ଶୀତଳ ଷଷ୍ଠୀ ପାଇଁ ପ୍ରସ୍ତୁତି ଜୋରଦାର: ସାମିଲ ହେବେ ୭୫୦୦ରୁ ଅଧିକ କଳାକାର
ସମ୍ବଲପୁର: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପର୍ବ ଶୀତଳ ଷଷ୍ଠୀ ପାଇଁ ସମ୍ବଲପୁର ଏବେ ଉତ୍ସବମୁଖର ହୋଇଉଠିଛି। ଦେବ ଦମ୍ପତି ଶିବ ଓ ପାର୍ବତୀଙ୍କ ବିବାହ ଉତ୍ସବକୁ ମହାସମାରୋହରେ ପାଳନ କରିବାକୁ ସହରର ବିଭିନ୍ନ କମିଟି ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଚଳିତ ବର୍ଷ ଏହି ଭବ୍ୟ ଶୋଭାଯାତ୍ରାରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ପ୍ରାୟ ୭୫୦୦ରୁ ଅଧିକ କଳାକାର ସାମିଲ ହେବେ।
ଆସନ୍ତା ଜୁନ ୧୪ ତାରିଖରେ ପତ୍ରପେଣ୍ଡି ନୀତି ସହିତ ଏହି ସପ୍ତାହବ୍ୟାପୀ ଉତ୍ସବ ଆରମ୍ଭ ହେବ। ଜୁନ ୧୮ ତାରିଖ ରାତିରେ ମହାଦେବ ଓ ଦେବୀ ପାର୍ବତୀଙ୍କର ପବିତ୍ର ବିବାହ ସମ୍ପନ୍ନ ହେବ। ଏହାପରେ ୧୯ ତାରିଖ ରାତିରୁ ଦେବ ଦମ୍ପତିଙ୍କର ଯୁଗଳ ଦର୍ଶନ ଓ ନଗର ପରିକ୍ରମା ଆରମ୍ଭ ହୋଇ ୨୦ ତାରିଖ ସନ୍ଧ୍ୟାରେ ମନ୍ଦିର ପ୍ରତ୍ୟାବର୍ତ୍ତନ ସହ ଉତ୍ସବର ଉଦଯାପନ ହେବ।
ସମ୍ବଲପୁରର ତିନୋଟି ପ୍ରମୁଖ କମିଟି ନନ୍ଦପଡ଼ା, ଝାଡ଼ୁଆପଡ଼ା ଏବଂ ମୋଦିପଡ଼ା ପକ୍ଷରୁ ଏଥର ବ୍ୟାପକ ଆୟୋଜନ କରାଯାଇଛି। ଗତ ବର୍ଷ ଏହି ତିନି କମିଟିର ମିଳିତ ବଜେଟ ଏକ କୋଟି ସତୁରି ଲକ୍ଷ ଟଙ୍କା ଥିବାବେଳେ ଚଳିତ ବର୍ଷ ଏହା ଦୁଇ କୋଟି କୋଡିଏ ଲକ୍ଷ ଟଙ୍କାରେ ପହଞ୍ଚିଛି। ଲୋକକଳା, ସଙ୍ଗୀତ, ନୃତ୍ୟ ଏବଂ ବିଭିନ୍ନ ପୌରାଣିକ ବିଷୟବସ୍ତୁ ଉପରେ ଆଧାରିତ ପ୍ରଜ୍ଞାପନ ମେଢ ଏହି ଉତ୍ସବର ମୁଖ୍ୟ ଆକର୍ଷଣ ସାଜିବ।
