Census

ଜନଗଣନାରେ ଭୁଲ୍ ତଥ୍ୟ ଦେଲେ ଯାଇପାରନ୍ତି ଜେଲ୍ !

Spread the love

ନୂଆଦିଲ୍ଲୀ: ଜନଗଣନାରେ ଭୁଲ୍ ତଥ୍ୟ ଦେଲେ କ’ଣ ହେବ? ଘରେ ପହଞ୍ଚିଯିବ କି ପୋଲିସ? ସିଧା ଉଠାଇ ନେଇଯିବ କି ଜେଲ୍? ୨୦୨୭ରେ ଆରମ୍ଭ ହେବାକୁ ଯାଉଥିବା ଡିଜିଟାଲ୍ ଜନଗଣନାକୁ ନେଇ ଏବେ ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ। ଖାସ୍ କରି ଏଥର ମୋବାଇଲ୍ ଆପ୍ ଓ ଅନଲାଇନ୍ ପୋର୍ଟାଲ୍‌ରେ ନିଜେ ତଥ୍ୟ ଦେବାର ସୁବିଧା ମିଳିବା ପରେ ଭୁଲ୍ ହୋଇଗଲେ କ’ଣ ହେବ, ତାକୁ ନେଇ ଚିନ୍ତା ବଢ଼ିଛି।

ତେବେ ପ୍ରଥମେ ଜାଣି ରଖନ୍ତୁ, ଜନଗଣନା ପାଇଁ ରହିଛି ୧୯୪୮ ମସିହାର ସେନସସ୍ ଆକ୍ଟ ବା ଜନଗଣନା ଆଇନ। ଏହି ଆଇନ ଅନୁସାରେ ଜନଗଣନା ଅଧିକାରୀ ପଚାରୁଥିବା ପ୍ରଶ୍ନର ସଠିକ୍ ଉତ୍ତର ଦେବା ନାଗରିକଙ୍କ ଦାୟିତ୍ୱ। ଏହି ଆଇନର ଧାରା ୧୧ ଅନୁସାରେ, ଜାଣିଶୁଣି ଭୁଲ୍ ତଥ୍ୟ ଦେବା, ପ୍ରଶ୍ନର ଉତ୍ତର ଦେବାକୁ ମନା କରିବା କିମ୍ବା ଜନଗଣନା ଅଧିକାରୀଙ୍କ କାର୍ଯ୍ୟରେ ବାଧା ଦେବା ଦଣ୍ଡନୀୟ ଅପରାଧ। ଏପରିକି ଜନଗଣନା ଅଧିକାରୀଙ୍କୁ ଘର କିମ୍ବା ପରିସରକୁ ପ୍ରବେଶ କରିବାରେ ବାଧା ଦେବା ବା ରୋକିବା ମଧ୍ୟ ଆଇନର ଉଲ୍ଲଂଘନ।

କିନ୍ତୁ ଏହାର ଅର୍ଥ ନୁହେଁ ଯେ ଭୁଲ୍ ତଥ୍ୟ ଦେବା ମାତ୍ରେ ପୋଲିସ ଆସି ଆପଣଙ୍କୁ ଉଠାଇ ନେଇଯିବ। ଏଥିପାଇଁ ରହିଛି ନିର୍ଦ୍ଦିଷ୍ଟ ଆଇନଗତ ପ୍ରକ୍ରିୟା। ଯଦି କୌଣସି ବ୍ୟକ୍ତି ଜାଣିଶୁଣି ଅଧିକାରୀଙ୍କୁ ଭୁଲ୍ ତଥ୍ୟ ଦେଇ ଭ୍ରମିତ କରନ୍ତି, ତେବେ ଦୋଷ ପ୍ରମାଣିତ ହେଲେ ଆଇନ ଅନୁଯାୟୀ ଜରିମାନା ହୋଇପାରେ । ଦୋଷ ପ୍ରମାଣିତ ହେଲେ କୋର୍ଟ ହଜାରେ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଇପାରନ୍ତି। ଗୁରୁତର ଉଲ୍ଲଂଘନ ଓ ସରକାରୀ କାର୍ଯ୍ୟରେ ଜାଣିଶୁଣି ବାଧା ସୃଷ୍ଟି ଭଳି ମାମଲାରେ ଜେଲ୍‌ ଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି। ତେଣୁ ଫର୍ମ ପୂରଣ କରିବା ସମୟରେ ସତର୍କ ରହିବା ସହ ତଥ୍ୟ ଯାଞ୍ଚ କରିବା ଜରୁରୀ।

ତେବେ ଏଥର ଜନଗଣନାରେ ରହିଛି ଆଉ ଏକ ବଡ଼ ସୁବିଧା-ସ୍ୱଗଣନା। ଅର୍ଥାତ୍ ଘରେ ବସି ନିଜେ ଅନଲାଇନ୍ ପୋର୍ଟାଲ୍‌ରେ ନିଜ ପରିବାରର ତଥ୍ୟ ଦେଇପାରିବେ। ଏଥିପାଇଁ ମୋବାଇଲ୍ ଆପ୍ ଓ ଅନଲାଇନ୍ ବ୍ୟବସ୍ଥା ରହିବ। ଘର ଓ ପରିବାର ସମ୍ପର୍କିତ ପ୍ରାୟ ୩୩ଟି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। ଯାହାକୁ ସଠିକ୍ ଭାବେ ପଢି, ଏହାର ସଠିକ୍ ଉତ୍ତର ହିଁ ଦିଅନ୍ତୁ । ତେଣୁ ମନେ ରଖନ୍ତୁ, ଜାଣିଶୁଣି ଭୁଲ୍ ତଥ୍ୟ ଦେବା ଆଇନଗତ ଅପରାଧ। ତେଣୁ ଭୟଭୀତ ନହୋଇ ସଠିକ୍ ତଥ୍ୟ ଦିଅନ୍ତୁ।

Leave a Reply

Your email address will not be published. Required fields are marked *