Elephant 3

ସାତକୋଶିଆରେ ନରହନ୍ତା ଦନ୍ତାକୁ ଛଡାଯିବା ପରେ ରେଞ୍ଜ ଅଫିସ ଘେରାଉ କଲେ ସ୍ଥାନୀୟ ଲୋକେ

Spread the love

ଠାକୁରମୁଣ୍ଡା:ଅନୁଗୁଳର ଦୁର୍ଦ୍ଧାନ୍ତ ନରହନ୍ତା ଦନ୍ତା ହାତୀକୁ ସାତକୋଶିଆ ବନ୍ୟପ୍ରାଣୀ ରେଞ୍ଜ ଅଞ୍ଚଳରେ ଛଡାଯିବା ଖବର ପରେ ,ରେଞ୍ଜ ଅଫିସ ଘେରାଉ କଲେ ସ୍ଥାନୀୟ ଲୋକେ।ଅନୁଗୁଳ ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିବା ମଣିଷ ମରା ଦୁର୍ଦ୍ଧାନ୍ତ ଦନ୍ତା ହାତୀକୁ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ସାତକୋଶିଆ ବନ୍ୟପ୍ରାଣୀ ରେଞ୍ଜର ଦୁଆରସୁଣୀ ଅଞ୍ଚଳରେ ଛାଡ଼ିବାକୁ ନେଇ ଗତକାଲି ରାତିଠାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳର ଆଦିବାସୀ ବାସିନ୍ଦା ସହ ସାଧାରଣ ଜନତା ବିରୋଧ କରିଛନ୍ତି।ସୂଚନା ଅନୁଯାୟୀ,ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ଅନୁଗୁଳ ରେଞ୍ଜର କୁସୁମଘାଟି ଅଞ୍ଚଳରେ ଗତ କିଛି ଦିନ ଧରି ଉକ୍ତ ଦନ୍ତା ହାତୀଟି ଆତଙ୍କ ଖେଳାଇ ଆସୁଥିଲା। ହାତୀ ଆକ୍ରମଣରେ କେତେକ ଲୋକଙ୍କ ମୃତ୍ୟୁ ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇଥିଲା। ଏହାକୁ ନେଇ ଜନଆନ୍ଦୋଳନ ମଧ୍ୟ ଦେଖାଦେଇଥିଲା। ପରିସ୍ଥିତିକୁ ନଜରରେ ରଖି ବନ ବିଭାଗ ହାତୀଟିକୁ ଟ୍ରାଙ୍କୁଲାଇଜର ମାଧ୍ୟମରେ କାବୁ କରି ଅନ୍ୟ ଅଞ୍ଚଳକୁ ସ୍ଥାନାନ୍ତର କରିବାର ନିଷ୍ପତ୍ତି ନେଇଥିଲା।

ଗତକାଲି ରାତି ପ୍ରାୟ ୧୦ଟା ସମୟରେ ହାତୀଟିକୁ “ଐରାବତ” ସ୍ୱତନ୍ତ୍ର ପରିବହନ ଟ୍ରକ ଯୋଗେ ଦୁଆରଶୁଣୀ ଅଞ୍ଚଳକୁ ଅଣାଯାଇ ରାତିରେ ଛାଡିବା ଯୋଜନା ଜାଣିବା ପରେ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ମାତ୍ର ଏହି ଖବର ସ୍ଥାନୀୟ ଲୋକଙ୍କ ନିକଟରେ ପହଞ୍ଚିବା ପରେ ସେମାନେ ଘଟଣାସ୍ଥଳରେ ଏକତ୍ରିତ ହୋଇ ବିରୋଧ ପ୍ରଦର୍ଶନ କରିଥିଲେ। ଫଳରେ ହାତୀ ଛାଡ଼ିବା ପ୍ରକ୍ରିୟାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସାତକୋଶିଆ ବନ୍ୟପ୍ରାଣୀ ଅଞ୍ଚଳ ଭିତରେ ଓ ଆଖପାଖରେ ବହୁ ସଂଖ୍ୟକ ଆଦିବାସୀ ପରିବାର ବସବାସ କରୁଛନ୍ତି। ସେମାନଙ୍କ ଜୀବିକା ମୁଖ୍ୟତଃ ଜଙ୍ଗଲ ଉପରେ ନିର୍ଭରଶୀଳ। ପ୍ରତିଦିନ ସେମାନେ ଜଙ୍ଗଲରୁ ମହୁଲ ଫୁଲ, ବିଭିନ୍ନ ଫଳ, ମୂଳ, କନ୍ଦ ଏବଂ ଅନ୍ୟାନ୍ୟ ଅଣକାଠ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ଚଳାଇଥାନ୍ତି। ଏପରି ସ୍ଥିତିରେ ଜଣେ ନରହନ୍ତା ହାତୀକୁ ଏହି ଅଞ୍ଚଳରେ ଛାଡ଼ି ଦିଆଗଲେ ଲୋକଙ୍କ ଜୀବନ ଓ ଜୀବିକା ଉପରେ ପ୍ରଭାବିତ କରିବ। ଯେଉଁ ହାତୀକୁ ଅନୁଗୁଳରେ ଲୋକଙ୍କ ସୁରକ୍ଷା ପାଇଁ ସ୍ଥାନାନ୍ତର କରାଯାଉଛି ଏ ହାତୀ କୁ ସରକାର ଶିମିଳିପାଳ କିମ୍ବା ବିଭାଗୀୟ ମନ୍ତ୍ରୀ ଅଞ୍ଚଳକୁ ନେଇ ଯାଆନ୍ତୁ। ସେହି ହାତୀକୁ ଅନ୍ୟ ଏକ ଜନବସତିପୂର୍ଣ୍ଣ ଅଞ୍ଚଳରେ ଛାଡ଼ିବା କେତେଦୂର ଯୁକ୍ତିସଙ୍ଗତ, ତାହା ବନ ବିଭାଗ ସ୍ପଷ୍ଟ କରିବା ଉଚିତ। ସ୍ଥାନୀୟ ଲୋକଙ୍କ ମତାମତ ନନେଇ ଏପରି ନିଷ୍ପତ୍ତି ନିଆଯିବାକୁ ନେଇ ମଧ୍ୟ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।ଘଟଣାକୁ ନେଇ ବନ ବିଭାଗର କିଛି ପ୍ରତିକ୍ରିୟା ଦେଉନଥିବା ବେଳେ ଏପର୍ଯ୍ୟନ୍ତ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି ନାହାନ୍ତି । ଯାହା ଫଳରେ ଚାପା ଉତ୍ତେଜନା ଲାଗି ରହିଛି।ତେବେ ଶେଷ ଖବର ସୁଦ୍ଧା ହାତୀଟିକୁ ସ୍ଥାନୀୟ ରେଞ୍ଜ ଅଞ୍ଚଳରେ ନ ଛାଡିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *