ଦିଲ୍ଲୀରେ ଏନଡିଏ ଓ ଇଣ୍ଡିଆ ବ୍ଲକର ସମାନ୍ତରାଳ ଶୋଭଯାତ୍ରା
ନୂଆଦିଲ୍ଲୀ: ରବିବାର ରାଜଧାନୀ ଦିଲ୍ଲୀରେ ବିଜେପି ନେତୃତ୍ୱାଧୀନ ଏନଡିଏ ବ୍ଲକ ଏବଂ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକ ପକ୍ଷରୁ ସମାନ୍ତରାଳ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଇଣ୍ଡିଆ ବ୍ଲକ ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଶୋଭାଯାତ୍ରା ଆୟୋଜନ କରାଯାଇଥିବା ବେଳେ ଏନଡିଏ ପକ୍ଷରୁ ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ପ୍ରତିବାଦରେ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଇଣ୍ଡିଆ ବ୍ଲକ ଶୋଭାଯାତ୍ରାର ନାମ ‘ଚଲୋ ଦିଲ୍ଲୀ’ ରଖାଯାଇଥିଲା ଯାହାର ନେତୃତ୍ୱ ନେଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ।
ମିଂଟୋ ରୋଡ୍ରୁ ବାହାରିଥିବା ଏହି ଶୋଭାଯାତ୍ରା ରାମଲୀଲା ମୈଦାନରେ ପହଂଚିବା ପରେ ସେଠାରେ ସଭାର ଆୟୋଜନ କରାଯାଇଥିଲା । ଏଥିରେ ରାହୁଲଙ୍କ ସମେତ ମମତା ବାନାର୍ଜୀ, ତେଜସ୍ୱୀ ଯାଦବ ଏବଂ ଅଖିଳେଶ ଯାଦବ ପ୍ରମୁଖ ଯୋଗ ଦେଇଥିଲେ । ଠିକ୍ ସେମିତି ବିଜେପି ପକ୍ଷରୁ ପଶ୍ଚିମ ଦିଲ୍ଲୀରେ ଶୋଭଯାତ୍ରାର ଆୟୋଜନ କରାଯାଇଥିଲା । ୧୯୮୪ରେ ସଂଘଟିତ ଶିଖ ବିରୋଧୀ ଦଙ୍ଗା କଂଗ୍ରେସ ପ୍ରାୟାଜିତ ବୋଲି ବକ୍ତାମାନେ କହିଥିଲେ । ହରିନଗର ଅଂଚଳରୁ ବାହାରିଥିବା ଏହି ଶୋଭାଯାତ୍ରା ତିଲକ ନଗର ମେଟ୍ରୋ ଷ୍ଟେସନ ନିକଟରେ ଶେଷ ହୋଇଥିଲା ।
