Hktguy9ayaa4uzl

ୟୁରୋପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Spread the love

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ୟୁରୋପ ଗସ୍ତରେ ଯାଇଛନ୍ତି। ମୋଦୀ ଫ୍ରାନ୍ସ ଓ ସ୍ଲୋଭାକିଆ ଯାଇଥିବା ଜଣାପଡ଼ିଛି। ଫ୍ରାନ୍ସ ଗସ୍ତର ପ୍ରଥମ ପର୍ଯ୍ୟାୟରେ ରବିବାର ପ୍ରଧାନମନ୍ତ୍ରୀ ମୋଦୀ ନାଇସରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକରନ୍‌ଙ୍କ ସହ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବେ। ଏଥିସହ ବିଶ୍ବ ରାଜନୀତି ଉପରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବା ସମ୍ଭାବନା ରହିଛି। ଏହି ଅବସରରେ ମୋଦୀ ଓ ମାକରନ୍‌ ‘ଭାରତ ଇନୋଭେଟ୍‌ସ’କୁ ଉଦ୍‌ଘାଟନ କରିବେ। ଭାରତ, ଫ୍ରାନ୍ସ ଓ ଅନ୍ୟ କେତେକ ଦେଶର ଷ୍ଟାଟ୍‌ଅପ୍‌ ସଂସ୍ଥାକୁ ପ୍ରୋତ୍ସାହନ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହାପରେ ମୋଦୀ ଆସନ୍ତା ୧୪ ଓ ୧୫ରେ ସ୍ଲୋଭାକିଆ ଗସ୍ତରେ ଯିବେ। ସେଠାରେ ସ୍ଲୋଭାକିଆ ପ୍ରଧାନମନ୍ତ୍ରୀ ରବୋର୍ଟ ଫିକୋଙ୍କ ସହ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ସ୍ଲୋଭାକିଆ ରାଷ୍ଟ୍ରପତି ପିଟର୍‌ ପେଲେଗରିନିଙ୍କୁ ମୋଦୀ ଭେଟିବା କାର୍ଯ୍ୟକ୍ରମ ରହିଛି। ଭାରତ ଓ ସ୍ଲୋଭାକିଆ ମଧ୍ୟରେ ବାଣିଜ୍ୟ, ଅର୍ଥନିବେଶ, ଅଟୋମୋବାଇଲ୍‌ କ୍ଷେତ୍ରରେ ଉନ୍ନତି ଆଣିବାକୁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ସୂଚନାଥାଉ କି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୫ ଏପ୍ରିଲ୍‌ରେ ସ୍ଲୋଭାକିଆ ଗସ୍ତରେ ଯାଇଥିବା ବେଳେ ସ୍ଲୋଭାକିଆ ରାଷ୍ଟ୍ରପତି ଚଳିତବର୍ଷ ଫେବୃଆରୀରେ ଭାରତ ଗସ୍ତରେ ଆସିଥିଲେ। ସ୍ଲୋଭାକିଆରୁ ପୁନର୍ବାର ମୋଦୀ ଫ୍ରାନ୍ସ ଯିବେ। ଆସନ୍ତା ୧୬ ଓ ୧୭ରେ ଇଭିଅନ୍‌ରେ ଜି୭ ବୈଠକ ଅନୁଷ୍ଠିତ ହେବାକୁ ଥିବା ବେଳେ ମୋଦୀ ଏହି ବୈଠକରେ ଯୋଗ ଦେବେ। ଏହି ବୈଠକରେ ଜି୭ ସଦସ୍ୟ ରାଷ୍ଟ୍ରର ନେତାଙ୍କ ସହ ବିଭିନ୍ନ ଦେଶର ନିମନ୍ତ୍ରିତ ନେତୃବର୍ଗ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *