ଜମିବାଡ଼ି ବିବାଦକୁ ନେଇ ମହିଳାଙ୍କୁ ହତ୍ୟା
ମାହାଙ୍ଗା : ଜମିବାଡ଼ି ବିବାଦକୁ ନେଇ ସୋମବାର ସକାଳେ ଜଣେ ମହିଳାଙ୍କୁ ବିଲରେ ହାଣିଲା ଖୁଡ଼ୁତାଶୂର। ମୃତକ ଜଣକ ହେଉଛନ୍ତି କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଅକରପଡା ଗ୍ରାମର ସ୍ଵର୍ଣ୍ଣଲତା ସାହୁ।
ଘଟଣା ଅନୁସାରେ ମୃତକ ସ୍ଵର୍ଣ୍ଣଲତା ସାହୁ ଘାସ କାଟିବାକୁ ବିଲକୁ ଯାଇଥିବା ବେଳେ, ଜମିଜମା ବିବାଦରୁ ପୂର୍ବ ଶତ୍ରୁତାକୁ ନେଇ ବିଲ ମଝିରେ ତାଙ୍କ ଖୁଡ଼ୁତାଶୂରଙ୍କ ପରିବାର ତାଙ୍କୁ ଆକ୍ରମଣ କରିଥିଲେ। ଖୁଡୁତାଶୂର ଓ ତାଙ୍କ ପରିବାର ଲୋକେ କୋଦାଳ, କଟୁରୀ, ଟାଙ୍ଗିଆ ସାହାଯ୍ୟରେ ମହିଳାଙ୍କ ମୁଣ୍ଡ, ବେକ, ଛାତି ଓ ପିଠି ଆଦି ଏକାଧିକ ସ୍ଥାନରେ ହାଣିଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ମାହାଙ୍ଗା ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆକ୍ରମଣକାରି ହେଉଛନ୍ତି ଚନ୍ଦ୍ରମଣି ସାହୁ ଓ ତାଙ୍କ ପରିବାର। ସ୍ଵର୍ଣ୍ଣଲତାଙ୍କ ପରିବାର ଏନେଇ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ଚନ୍ଦ୍ରମଣିକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
