ସୁପ୍ରିମ୍କୋର୍ଟ ଗଲା ରେଳ ଦୁର୍ଘଟଣାର ତଦନ୍ତ ମାମଲା, ‘କବଚ’ ସିଷ୍ଟମ୍ ଜଲ୍ଦି ଲାଗୁ କରିବାକୁ ଦାବି
ବାଲେଶ୍ୱର ରେଳ ଦୁର୍ଘଟଣାର ତଦନ୍ତ ମାମଲା ଏବେ ସୁପ୍ରିମ୍କୋର୍ଟରେ ପହଞ୍ଚିଛି। ବିଶାଲ ତିଓ୍ଵାରୀ ନାମକ ଓକିଲ ମାମଲାକୁ ନେଇ ଆବେଦନ ଦାଖଲ କରିଛନ୍ତି। ଏହି ଆବେଦନରେ ସେ ରେଳ ଦୁର୍ଘଟଣାରୁ ରକ୍ଷା ପାଇବାର ‘କବଚ’ ସିଷ୍ଟମ୍ ଜଲ୍ଦି ଲାଗୁ କରିବାକୁ ଦାବି କରିଛନ୍ତି।
ଏଥି ସହିତ ପୂର୍ବତନ ଜଜ୍ଙ୍କ ଅଧ୍ୟକ୍ଷତାରେ ଯାଞ୍ଚ ଆୟୋଗ ଗଠନ ପାଇଁ ଦାବି କରାଯାଇଛି। ରେଳ ସୁରକ୍ଷାକୁ ନେଇ ମଧ୍ୟ ପୂର୍ବତନ ଜଜ୍ଙ୍କ ଅଧ୍ୟକ୍ଷତାରେ ବିଶେଷଜ୍ଞ କମିଟି ଗଠନ କରିବାକୁ ଦାବି ହୋଇଛି।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ଟ୍ରେନ୍ ଦୁର୍ଘଟଣାରେ ତାଜା ଅପ୍ଡେଟ ଦେଇ କହିଛନ୍ତି, ଦୁର୍ଘଟଣାରେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ଏବଂ ସେମାନଙ୍କର ଚିକିତ୍ସା ଚାଲିଛି। ୧୦୦ରୁ ଅଧିକ ରୋଗୀଙ୍କୁ କ୍ରିଟିକାଲ କେୟାରର ଆବଶ୍ୟକ ରହିଛି। ସେମାନଙ୍କ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ, ଲେଡି ହାର୍ଡିଙ୍ଗ୍ ହସ୍ପିଟାଲ ଏବଂ ଆର୍ଏମ୍ଏଲ୍ ହସ୍ପିଟାଲର ବିଶେଷଜ୍ଞ ଡାକ୍ତରମାନେ ଆଧୁନିକ ଉପକରଣ ଓ ଔଷଧ ସହ ଏଠାରେ ପହଞ୍ଚିଛନ୍ତି।
ସେପଟେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁର୍ଘଟଣାର କାରଣ ସମ୍ପର୍କରେ କହିଛନ୍ତି, ଇଣ୍ଟରଲକିଂରେ ପରିବର୍ତ୍ତନ ହେତୁ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ପାଇଁ ଦାୟୀ ଥିବା ଲୋକଙ୍କୁ ଚିହ୍ନଟ କରାଯାଇଛି। ବହୁତ ଜଲ୍ଦି ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଛି। ଏଥି ସହିତ ଅଶ୍ୱିନୀ କହିଛନ୍ତି, ଦୁର୍ଘଟଣାର କବଚ ସହିତ କୌଣସି ପ୍ରକାରର କିଛି ସମ୍ବନ୍ଧ ନାହିଁ।