଙ୍କୁ ଠାବ କରାଯାଇଛି।
