ଲାଇନଚ୍ୟୁତ ହେଲା ତାଳଚେର-ପୁରୀ ଟ୍ରେନ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ପୁରୀ : ପୁରୀ ରେଳଷ୍ଟେସନରେ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ରେଳ ଟ୍ରାକରୁ ଖସିଗଲା ତାଳଚେର – ପୁରୀ ମେମୁ ଟ୍ରେନ୍ ଚକ୍ । ରେଳ ଷ୍ଟେସନକୁ ଟ୍ରେନଟି ପଶୁଥିବା ବେଳେ ୩ ନମ୍ବର ପ୍ଲାଟଫର୍ମର କିଛି ଦୂରରେ ଘଟିଛି ଏଭଳି ଅଘଟଣ । ହଠାତ୍ ଟ୍ରେନ୍ଟି ଲାଇନଚ୍ୟୁତ ହେବାରୁ ଯାତ୍ରୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା । ତେବେ ଭାଗ୍ୟବଶତଃ ଏହି ଘଟଣାରେ କୌଣସି ଯାତ୍ରୀଙ୍କ ମୃତାହତ ହୋଇନଥିବା ସୂଚନା ମିଳିଛି । ଆଜି ଟ୍ରେନଟି ତାଳଚେରରୁ ପୁରୀ ଅଭିମୁଖେ ଆସିଥିଲା । ନିର୍ଦ୍ଧାରିତ ସମୟଠାରୁ କିଛି ଘଣ୍ଟା ବିଳମ୍ବରେ ଆସି ପୁରୀରେ ପହଞ୍ଚିଥିଲା ଟ୍ରେନ୍ ।
ଘଟଣା ପରେ ରେଳ ବିଭାଗ ପକ୍ଷରୁ ତତ୍ପରତା ବଢ଼ାଯାଇଛି । ଲାଇନଚ୍ୟୁତ ହୋଇଥିବା ଟ୍ରେନ୍କୁ ସ୍ୱାଭାବିକ ଭାବେ ଟ୍ରାକ୍ରେ ଆଣିବା ଏବଂ ରେଳ ଚଳାଚଳକୁ ସୁଗମ କରିବା ପାଇଁ କାମ ଆରମ୍ଭ ହୋଇଥିବା ଜଣାପଡ଼ିଛି । ତେବେ ଟ୍ରେନ୍ଟି କେଉଁ କାରଣରୁ ଲାଇନଚ୍ୟୁତ ହେଲା, ସେନେଇ ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ । ଷ୍ଟେସନ୍ଠାରୁ ଏତେ ନିକଟରେ ଏହି ଘଟଣା ଘଟିଥିବାରୁ ବଡ଼ ଅଘଟଣ ଅଳ୍ପକେ ଟଳିଯାଇଥିବା କୁହାଯାଉଛି ।
