୧୧ରୁ ଖସିବ ତାପମାତ୍ରା, କୋପ ଦେଖାଇବ କାଳବୈଶାଖୀ, ୮୦ କିମି ବେଗରେ ବହିବ ପବନ
ଭୁବନେଶ୍ୱର: ୧୧ରୁ କମିବ ତାପମାତ୍ରା। ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ଓ ପବନ ରହିବ। ଏନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଓଡ଼ିଶାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ପବନର ବେଗ ୫୦ରୁ ୬୦ କିମି ରହିବ। ଝଟକା ପବନ ୭୦ରୁ ୮୦ କିଲୋମିଟର ହେବାର ସମ୍ଭାବନା ରହିଛି।
ଉପକୂଳ ଓଡ଼ିଶା , ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକରେ ଆଜି କାଳବୈଶାଖୀ ପ୍ରଭାବ କମ ରହିବ। କାଁ ଭାଁ ପବନ ବର୍ଷା ସମ୍ଭାବନା ରହିଛି। ବର୍ତ୍ତମାନ ବଢିଥିବା ତାତି ଓ ଅତ୍ୟଧିକ ଜଳୀୟବାଷ୍ପ ଯୋଗୁଁ କାଳବୈଶାଖୀ ଗତ ଏକ ସପ୍ତାହ ହେଲା ଭୀଷଣ ରୂପ ନେଇଥିଲା । ଏଥିପାଇଁ ଆଞ୍ଚଳିକ ତାତି ଏକ ବଡ଼ କାରଣ ବୋଲି କହିଛନ୍ତି ସୋଆ ସିଇସି ମୁଖ୍ୟ ଶରତ ଚନ୍ଦ୍ର ସାହୁ।
କିନ୍ତୁ ଆଜିଠାରୁ କାଳବୈଶାଖୀ ର ପ୍ରଭାବ କମିବ। ରାଜ୍ୟରେ ପବନ ୪୦ ରୁ ୫୦କିଲୋମିଟର ପ୍ରତି ଘଣ୍ଟା ସମୁଦ୍ର ଆଡୁ ବୋହିବା ଆରମ୍ଭ କରୁଥିବାରୁ କାଳବୈଶାଖୀ ଦୁର୍ବଳ ରହିବ। ବର୍ଷା ହେବ କିନ୍ତୁ ପୂର୍ବ ଭଳି ତୀବ୍ର ରୂପ ହେବନି ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତିଷ ସେହିପରି ୧୪ ରୁ ୧୭ ଭିତରେ ରାଜ୍ୟରେ ମୌସୁମୀ ବାୟୁ ପ୍ରବେଶ କରିବ। ଅନେକ ସ୍ଥାନରେ ତୁହାକୁ ତୁହା ବର୍ଷା ହେବ। ତେଣୁ ରଜରେ ଓଡିଶା ଭିଜିପାରେ।
