ବିରୋଧ ପ୍ରଦର୍ଶନ ବେଳେ ଜନ୍ତର ମନ୍ତରରେ ମହିଳା ସାମ୍ବାଦିକାଙ୍କୁ ପୋଲିସର ଅସଦାଚରଣ ଅଭିଯୋଗ
ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର ମନ୍ତରରେ ବିରୋଧ ପ୍ରଦର୍ଶନ ବେଳେ ମହିଳା ସାମ୍ବାଦିକାଙ୍କ ସହ ପୋଲିସର ଅସଦାଚରଣ ଅଭିଯୋଗକୁ ନେଇ ବଢ଼ିଛି ବିବାଦ। ଜଣେ ବରିଷ୍ଠ ଦିଲ୍ଲୀ ପୋଲିସ ଅଧିକାରୀ ତାଙ୍କୁ ଅଶୋଭନୀୟ ଭାବେ ସ୍ପର୍ଶ କରିଥିବା ଅଭିଯୋଗ ଆସିଛି। ଏହି ଘଟଣାକୁ ନେଇ ଏପର୍ଯ୍ୟନ୍ତ FIR ରୁଜୁ ହୋଇନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଶତାଧିକ ସାମ୍ବାଦିକ ଜନ୍ତର ମନ୍ତରରେ ବସି FIR ଦାବି କରିଛନ୍ତି। ଘଟଣାକୁ ନେଇ କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଜବାବ ମାଗିଛନ୍ତି। ଦିଲ୍ଲୀ ପୋଲିସ ସିଧାସଳଖ ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବାରୁ ଏହି ପ୍ରସଙ୍ଗରେ ଅମିତ ଶାହଙ୍କୁ ଜବାବ ଦେବାକୁ ପଡ଼ିବ ବୋଲି ରାହୁଲ କହିଛନ୍ତି। ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ଜଣେ ମହିଳା ସାମ୍ବାଦିକା ଜନ୍ତର ମନ୍ତରରେ ଜଣେ ପୋଲିସ ଅଧିକାରୀଙ୍କ ଅସଦାଚରଣ ନେଇ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗରେ FIR ରୁଜୁ କରିବା ଦାବିରେ ଶତାଧିକ ସାମ୍ବାଦିକ ଘଣ୍ଟା ଘଣ୍ଟା ଧରି ବସିଛନ୍ତି। ଏହା ପୋଲିସର ମୌଳିକ ଦାୟିତ୍ୱ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି।
କେବଳ ଏତିକି ନୁହେଁ, ଶନିବାର ଜନ୍ତର ମନ୍ତରରୁ ଶତାଧିକ ଲୋକଙ୍କୁ ପୋଲିସ ହେପାଜତକୁ ନେଇଥିବା ରାହୁଲ ଅଭିଯୋଗ କରିଛନ୍ତି। ମହିଳା ପ୍ରଦର୍ଶନକାରୀଙ୍କ ସହ ଅସଦାଚରଣ, କ୍ୟାମେରା ଛଡ଼ାଇ ନେବା ଏବଂ ସାମ୍ବାଦିକଙ୍କୁ ଟାଣି ନେବା ଭଳି ଅଭିଯୋଗ ମଧ୍ୟ ଆସିଥିବା ସେ କହିଛନ୍ତି। ରାହୁଲ କହିଛନ୍ତି, ମହିଳାଙ୍କ ସୁରକ୍ଷା ପାଇଁ ଦାୟୀ ପୋଲିସ ଯଦି ସେମାନଙ୍କ ବିରୋଧରେ ହାତ ଉଠାଏ, ତେବେ ସରକାର କଣ ସୁରକ୍ଷା କରୁଛି? ଦିଲ୍ଲୀ ପୋଲିସ ଗୃହ ମନ୍ତ୍ରଣାଳୟ ଅଧୀନରେ ରହିଛି। ତେଣୁ ଅମିତ ଶାହ ଏହାର ଜବାବ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।
