Adaws e1780587100974 300x180

ଦେବାଶିଷ ସାମନ୍ତରାୟ ହେଲେ ବିଜେପିର ରାଜ୍ୟସଭା ପ୍ରାର୍ଥୀ

Spread the love

ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନକୁ ନେଇ ଗୁରୁବାର ପ୍ରାର୍ଥୀକୁ ଘୋଷଣା କରିଛି ବିଜେପି। ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କରିଛି ବିଜେପି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧ ଭାବେ ତାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଦେବାଶିଷ ବିଜେଡି ଛାଡ଼ିବା ସହିତ ରାଜ୍ୟସଭା ପଦରୁ ଇସ୍ତଫା ଦେବା ପରେ ଏହି ଆସନ ଖାଲିପଡିଥିଲା। ୨୦୨୪ ଏପ୍ରିଲରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଦେବାଶିଷ ସାମନ୍ତରାୟ। ତାଙ୍କ କାର୍ଯ୍ୟକାଳ ୨୦୩୦ ଏପ୍ରିଲ ୩ ତାରିଖରେ ଶେଷ ହୋଇଥା’ନ୍ତା। ତା’ ପୂର୍ବରୁ ୨୦୨୬ ମେ’ ୨୫ ତାରିଖରେ ସେ ଏହି ପଦରୁ ଇସ୍ତଫା ଦେଇଥିଲେ। ଦେବାଶିଷ ବିଜେଡି ଟିକେଟରେ ରାଜ୍ୟସଭାକୁ ଯାଇଥିଲେ। ମେ’ ୨୫ରେ ସେ ବିଜେଡିରୁ ଇସ୍ତଫା ଦେବା ସହିତ ରାଜ୍ୟସଭା ସାଂସଦ ପଦ ମଧ୍ୟ ଛାଡ଼ି ଦେଇଥିଲେ। ମେ’ ୨୬ରେ ସେ ବିଜେପିରେ ଯୋଗ ଦେଇଥିଲେ। ତେଣୁ ବିଜେପି ତାଙ୍କୁ ଏହି ଉପନିର୍ବାଚନରେ ପ୍ରାର୍ଥୀ କରି ରାଜ୍ୟସଭାକୁ ପଠାଇବାର ଅଧିକ ସମ୍ଭାବନା ରହିଥିଲା।  ଦେବାଶିଷ ସାମନ୍ତରାୟ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

୨୦୦୦ ମସିହାରେ ବିଜେଡି ଟିକେଟରେ ତିର୍ତ୍ତୋଲ ଆସନରୁ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ୨୦୦୯ ଓ ୨୦୧୪ରେ ସେ ବିଜେଡି ଟିକେଟରେ ବାରବାଟୀ-କଟକ ଆସନରୁ ବିଧାନସଭାକୁ ଯାଇଥିଲେ। ୨୦୧୯ରେ ସେ ଏହି ଆସନରେ ମହମ୍ମଦ ମୋକିମଙ୍କଠାରୁ ପରାସ୍ତ ହୋଇଯାଇଥିଲେ। ରାଜ୍ୟସଭା ଉପନିର୍ବାଚନ ଜୁନ୍ ୮ ହେଉଛି ପ୍ରାର୍ଥିପତ୍ର ଦାଖଲ କରିବାର ଶେଷ ତାରିଖ। ଜୁନ୍ ୯ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ହେଉଛି ଜୁନ୍ ୧୧।

ଜୁନ୍ ୧୮ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ସେହିଦିନ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ। ସନ୍ଧ୍ୟା ୫ଟାରୁ ଭୋଟ୍ ଗଣତି ହେବ ଓ ଫଳାଫଳ ଘୋଷଣା କରାଯିବ। ଯଦି ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ନଦିଅନ୍ତି ଅବା କେହି ସ୍ୱାଧୀନ ଭାବେ ପ୍ରାର୍ଥୀ ନ ହୁଅନ୍ତି, ତା’ହେଲେ ଭୋଟ୍‌ର ଆବଶ୍ୟକତା ପଡ଼ିବ ନାହିଁ ଏବଂ ଦେବାଶିଷ ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହେବେ।

Leave a Reply

Your email address will not be published. Required fields are marked *