Boat 2

ଜିବୁଟିରୁ ୟେମେନ ଯାଉଥିବା ବେଳେ ନୌକା ଦୁର୍ଘଟଣା, ୧୫ ଶିଶୁଙ୍କ ସମେତ ୧୦୯ ମୃତ

Spread the love

ନୂଆଦିଲ୍ଲୀ: ପୂର୍ବ ଆଫ୍ରିକାର ଜିବୁଟି ଉପକୂଳରେ ଏକ ବଡ଼ ଧରଣର ଡଙ୍ଗା ଦୁର୍ଘଟଣା ଘଟିଛି । ୩୦୫ ଜଣ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ସମୁଦ୍ରରେ ବୁଡ଼ିଯିବାରୁ ଅତି କମରେ ୧୦୯ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୧୫ ଜଣ ଶିଶୁ ଥିବା ଜଣାପଡ଼ିଛି । ଅନ୍ତର୍ଜାତୀୟ ସଂଗଠନ ଫର୍ ମାଇଗ୍ରେସନ୍ (IOM) ରବିବାର ଏହି ସୂଚନା ଦେଇଛି ।

IOM ଅନୁଯାୟୀ, ଡଙ୍ଗାଟି ଜିବୁଟିରୁ ୟେମେନ ଅଭିମୁଖେ ଯାଉଥିବା ବେଳେ ଗୁରୁବାର ରାତି କିମ୍ବା ଶୁକ୍ରବାର ସକାଳେ ସମୁଦ୍ରରେ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ୫୨ ଜଣ ପୁରୁଷ, ୪୨ ଜଣ ମହିଳା ଏବଂ ୧୫ ଜଣ ଶିଶୁ ପ୍ରାଣ ହରାଇଛନ୍ତି । ଦୁର୍ଘଟଣା ପରେ ୮୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅତି କମରେ ୧୧୬ ଜଣ ଏବେ ବି ନିଖୋଜ ଅଛନ୍ତି । ନିଖୋଜ ଲୋକଙ୍କ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟକୁ ନେଇ ଚିନ୍ତା ବଢ଼ିଛି ।

IOM କହିଛି ଯେ, ଆଫ୍ରିକାର ‘ହର୍ଣ୍ଣ ଅଫ୍ ଆଫ୍ରିକା’ ଅଞ୍ଚଳରୁ ହଜାର ହଜାର ପ୍ରବାସୀ ସୁରକ୍ଷା ଓ ଉନ୍ନତ ଆର୍ଥିକ ସୁଯୋଗ ଖୋଜି ଜିବୁଟି ଦେଇ ଖାଡ଼ି ଦେଶଗୁଡ଼ିକ ଅଭିମୁଖେ ଯାତ୍ରା କରୁଛନ୍ତି । ଏଥିପାଇଁ ସେମାନେ ବାବ୍-ଅଲ୍-ମନ୍ଦେବ୍ ଜଳପଥ ଅତିକ୍ରମ କରୁଛନ୍ତି । ୟେମେନରେ ହିଂସା ଜାରି ରହିଥିଲେ ମଧ୍ୟ ଏହି ପ୍ରବାସ ଧାରା ବନ୍ଦ ହୋଇନାହିଁ । ଜିବୁଟିରେ IOM ମିଶନ୍ ମୁଖ୍ୟ ଆଲେକଜାଣ୍ଡର କୋଏସାକ୍ କହିଛନ୍ତି, “ଏହା ଜୀବନ ଓ ସମ୍ପତ୍ତିର ଏକ ବିରାଟ କ୍ଷତି ।”

ସେ ଆହୁରି କହିଛନ୍ତି ଯେ, ଏହି ଦୁଃଖଦ ଘଟଣା ଆର୍ଥିକ ସୁଯୋଗ ଖୋଜି ଏହି ପ୍ରବାସ ମାର୍ଗ ଦେଇ ଯାତ୍ରା କରୁଥିବା ଲୋକମାନେ କେତେ ବିପଦର ସମ୍ମୁଖୀନ ହେଉଛନ୍ତି, ତାହାର ଏକ ଗମ୍ଭୀର ସ୍ମାରକ । ବିଦେଶରେ ଭଲ ଜୀବନ ଓ ରୋଜଗାରର ଆଶା ନେଇ ବିପଦପୂର୍ଣ୍ଣ ସମୁଦ୍ରପଥରେ ଯାତ୍ରା କରୁଥିବା ପ୍ରବାସୀଙ୍କ ସୁରକ୍ଷାକୁ ନେଇ ଏହି ଦୁର୍ଘଟଣା ପୁଣିଥରେ ଗମ୍ଭୀର ପ୍ରଶ୍ନ ଉଠାଇଛି ।

Leave a Reply

Your email address will not be published. Required fields are marked *